ଆଇନ ଛାତ୍ର ତିଆରି କରୁଛନ୍ତି ବିଭିନ୍ନ ପ୍ରକାର ଡ୍ରୋନ; ଏପିଜେ ଅବଦୁଲ କଲାମ ବି କରିଥିଲେ ପ୍ରଶଂସା

ଲକ୍ଷ୍ମୌ: ଉତ୍ତରପ୍ରଦେଶର ଲକ୍ଷ୍ମୌରେ ରହୁଥିବା ୨୯ ବର୍ଷିୟ ମିଲିନ୍ଦ ରାଜଙ୍କୁ ଅନେକ ‘ଡ୍ରୋନ୍ ମ୍ୟାନ୍ ଅଫ୍ ଇଣ୍ଡିଆ’ ଭାବରେ ମଧ୍ୟ ଜାଣିଛନ୍ତି। ମିଲିନ୍ଦଙ୍କୁ ଏହି ନାମ ଭାରତର ପୂର୍ବତନ ରାଷ୍ଟ୍ରପତି ତଥା ବୈଜ୍ଞାନିକ ଡକ୍ଟର ଏପିଜେ ଅବଦୁଲ କଲାମ ଦେଇଥିଲେ। ୨୦୧୪ମସିହାରେ ଡକ୍ଟର କଲାମ  ମିଲିନ୍ଦଙ୍କ ଡ୍ରୋନ୍ ନିର୍ମାଣ ଦେଖି ବହୁ ପ୍ରଭାବିତ ହୋଇଥିଲେ।

ମିଲିନ୍ଦ ଗତ କିଛି ବର୍ଷ ମଧ୍ୟରେ କ୍ରମାଗତ ଭାବରେ ବିଭିନ୍ନ ପ୍ରକାରର ଡ୍ରୋନ୍ ଏବଂ ରୋବଟ୍ ପ୍ରସ୍ତୁତ କରି ଆସୁଛନ୍ତି । ମିଲିନ୍ଦଙ୍କ ଡ୍ରୋନ୍ ଏବଂ ରୋବଟର ଚାହିଦା ମଧ୍ୟ ରହିଛି । ମିଲିନ୍ଦଙ୍କ ବିଶ୍ବାସ ଯଦି ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ସଠିକ୍ ସ୍ଥାନରେ ଏବଂ ସଠିକ୍ ଉପାୟରେ ବ୍ୟବହୃତ ହୁଏ, ତେବେ ଏହା ଆମ ସମସ୍ତଙ୍କ ପାଇଁ ଏକ ସହାୟକ ହୋଇପାରିବ । ଏହା ମିଲିନ୍ଦ ମଧ୍ୟ ଅନେକ ଥର ପ୍ରମାଣ କରି ଦେଖାଇଛନ୍ତି।

ସେ ଥରେ ଡ୍ରୋନ୍ ସାହାଯ୍ୟରେ ଏକ ଅପରିଷ୍କାର ନାଳରେ ଫସି ରହିଥିବା କୁକୁରକୁ ଉଦ୍ଧାର କରିଥିଲେ। ଏଥିସହିତ, କରୋନା ମହାମାରୀ ସମୟରେ ସେ ଅନେକ ‘ସାନିଟାଇଜେସନ୍ ଡ୍ରୋନ୍’ ସୃଷ୍ଟି ମଧ୍ୟ କରିଥିଲେ ।

ମିଲିନ୍ଦ କହିଛନ୍ତି ଯେ ସେ ପିଲାଦିନରୁ ଟେକ୍ନୋଲୋଜିକୁ ଭଲ ପାଆନ୍ତି। ପିଲାଦିନେ ସେ ଯେଉଁ ବି ଖେଳନା ଖେଳନ୍ତି ତାହାର ସମସ୍ତ ପାର୍ଟକୁ ଖୋଲି ଅଲଗା କରି ଦେଇଥାଆନ୍ତି। ଆଉ ସେଗୁଡ଼ିକୁ ମିଶାଇ କିଛି ନୂଆ କରିବାକୁ ଚେଷ୍ଟା କରିଥାଆନ୍ତି।

ମିଲିନ୍ଦ କହନ୍ତି, “ମୁଁ ପରିଚାଳନା ବିଜ୍ଞାନ ଏବଂ ଆଇନ ଅଧ୍ୟୟନ କରିଛି। ଏଥିସହିତ ଡ୍ରୋନ୍ ଏବଂ ରୋବଟ୍ ଉପରେ ମଧ୍ୟ କାମ କରୁଥଲି। ୨୦୧୫ ରେ ମୋର ଡିଗ୍ରି ସମାପ୍ତ ହୋଇଥିଲା କିନ୍ତୁ ଏହାର ଗୋଟିଏ ବର୍ଷ ପୂର୍ବରୁ ମୁଁ କଲାମ ସାରଙ୍କୁ ଭେଟିଥିଲି । ସେ ମୋର ଡ୍ରୋନ୍ ଦେଖି ଲଞ୍ଚ କରିଥିଲେ । ଏହି ସମୟରେ ସେ ମୋତେ ‘ଡ୍ରୋନ୍ ମ୍ୟାନ୍ ଅଫ୍ ଇଣ୍ଡିଆ’ ନାମ ଦେଇଥିଲେ। କେବଳ ଏହି ନାମ ନୁହେଁ, ମୋ ଜୀବନର ଉଦ୍ଦେଶ୍ୟ ମଧ୍ୟ ମୁଁ କଲାମ ସାରଙ୍କଠାରୁ ପାଇଥିଲି । ସେ ମୋତେ କହିଥିଲେ ଯେ ଯଦି ତୁମର ଚିନ୍ତାଧାରା ଆଗାମୀ ୧୦-୨୦ ବର୍ଷ ପାଇଁ, ତେବେ ଶିକ୍ଷା ଉପରେ କାମ କର । ଯାହା ତୁମକୁ ଆସୁଛି ପିଲାମାନଙ୍କୁ ଶିକ୍ଷା ଦିଅ। ଯଦ୍ବାରା ସେମାନେ ଭବିଷ୍ୟତରେ ଏକ ସକାରାତ୍ମକ ପରିବର୍ତ୍ତନ ଭାବରେ ଉଭା ହେବେ।

ତେଣୁ ପାଠପଢ଼ା ପରେ  ମିଲିନ୍ଦ ଚାକିରି ନ କରି ନିଜର କମ୍ପାନି ରୋବୋଟିକ୍ସ କ୍ଲବ – ରୋବୋ ୱାର୍ଲ୍ଡ ଆରମ୍ଭ କରିଥିଲେ। ସେ କହନ୍ତି, ମୋର ଉଦ୍ଭାବନ ପାଇଁ ମୁଁ ଉତ୍ତରପ୍ରଦେଶ ସରକାରଙ୍କଠାରୁ ପାଞ୍ଚ ଲକ୍ଷ ଟଙ୍କା ପୁରସ୍କାର ପାଇଛି। ଏହି ପୁରସ୍କାର ରାଶିରେ ମୁଁ ମୋର କମ୍ପାନି ଆରମ୍ଭ କରିଥିଲି| ଆଜି ମୋ କମ୍ପାନି ମାଧ୍ୟମରେ ମୁଁ ବିଭିନ୍ନ ପ୍ରକାରର ଡ୍ରୋନ୍ ଏବଂ ରୋବଟ୍ ତିଆରି କରୁଛି । ଭାରତ ସହିତ ବିଦେଶୀ କମ୍ପାନିରେ ମଧ୍ୟ ପହଞ୍ଚି ପାରିଛି।

ସମ୍ବନ୍ଧିତ ଖବର