୧୧ବର୍ଷ ପରେ ଦୁଇଛାତ୍ରଙ୍କ ସାହାଯ୍ୟ ପାଇଁ ଘରକୁ ଯାଇ ପାରିଲେ କଲେଜ ସୁରକ୍ଷାକର୍ମୀ

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ନିକଟରେ ଜଣେ ସୁରକ୍ଷାକର୍ମୀ ଓ କିଛିଛାତ୍ରଙ୍କୁ ନେଇ ଏକ ହୃଦୟସ୍ପର୍ଶୀ ଭିଡିଓ ଭାଇରାଲ ହେଉଛି।

ଭାଇରାଲ ହୋଇଥିବା ଭିଡିଓ ଅନୁଯାୟୀ, ଛାତ୍ରମାନେ କୌଣସି ଏକ କାମ ନେଇ କଲେଜର ସୁରକ୍ଷାକର୍ମୀ ଜେମ୍ସଙ୍କ ପାଖକୁ ଯାଇଥିଲେ। ଜେମ୍ସଙ୍କ ସହିତ କଥା ହେଉହେଉ ଜାଣିବାକୁ ପାଇଲେ କି ସେ ଗତ ୧୧ବର୍ଷ ହେବ ତାଙ୍କ ପରିବାରକୁ ଭେଟି ପାରି ନାହାନ୍ତି। କାରଣ ଯିବା ଆସିବା ପାଇଁ ଟଙ୍କାର ଆବଶ୍ୟକ ହୋଇଥାଏ।  ତେଣୁ ଯିବା ଆସିବା ପାଇଁ ଯେତିକି ଟଙ୍କା ଆବଶ୍ୟକ ତାହାକୁ ସେ ସଞ୍ଚୟ କରି ରଖୁଥିଲେ। ଯାହାକୁ ମାସକୁ ମାସ ତାଙ୍କ ପରିବାର ପାଖକୁ ପଠାଇ ଦେଉଥିଲେ। ପରିବାର ସଦସ୍ୟଙ୍କୁ ଦୀର୍ଘ ବର୍ଷ ହେବ ଦେଖି ପାରୁ ନଥିବାରୁ ଜେମ୍ସଙ୍କ ମନ କଷ୍ଟ ହୁଏ କିନ୍ତୁ ସେ ଏସବୁକୁ ସହିଯିବାକୁ ବାଧ୍ୟ ହୋଇଥାଆନ୍ତି।

‌ଜେମ୍ସଙ୍କ ମୁଖରୁ ଏସବୁ ଶୁଣିବା ପରେ ଛାତ୍ରମାନେ ଏକାଠି କିଛି ଟଙ୍କା ଯୋଗାଡ଼ କରିଥିଲେ। ଏହାପରେ ଜେମ୍ସ ବସବାସ କରୁଥିବା ନାଇଜେରିଆ ପାଇଁ  ବିମାନ ଟିକେଟ ବୁକ କରିଥିଲେ।

 

ଉକ୍ତ ଟିକେଟକୁ ସୁରକ୍ଷାକର୍ମୀ ଜେମ୍ସକୁ ଛାତ୍ରମାନେ ଉପହାର ସ୍ବରୂପ ଆଣି  ଦେଇଥିଲେ। ଛାତ୍ରମାନେ ଚାହିଁଥିଲେ ବସ କି ଟ୍ରେନ ଟିକେଟ ବୁକ କରି ପାରିଥାଆନ୍ତେ କିନ୍ତୁ ସେମିତି କିଛି କରି ନଥିଲେ। କାରଣ ସେମାନେ ଚାହୁଁଥିରେ ସୁରକ୍ଷାକର୍ମୀ ଯଥାଶୀଘ୍ର ଘରକୁ ଯାଇ ତାଙ୍କ ପରିବାରଲୋକଙ୍କୁ ଭେଟନ୍ତୁ।

ଛାତ୍ରମାନଙ୍କ ଏଭଳି ସାହାଯ୍ୟ ପାଇ ଜେମ୍ସ ଭାବବିହ୍ବଳ ହୋଇଯାଇଥିଲେ। ପରିବାର ସଦସ୍ୟଙ୍କୁ ଦୀର୍ଘ ୧୧ବର୍ଷ ପରେ ଭେଟିବ‌ାର ଖୁସିରେ ସେ କାନ୍ଦି ପକାଇଥିଲେ। ଆଉ ଛାତ୍ରମାନଙ୍କୁ କହିଥିଲେ, ‘ତୁମମାନଙ୍କର ଏହି ଉପକାର ମୁଁ କେବେ ସୁଝି ପାରିବି ନାହିଁ। ତୁମମାନଙ୍କର ସୁରକ୍ଷା ପାଇଁ ମୁଁ ସବୁବେଳେ ଅଛି।’

ସମ୍ବନ୍ଧିତ ଖବର