ଫୁସଫୁସ ଉପରେ କେତେ ପ୍ରଭାବ ପକାଉଛି ଓମିକ୍ରନ୍? ଜାଣନ୍ତୁ

ନୂଆଦିଲ୍ଲୀ: କରୋନାର ନୂଆ ପ୍ରଜାତି ଓମିକ୍ରନ କେତେ ଘାତକ ହେବ ତାକୁ ନେଇ ଆଶା ଆଶଙ୍କା ଲାଗି ରହିଥିବା ବେଳେ ନୂଆ ତଥ୍ୟ ସାମ୍ନାକୁ ଆସିଛି । ବର୍ଲିନ ଇନଷ୍ଟିଚ୍ୟୁଟ ଅଫ୍ ହେଲଥ ଓ ହଂକଂ ବିଶ୍ୱବିଦ୍ୟାଳୟର ଗବେଷଣାରୁ ଜଣାପଡିଛି ଯେ, ଡେଲଟା ଭୂତାଣୁ ଯୋଗୁଁ ଫୁସଫୁସ ଯେତିକି ସଂକ୍ରମିତ ହେଉଥିଲା, ଓମିକ୍ରନ ତା’ଠାରୁ କମ ପ୍ରଭାବିତ କରୁଛି । ତେବେ କମ ସଂଖ୍ୟକ ଓମିକ୍ରନ ଆକ୍ରାନ୍ତ ଆଇସିୟୁରେ ଚିକିତ୍ସିତ ହେଉଥିବା ବେଳେ ଓମିକ୍ରନ ଆକ୍ରାନ୍ତ ହୋଇ କମ ଲୋକେ ଗୁରୁତର ହେଉଛନ୍ତି ।

ବର୍ଲିନ ଇନଷ୍ଟିଚ୍ୟୁଟ ଅଫ୍ ହେଲଥରେ ମୂଷାକୁ ନେଇ ଏହି ଗବେଷଣା କରାଯାଇଥିଲା । ଓମିକ୍ରନ ଭୂତାଣୁରେ ସଂକ୍ରମିତ ମୂଷାଙ୍କ ନାକ, ଗଳା, ଓ ଶ୍ୱାସନଳୀ ପରୀକ୍ଷା କରାଯାଇଥିଲା । ତେବେ ଡେଲଟା ଯେତିକି ଗୁରୁତର କରିଥିଲା, ତା’ଠାରୁ ଯଥେଷ୍ଟ କମ୍ ପ୍ରଭାବ ପକାଇଥିଲା ଓମିକ୍ରନ । ସେହିପରି ହଂକଂ ବିଶ୍ୱବିଦ୍ୟାଳୟର ଗବେଷକମାନେ କହିଛନ୍ତି, ଓମିକ୍ରନ ଅଧିକ ସଂକ୍ରାମକ କିନ୍ତୁ ଡେଲଟା ଓ କରୋନାର ଅନ୍ୟ ପ୍ରଜାତି ଅପେକ୍ଷା କମ୍ ପ୍ରଭାବ ପକାଉଛି । ଡେଲଟା ଭୂତାଣୁର ୧୦ ଭାଗେରୁ ୧ ଭାଗ ବା ତା’ଠାରୁ କମ ପ୍ରଭାବ ପକାଉଛି ଓମିକ୍ରନ ।

ଅନ୍ୟପଟେ ଦକ୍ଷିଣ ଆଫ୍ରିକାର ଏକ ଗବେଷଣାରୁ ଜଣାପଡିଛି, ଓମିକ୍ରନ ଆକ୍ରାନ୍ତ ହୋଇଥିବା ଗୁରୁତର ରୋଗୀଙ୍କ ସଂଖ୍ୟା କମ୍ ।  ଫୁସଫୁସ ଅଧିକ ପ୍ରଭାବିତ ହେଉନଥିବାରୁ ଅକ୍ସିଜେନ୍ ସ୍ତର ହ୍ରାସ ପାଉନାହିଁ । ସେହିପରି ଅନ୍ୟ ଏକ ଗବେଷଣା କହୁଛି, ଦୁଇ ଡୋଜ୍ ଟିକା ନେଇଥିବା ବ୍ୟକ୍ତିଙ୍କ ସୁରକ୍ଷା ବଳୟକୁ ଓମିକ୍ରନ ଭେଦ କରିପାରୁଥିଲେ ବି ଏହାର ପ୍ରଭାବ ହ୍ରାସ ପାଉଛି ।

ସମ୍ବନ୍ଧିତ ଖବର