ଲୋକସଂଖ୍ୟା ଅପେକ୍ଷା କାର୍‌ ସଂଖ୍ୟା ଅଧିକ ଥିବା ସହର

ଆମେରିକାର ନ୍ୟୁୟର୍କ ପରେ ଦ୍ୱିତୀୟ ବୃହତ୍ତମ ସହରର ମାନ୍ୟତା ରଖିଥିବା ଲସ୍‌ ଆଞ୍ଜେଲ୍‌ସ ବିଶ୍ୱ ମନୋରଞ୍ଜନର ଶ୍ରେଷ୍ଠ ସ୍ଥାନ ହଲିଉଡ୍‌କୁ ବହନ କରୁଥିବାରୁ ତାହାର ପରିଚିତି ନିଶ୍ଚିତ ଭାବେ ସ୍ୱତନ୍ତ୍ର। ତେବେ ସେଠାରେ ଉପଲବ୍‌ଧ ଉଷ୍ମ ଭୂମଧ୍ୟସାଗରୀୟ ଜଳବାୟୁ ହିଁ ସେଠାରେ ବସବାସ କରିବା ପାଇଁ ସର୍ବୋତ୍କୃଷ୍ଟ ହୋଇଥିବାରୁ ସେଠାକାର ବାସିନ୍ଦା ହେବା ପାଇଁ ପୃଥିବୀର ବିଭିନ୍ନ ପ୍ରାନ୍ତରର ଧନୀ ତଥା ମାନ୍ୟଗଣ୍ୟ ବ୍ୟକ୍ତିମାନେ ଇଚ୍ଛା କରିଥା’ନ୍ତି। ଅପରପକ୍ଷେ, ପଦାତିକମାନଙ୍କ ପାଇଁ ମୃତ୍ୟୁଯନ୍ତା ପରି ମନେ ହେଉଥିବା ଉକ୍ତ ସହରର ଅନ୍ୟତମ ପରିଚୟ ହେଲା ସେଠାକାର ବ୍ୟକ୍ତିଗତ ଯାନ ବହୁଳତା। ଅବିଶ୍ବସନୀୟ ଭାବେ ସେଠାରେ ଲୋକସଂଖ୍ୟା ଅପେକ୍ଷା କାର୍‌ ସଂଖ୍ୟା ଅଧିକ।

ଆମେ ସାଧାରଣତଃ ଯାତାୟାତରେ ସ୍ୱାଚ୍ଛନ୍ଦ୍ୟ ପାଇଁ ବ୍ୟକ୍ତିଗତ କାର୍‌ ପରି ଚାରିଚକିଆ ଯାନ ବ୍ୟବହାର କରିଥା’ନ୍ତି। ମାତ୍ର ସେଠାକାର ପ୍ରତ୍ୟେକଙ୍କର ଏକାଧିକ ଚାରିଚକିଆ ଯାନ ରଖିବା ଏକ ସମ୍ଭ୍ରାନ୍ତ ଶ୍ରେଣୀର ପ୍ରତୀକ ହୋଇଛି। ସଦ୍ୟ ଜନଗଣନା ଅନୁସାରେ ଏହି ସହରର ଲୋକସଂଖ୍ୟା ପାଖାପାଖି ୪୦ ଲକ୍ଷ ହୋଇଥିବା ବେଳେ ସହରର ପଞ୍ଜୀକୃତ କାର୍‌ ସଂଖ୍ୟା ୬୧ ଲକ୍ଷ ବୋଲି ଜଣାଯାଇଛି। ହାରାହାରି ମୁଣ୍ଡପିଛା ଦେଢ଼ରୁ ଅଧିକ କାର୍‌ ରହିଛି। ଆମ ଦେଶ ଭଳି ଅନେକ ସ୍ଥାନରେ ସ୍ଥାନାଭାବ କି ସମ୍ବଳ ଅଭାବରୁ ଲୋକେ ନିଜର ଚାରିଚକିଆ ଯାନକୁ ସର୍ବସାଧାରଣ ରାସ୍ତା ଉପରେ ରଖୁଥିବା ବେଳେ ସେଠାରେ ରାସ୍ତାଘାଟରେ ଗହଳି କମାଇବା ପାଇଁ ପ୍ରତ୍ୟେକ ସହରବାସୀଙ୍କ ପାଇଁ ନିଜ ଘରେ ପାର୍କି ଅଞ୍ଚଳ(କାର୍‌ ରଖିବା ସ୍ଥାନ) ବାଧ୍ୟତାମୂଳକ କରାଯାଇଛି। ତଥାପି ଚାରିଚକିଆ ଯାନ ଆହରଣ କରିବା ପାଇଁ ସହରବାସୀଙ୍କ ମଧ୍ୟରେ ପ୍ରତିଯୋଗିତା କମିନାହିଁ।

ସମ୍ବନ୍ଧିତ ଖବର