ବିହାର ରାସ୍ତାରେ ଗୁଜରାଟ : ଜାତିଗତ ସମୀକରଣରେ ନିର୍ବାଚନ ସୀମିତ

ଅହମଦାବାଦ: ଗୁଜରାଟ ନିର୍ବାଚନ ପ୍ରଚାର ଉଷ୍ଣତା ଏବେ ଚରମରେ ଥିବା ବେଳେ ସମଗ୍ର ପ୍ରକ୍ରିୟା ଏବେ ଜାତିଗତ ସମୀକରଣ ଭିତରେ ସୀମିତ ରହିଯାଇଥିବା ଦେଖିବାକୁ ମିଳିଛି। ବିକାଶ ପ୍ରସଙ୍ଗ ସଂପୂର୍ଣ୍ଣ ଗୌଣ ହୋଇଯାଇଛି। କଂଗ୍ରେସ ବିରୋଧରେ ବିଜେପିର ବଂଶବାଦ ପ୍ରଚାର ମଧ୍ୟ କାମ କରୁନାହିଁ। ସରକାର ବିରୋଧରେ ରହିଥିବା ଜନଅସନ୍ତୋଷକୁ ପାଥେୟ କରି ମଧ୍ୟ କଂଗ୍ରେସ ତା’ର ନିର୍ବାଚନ ପ୍ରଚାର ପରିଚାଳନା କରୁନାହିଁ। ସବୁକିଛି ଜାତିକୁ ନେଇ ନିର୍ଦ୍ଧାରଣ ହେଉଛି ଏବଂ ପ୍ରାର୍ଥୀ ଚୟନଠାରୁ ଆରମ୍ଭ କରି ପ୍ରଚାରର ପ୍ରତିଟି ରଣନୀତିରେ କେବଳ ଜାତିକୁ ହିଁ ପ୍ରାଧାନ୍ୟ ଦିଆଯାଉଛି। ଫଳରେ ଏଥର ନିର୍ବାଚନରେ ଗୁଜରାଟ ବିହାର ରାସ୍ତାରେ ଯାଇଛି ବୋଲି ରାଜନୈତିକ ତଥ୍ୟଭିଜ୍ଞ ମହଲ ମତ ଦେଇଛନ୍ତି। ଉଭୟ କଂଗ୍ରେସ ଏବଂ ବିଜେପି ପ୍ରାର୍ଥୀ ଚୟନ ବେଳେ ପ୍ରାର୍ଥୀଙ୍କ ଯୋଗ୍ୟତା, ଦକ୍ଷତା ଓ ଲୋକପ୍ରିୟତା ବଦଳରେ ଜାତିକୁ ଗୁରୁତ୍ୱ ଦେଇ ଚୟନ କରିଛନ୍ତି। ଜାତିବାଦ ଏଥର ନିର୍ବାଚନରେ ଛାଇଁ ରହିଥିବାରୁ ପଟିଦାର ଏବଂ ଓବିସି ଭୋଟ୍‌ ବ୍ୟାଙ୍କ୍‌ର ସମର୍ଥନ ହାସଲ ନିମନ୍ତେ ପ୍ରବଳ ଛକାପଂଝା ଜାରି ରହିଛି। ଗୁଜରାଟରେ ୪୦ ପ୍ରତିଶତ ଓବିସି, ୧୫ ପ୍ରତିଶତ ପଟିଦାର ରହିଥିବାରୁ ଏହି ଭୋଟ୍‌ବ୍ୟାଙ୍କ ଉପରେ ଉଭୟ ଦଳର ନଜର ରହିଛି। ବିଜେପି ଓ କଂଗ୍ରେସ ସମସ୍ତ ୧୮୨ ଆସନରେ ପ୍ରାର୍ଥୀଙ୍କ ନାମ ଘୋଷଣା କରିସାରିଛନ୍ତି। କଂଗ୍ରେସ କେତେକ ଆସନ ସହଯୋଗୀ ଦଳଙ୍କ ପାଇ ଛାଡ଼ିଥିବା ବେଳେ ଦଳିତ ନେତା ତଥା ସ୍ୱାଧୀନ ପ୍ରାର୍ଥୀ ଜିଗ୍ନେଶ ମେଓ୍ଵାନିଙ୍କ ବିରୋଧରେ ପ୍ରାର୍ଥୀ ନଦେବାକୁ ନିଷ୍ପତ୍ତି ନେଇଛି। ସମଗ୍ର ନିର୍ବାଚନ ପଟିଦାର, ଓବିସି, ଦଳିତ, ଆଦିବାସୀ ଏବଂ ସବର୍ଣ୍ଣ ଭୋଟ୍‌ରଙ୍କ ମଧ୍ୟରେ ସୀମିତ ରହିଛି। ବିଜେପି ପଟିଦାର ସଂପ୍ରଦାୟକୁ ଖୁସି କରିବାକୁ କୌଣସି ସୁଯୋଗ ହାତଛଡ଼ା କରିନାହିଁ। ବିଜେପି ଏଥର ୫୧ ପଟିଦାରଙ୍କୁ ଟିକଟ ଦେଇଛି। ୮୦ ଆସନରେ ପଟିଦାର ସଂପ୍ରଦାୟର ଭୋଟ୍‌ ନିର୍ଣ୍ଣାୟକ ଥିବାରୁ ବିଜେପି ଏଭଳି ନିଷ୍ପତ୍ତି ନେଇଛି। ପଟିଦାର ନେତା ହାର୍ଦ୍ଦିକ ପଟେଲଙ୍କ ସମର୍ଥନ ହାସଲ କରିଥିବା କଂଗ୍ରେସ ୪୬ ପଟିଦାରଙ୍କୁ ଟିକଟ ଦେଇଛି। ୧୯୯୫ ନିର୍ବାଚନ ପରେ କଂଗ୍ରେସ ପ୍ରଥମ ଥର ପାଇଁ ପଟିଦାରଙ୍କ ସହିତ ହାତ ମିଳାଇ ନିର୍ବାଚନ ଲଢ଼ୁଛି।

ସମ୍ବନ୍ଧିତ ଖବର