ନୂଆଦିଲ୍ଲୀ: ମାତିଲ୍ଦା ଗୁସ୍ତାଫସନ୍ ଓରଫ୍ ଶୋଭାଙ୍କୁ ନିଃସନ୍ତାନ ସ୍ୱିଡେନୀୟ ଦମ୍ପତିଙ୍କୁ ପୋଷ୍ୟ କନ୍ୟା ଭାବେ ଅର୍ପଣ କରିଥିଲା ଦିଲ୍ଲୀ ଅନାଥାଶ୍ରମ। କିନ୍ତୁ ମାତିଲ୍ଦାଙ୍କ ପାଇଁ ପରିବାର ସୁଖ ସରି ଯାଇଥିଲା ଯେବେ ତା’ର ପାଳିତ ପିତାମାତା ତାଙ୍କୁ ଅବହେଳା କରିବା ଆରମ୍ଭ କଲେ। ସେ ପୁଣି ଥରେ ଅନାଥାଶ୍ରମରେ ରହିବାକୁ ବାଧ୍ୟ ହୋଇଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ବଡ଼ ମାନସିକ ଯନ୍ତ୍ରଣାଦାୟକ ପରିସ୍ଥିତି ଅଙ୍ଗେ ନିଭାଇ ଥିବା ମାତିଲ୍ଦାଙ୍କୁ ଏବେ ୨୩ ବର୍ଷ। ସେ ଏବେ ଭାରତ ଆସି ନିଜ ପ୍ରକୃତ ପିତାମାତାଙ୍କୁ ଖୋଜିବାକୁ ସ୍ଥିର କରିଛନ୍ତି। ସେ ଏବଂ ଏସିଟିର ଅରୁଣ ଦୋଲେ ଓ ଅଞ୍ଜଳି ପାଓ୍ଵାର୍ ଏବେ ଭାରତରେ ତାଙ୍କର ପୋଷ୍ୟ ଯାତ୍ରାର ଘଟଣାବଳୀ ଖୋଜି ବାହାର କରିବାକୁ ଉଦ୍ୟମ ଆରମ୍ଭ କରିଛନ୍ତି। ତାଙ୍କର ମୂଳସ୍ଥାନ କେଉଁଠି ଏବଂ ସେ ଅନାଥାଶ୍ରମକୁ କେମିତି ଆସିଲେ?
ଦିଲ୍ଲୀ ରହଣି କାଳରେ ସେ ମନେପକାଉଥିଲେ ଇଣ୍ଡିଆ ଗେଟ୍ର ଜଳଫୁଆରାରେ ଖେଳିବା, ଭେଲ୍ପୁରୀ ଏବଂ ପାନ ଖାଇବା କଥା। ରାସ୍ତା କଡ଼ରେ ଲୋକମାନଙ୍କ ଜୋତା ପଲିସ କରିବା କଥା ମଧ୍ୟ ତାଙ୍କର ଝାପ୍ସା ମନେ ପଡୁଛି। ୧୯୯୯ରେ ତାଙ୍କୁ ମଦନଗିର ଥାନା ଅନାଥାଶ୍ରମକୁ ଆଣିଥିଲେ।
ମାତିଲ୍ଦାଙ୍କ ପୋଷ୍ୟ ଦଲିଲ୍ପତ୍ର ତାଙ୍କର ଅତୀତ ଏବଂ ପ୍ରକୃତ ପିତାମାତାଙ୍କ ବିଷୟରେ କିଛି ଉଲ୍ଲେଖ କରାଯାଇ ନାହିଁ। କେଉଁ ପରିସ୍ଥିତିରେ ସେ ମିଳିଥିଲେ, ତା’ର ମଧ୍ୟ କିଛି ରେକର୍ଡ ନାହିଁ। ପୁଲିସ ପାଖରେ ମଧ୍ୟ ତାଙ୍କର ରେକର୍ଡ ନାହିଁ। ତାଙ୍କୁ କେହି ଛାଡ଼ି ଚାଲି ଯାଇଥିଲେ କି, ସେ ହଜି ଯାଇଥିଲେ, ତାହା ମଧ୍ୟ ଜଣା ନାହିଁ।
