ଶିଖ୍ ମହିଳାଙ୍କ କାମକୁ ନେଇ ପ୍ରଶଂସା: କୋମାରେ ପଡ଼ିଥିବା ଭଉଣୀକୁ ଦେଖିବାକୁ ନ ଆସି ଅଷ୍ଟ୍ରେଲିଆରେ ବାସହରା ଲୋକଙ୍କୁ ଖାଇବା ଯୋଗାଇଲେ

ନୂଆଦିଲ୍ଲୀ: ଚର୍ଚ୍ଚାରେ ଶିଖ୍ ମହିଳା। ବାସହରା ହୋଇ ପଡ଼ିଥିବା ଲୋକମାନଙ୍କ ପାଇଁ ଖାଇବା ପ୍ରସ୍ତୁତ କରି ସେମାନଙ୍କୁ ମହିଳାଜଣଙ୍କ ଯେଉଁ ସାହାଯ୍ୟ କରିଛନ୍ତି, ତାହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ମହିଳାଙ୍କ ନାଁ ଶୁଖବିନ୍ଦର କୌର ବୋଲି ଜଣା ପଡ଼ିଥିବା ବେଳେ ତାଙ୍କ ଭଉଣୀ କୋମାକୁ ଚାଲିଯିବା ଖବର ପାଇ ସେ ୧୦ବର୍ଷ ପରେ ଭାରତ ଫେରିବାକୁ ଯୋଜନା କରିଥିଲେ। ହେଲେ ସେହି ସମୟରେ ଅଷ୍ଟ୍ରେଲିଆ ଜଙ୍ଗଲରେ ଲାଗିଥିବା ନିଆଁ ପାଇଁ ବାସହରା ହୋଇ ପଡ଼ିଥିବା ଲୋକଙ୍କ ଦୁଃଖ ଦେଖି ସେ ଭାରତ ଆସିବା ଯୋଜନାକୁ ବଦଳାଇ ଥିଲେ। ଭାରତ ଆସିବା ପରିବର୍ତ୍ତେ ସେ ସେଠାରେ ରହି ପ୍ରତିଦିନ ପ୍ରାୟ ୧,୦୦୦ଜଣ ଲୋକଙ୍କ ପାଇଁ ଖାଇବା ପ୍ରସ୍ତୁତ କରୁଥିବା ଜଣା ପଡ଼ିଛି।

ମେଲବର୍ଣ୍ଣରେ ରହୁଥିବା ଶୁଖବିନ୍ଦରଙ୍କ କହିବା ମୁତାବକ, ଅନେକ ବର୍ଷ ହେଲାଣି ମୁଁ ମେଲବର୍ଣ୍ଣରେ ଆସି ରହୁଛି। କିଛି ଦିନ ତଳେ ମୋ ଭଉଣୀ କୋମାକୁ ଚାଲି ଯାଇଥିବା ଖବର ପାଇ ମୁଁ ଭାରତ ଯିବି ବୋଲି ଯୋଜନା କରିଥିଲି। କିନ୍ତୁ ପରେ ଏଠାରେ ଜଙ୍ଗଲରେ ନିଆଁ ଲାଗି ଅନେକ ବନ୍ୟଜନ୍ତୁ ମୃତ୍ୟୁବରଣ କରିବା ସହ ଅନେକ ଲୋକ ବାସହରା ହୋଇଗଲେ। ରହୁଥିବା ଦେଶର ଏଭଳି ପରିସ୍ଥିତି ଦେଖି ମୁଁ ପ୍ରଥମେ ଅସୁବିଧାରେ ପଡ଼ିଥିବା ଲୋକଙ୍କୁ ସାହାଯ୍ୟ କରିବାକୁ ମନସ୍ଥ କଲି।

ଏହା ପାଇଁ ଭାରତ ଯିବାର ଯୋଜନକୁ ବାତିଲ କରି ଖାଇବାକୁ ମିଳୁ ନଥିବା ଲୋକଙ୍କୁ ଖାଦ୍ୟ ପ୍ରସ୍ତୁତ କରି ଖାଇବାକୁ ଦେବା ଆରମ୍ଭ କରିଛି। ଏହି ଦେଶରେ ମୁଁ ରହିଛି ଏବଂ ଏଠି ରହୁଥିବା ଲୋକଙ୍କ ପ୍ରତି ମୋର କିଛି କର୍ତ୍ତବ୍ୟ ମଧ୍ୟ ରହିଛି। ଏଠି ରହୁଥିବା ଲୋକ ମୋ ପରିବାରର ସଦସ୍ୟ ଭଳି। ମୋ ପରିବାର ଏତେ ବଡ଼ ସମସ୍ୟା ଦେଇ ଗତି କରୁଥିବା ବେଳେ ମୁଁ କେମିତି ଏକା ଛାଡ଼ି ଯାଇ ପାରିଥାନ୍ତି। ଯାହା ପରେ ପରିସ୍ଥିତିକୁ ଦେଖି ଏକ ଫୁଡ୍ ଭ୍ୟାନ ଜରିଆରେ ମୁଁ ଏବଂ ମୋର ସହଯୋଗୀ ଖାଇବା ପ୍ରସ୍ତୁତ କରି ଲୋକଙ୍କୁ ଖାଇବାକୁ ଦେବା ଆରମ୍ଭ କରିଛୁ।

ସମ୍ବନ୍ଧିତ ଖବର