ମଶା ମରା ଔଷଧର ରହିଛି ଶରୀର ଉପରେ ନକାରାତ୍ମକ ପ୍ରଭାବ
ଘରୁ ମଶା ତଡ଼ିବା ପାଇଁ ବ୍ୟବହୃତ ଏକାଧିକ ମଶାମରା ଔଷଧ ସ୍ୱାସ୍ଥ୍ୟ ହାନିକାରକ। ମଶା ମରା କଏଲ୍, ମ୍ୟାଟ୍, ଲୋସନ୍, ଅଏଣ୍ଟ୍ମେଣ୍ଟ ଆଦିରୁ ବାହାରୁଥିବା ଧୂଆଁ ଆମେ ପ୍ରଶ୍ୱାସରେ ଗ୍ରହଣ କରିବା ଦ୍ୱାରା ଶରୀର ଉପରେ ତାହାର ନକାରାତ୍ମକ ପ୍ରଭାବ ପଡ଼େ। ପାଇରେଥ୍ରୀନ୍, ଆଲେଥ୍ରୀନ୍, ରିଜେନ୍ଥ୍ରୀନ୍ ଆଦି ରାସାୟନିକ ଏଗୁଡ଼ିକର ମୁଖ୍ୟ ଉପାଦାନ। ତାହା ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ବିପଦପୂର୍ଣ୍ଣ। ଏ ସବୁ ରାସାୟନିକ ବାଷ୍ପ ଦ୍ୱାରା ମଶା ମରନ୍ତି କିଂବା କିଛି ସମୟ ପାଇଁ ଚେତାଶୂନ୍ୟ ହୋଇପଡ଼ନ୍ତି। ବାଷ୍ପର ତୀବ୍ରତା କମିଗଲେ ମଶାଗୁଡ଼ିକ ପୁଣି ଥରେ ଉଡ଼ିବୁଲନ୍ତି। କିନ୍ତୁ, ମଣିଷ ଉପରେ ଏହି ଧୂଆଁର ଦୀର୍ଘକାଳୀନ କୁପ୍ରଭାବ ପଡ଼େ। ସାଂଘାତିକ ପାର୍ଶ୍ୱ ପ୍ରତିକ୍ରିୟା ଅନୁଭୂତ ହୁଏ।
Sambad is now on WhatsApp
Join and get latest news updates delivered to you via WhatsApp
ମୁଣ୍ଡବ୍ୟଥା, ଗଣ୍ଠି ଦରଜ, ଆଲର୍ଜି, କାଶ, ଚକ୍ଷୁ ପ୍ରଦାହ, ଶ୍ୱାସ, ବ୍ରୋଙ୍କାଇଟିସ୍ ଭଳି ଗୁରୁତର ସ୍ୱାସ୍ଥ୍ୟ ସମସ୍ୟା ଉପୁଜେ। ଏ ସବୁର ବ୍ୟବହାର ଠାରୁ ଦୂରେଇ ରହିବା ଉଚିତ। ନଡ଼ିଆ କତା ଧୂଆଁ, ଶାଳ ଝୁଣା ଧୂଆଁ, ମହୁଲ ଓ ବେଗୁନିଆ ପତ୍ର ଧୂଆଁ ରାସାୟନିକ ମଶା ବିତାଡ଼କର ଉତ୍ତମ ବିକଳ୍ପ। ନିମ୍ବ ତେଲ, ଲେମ୍ବୁ ତେଲ, ଧନ୍ଵନ୍ତରୀ ତେଲରେ ବତି ଜାଳିବା ଦ୍ୱାରା ମଶା ଆସନ୍ତି ନାହିଁ। ଏହା ଛଡ଼ା ଘର ଚାରି ପଟେ ତୁଳସୀ, ପୁଦିନା, ଗେଣ୍ଡୁ ଗଛ ଲଗାନ୍ତୁ। ବାରଣ୍ଡାରେ ରସୁଣ ଖଣ୍ଡ ପକାଇବା ଦ୍ୱାରା ମଧ୍ୟ ମଶା ଦୌରାତ୍ମ୍ୟରୁ ରକ୍ଷା ମିଳିପାରିବ।
-ଡା. ବିପିନ ବିହାରୀ ମହାନ୍ତି
ଫୋନ୍: ୦୬୭୪-୨୩୫୦୪୫୫