ମାତିଲ୍ଦା କହନ୍ତି, ମୋର ମନେ ଅଛି ଯେବେ ଅନାଥାଶ୍ରମର ତତ୍ତ୍ୱାବଧାରକମାନେ କହିଲେ କି, ମୋ ନିଜର ପରିବାରଟିଏ ହେବ। ମୋତେ ପୋଷ୍ୟ କରି ନେବାକୁ ଚାହୁଁଥିବା ପିତାମାତା ବରାବର ମୋ ପାଖକୁ ଉପହାର ପଠାଉଥିଲେ। କିନ୍ତୁ ତିନି ବର୍ଷ ପରେ ମୁଁ ସ୍ୱିଡେନ୍ ଯିବା ପରେ ଘଟଣା ବଦଳି ଗଲା। ମାଆ ବାଇ-ପୋଲାର୍ରେ ଆକ୍ରାନ୍ତ ହୋଇଥିବା କଥା ଡାକ୍ତରୀ ପରୀକ୍ଷାରୁ ଜଣାପଡ଼ିଲା। ସେ ଦୁଇ ଦୁଇ ଥର ଆତ୍ମହତ୍ୟା କରିବାକୁ ଚେଷ୍ଟା କଲେ। ମାଆଙ୍କର ସ୍ୱାସ୍ଥ୍ୟାବସ୍ଥା ଯୋଗୁଁ ବାପା ଉଦାସୀନ ରହିଲେ। ତାଙ୍କର ମଧ୍ୟ ମିଜାଜ୍ ଦୋଷ ଥିଲା। ମୁଁ ସ୍କୁଲ୍ରେ ଭଲ ପଢ଼ିଲି ନାହିଁ। ମୋତେ ଡାଇଲେକ୍ସିଆ ହୋଇଥିବା ଜଣା ପଡ଼ିଲା। ମୁଁ ସଠିକ ଚିକିତ୍ସା ପାଇଲି ନାହିଁ। ସ୍କୁଲ୍ରେ ମଧ୍ୟ ମୋ ରଙ୍ଗକୁ ନେଇ ଥଟ୍ଟା ପରିହାସର ସରବ୍ୟ ହେଲି।
ଘରେ ରାନ୍ଧିବାକୁ କେହି ନ ଥିବାରୁ ସେ ଅଧିକାଂଶ ସମୟ ନୁଡ୍ଲ୍ସ୍ ଖାଇ ବଞ୍ଚୁଥିଲେ। ପିତାମାତା ମଧ୍ୟ ତାଙ୍କୁ ଭଲ ପାଇଲେ ନାହିଁ। ବର୍ଷ ଗଡ଼ି ଚାଲିବା ସହ ସେ ପଢୁଥିବା ସ୍କୁଲ୍ର କର୍ତ୍ତୃପକ୍ଷ ମଧ୍ୟ ଚିନ୍ତିତ ହେଲେ। ଫଳତଃ ସେମାନେ ମାତିଲ୍ଦାଙ୍କୁ ଜଣେ ସମାଜିକକର୍ମୀଙ୍କ ସହ ଭେଟ କରାଇଲେ। ସେ ପ୍ରସ୍ତାବ ଦେଲେ କି, ମାତିଲ୍ଦାଙ୍କୁ ଫୋଷ୍ଟର୍ କେୟାର୍ ହୋମ୍ରେ ରଖାଯାଉ।
ମାତିଲ୍ଦା କହନ୍ତି; ମୁଁ ସେଠାକୁ ଯାଉଥିବା କଥା ବାପାଙ୍କୁ କହିବାରୁ ସେ କିଛି କହିଲେ ନାହିଁ। ଉତ୍ତମ ଫୋଷ୍ଟର୍ କେୟାର୍ଟିଏ ପାଇଥିବାରୁ ମୁଁ ଟିକେ ଶାନ୍ତିରେ ରହି ପାରିଥିଲି।