ବିଶ୍ୱ ସୁନ୍ଦରୀଙ୍କ ନାପକିନ୍‌ ବ୍ୟବହାର ସଂପର୍କିତ ସଚେତନତାମୂଳକ କାର୍ଯ୍ୟକ୍ରମକୁ ସମର୍ଥନ କଲେ ହରିଆଣା ସରକାର

ଚଣ୍ଡୀଗଡ଼: ଅନ୍ତର୍ଜାତୀୟ ଗୀତା ମହୋତ୍ସବ କାର୍ଯ୍ୟକ୍ରମରେ ଗୁରୁବାର ହରିଆଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର ମହିଳାମାନଙ୍କ ନିମନ୍ତେ ଏକ ନୂତନ ଘୋଷଣା ଆରମ୍ଭ କରିଛନ୍ତି। ‘ଆଜିଠାରୁ ରାଜ୍ୟର ସ୍କୁଲ୍‌ ଝିଅଙ୍କ ପାଇଁ ଆମେ ମାଗଣା ସାନିଟାରି ନାପ୍‌କିନ୍‌ ଯୋଗାଇ ଦେବୁ। ଏହି ପ୍ରକଳ୍ପ ପାଇଁ ୧୮ କୋଟି ନିୟୋଜିତ ହୋଇଛି।’ ବୋଲି ଶ୍ରୀ ଖଟ୍ଟର ନିଜ ଅଭିଭାଷଣରେ କହିଛନ୍ତି। ୨୦୧୭ ମସିହାର ବିଶ୍ୱ ସୁନ୍ଦରୀ ମୁକୁଟ ଜିତିଥିବା ହରିଆଣା ଝିଅ ମାନୁଷୀ ଚିଲର ମହିଳାଙ୍କୁ ସଚେତନତା ବାର୍ତ୍ତା ପ୍ରଦାନ କରିବା ପାଇଁ ‘ଶକ୍ତି’ ନାମରେ ଆରମ୍ଭ କରିଥିବା ଏହି ପ୍ରକଳ୍ପକୁ ସରକାର ପ୍ରୋତ୍ସାହନ ଦେଇଛନ୍ତି। ଉତ୍ସବରେ ବିଶ୍ୱ ସୁନ୍ଦରୀଙ୍କ ଉପସ୍ଥିତରେ ହରିଆଣା ମୁଖ୍ୟମନ୍ତ୍ରୀ ଏହି ପ୍ରକଳ୍ପକୁ ପୂର୍ଣ୍ଣ ସହାୟତା କରିବେ ବୋଲି ଘୋଷଣା କରିଛନ୍ତି।

ମୁଖ୍ୟମନ୍ତ୍ରୀ ଖଟ୍ଟର ଆହୁରି ବି କହିଛନ୍ତି ଯେ ସେ ଖୁବ୍‌ ଶୀଘ୍ର ରାଜ୍ୟର ଝିଅମାନଙ୍କ ମଧ୍ୟରେ ଥିବା ଏନେମିଆ ରୋଗର ନିରାକରଣ ପାଇଁ ମଧ୍ୟ ଏକ କାର୍ଯ୍ୟକ୍ରମର ଆୟୋଜନ କରିବେ। ସେଥିରେ ବିଶ୍ୱ ସୁନ୍ଦରୀ ମାନୁଷୀ ରହିବେ ବ୍ରାଣ୍ଡ ଆମ୍ବାସଡର।

ନଭେମ୍ବର, ୨୦୧୭ରେ ବିଶ୍ୱ ସୁନ୍ଦରୀ ମୁକୁଟ ଜିତିଥିବା ମାନୁଷୀ କହିଛନ୍ତି, ‘ଧନ୍ୟବାଦ ସାର୍‌। ମୋ ରାଜ୍ୟ ଓ ଦେଶ ପାଇଁ କିଛି କରିବାର ସୁଯୋଗ ଦେଇଥିବାରୁ ଧନ୍ୟବାଦ। ‘ଏନେମିଆ ଫ୍ରି ଅରିଆଣା’ କାର୍ଯ୍ୟକ୍ରମର ବ୍ରାଣ୍ଡ୍‌ ଆମ୍ବାସଡର ହେବା କଥା ଶୁଣି ମୁଁ ଅତ୍ୟନ୍ତ ରୋମାଞ୍ଚିତ ଅନୁଭବ କରୁଛି।’

ନିଜର ପ୍ରକଳ୍ପ ‘ଶକ୍ତି’ ଜରିଆରେ ମାନୁଷୀ ମହିଳାମାନଙ୍କୁ ମାସିକ ଧର୍ମ ସ୍ୱଚ୍ଛତା ସଂପର୍କରେ ବାର୍ତ୍ତା ଦେବା ପାଇଁ ଚିନ୍ତା କରି ଏବେ ସୁଦ୍ଧା ଦେଶର ୨୦ଟି ଗ୍ରାମରେ ସଚେତନତା ବାର୍ତ୍ତା ଦେଇସାରିଲେଣି। ନାପ୍‌କିନ୍‌ ବ୍ୟବହାର କରିବାର ସୁଫଳ ସଂପର୍କରେ ସେ ମହିଳାମାନଙ୍କୁ ଏହି କାର୍ଯ୍ୟକ୍ରମ ଜରିଆରେ ଜଣାଉଛନ୍ତି।

ସମ୍ବନ୍ଧିତ ଖବର