ଶାକାହାରୀ କୁମ୍ଭୀର! ଭକ୍ତମାନଙ୍କ ହାତରୁ ପ୍ରସାଦ ଖାଇ ବଞ୍ଚିଛି କୁମ୍ଭୀର

କେରଳର କାସରଗଡ଼ ଜିଲ୍ଲା ଅନ୍ତର୍ଗତ ଅନନ୍ତପୁରା ଗାଁରେ ଥିବା ପ୍ରାଚୀନ ବିଷ୍ଣୁ ମନ୍ଦିରର ଖ୍ୟାତି ସୁଦୂରପ୍ରସାରୀ। ମନ୍ଦିରଟି ଗୋଟିଏ ବୃହତ୍‌ ହ୍ରଦ ମଧ୍ୟରେ ଅବସ୍ଥିତ। ବର୍ଷର ପ୍ରାୟ ସବୁ ସମୟରେ ଶ୍ରଦ୍ଧାଳୁ ଓ ପର୍ଯ୍ୟଟକଙ୍କୁ ଏହି ମନ୍ଦିର ଆକୃଷ୍ଟ କରିଥାଏ। ଆକର୍ଷଣର କେନ୍ଦ୍ରରେ ଥାଏ ହ୍ରଦରେ ବାସ କରୁଥିବା ଏକ ବିଶାଳକାୟ କୁମ୍ଭୀର। ଏହା ‘ବାବିୟା’ ନାମରେ ପରିଚିତ। ଭକ୍ତ ଓ ଶ୍ରଦ୍ଧାଳୁଙ୍କ ବିଶ୍ବାସ କୁମ୍ଭୀରଟି ଅନନ୍ତପୁରା ମନ୍ଦିରର ରକ୍ଷକ। ଉଲ୍ଲେଖନୀୟ କଥା ହେଉଛି ବାବିୟା ସ˚ପୂର୍ଣ୍ଣ ଶାକାହାରୀ। ଏହି ହ୍ରଦରେ ପ୍ରତିଦିନ ଶତାଧିକ ଶ୍ରଦ୍ଧାଳୁ ସ୍ନାନ କରନ୍ତି। କିନ୍ତୁ କୁମ୍ଭୀରଟି କାହାକୁ ଆକ୍ରମଣ କରିଥିବା ଜଣାଯାଏ ନାହିଁ। ଗଲା ସତୁରି ବର୍ଷ ହେଲା କୁମ୍ଭୀରଟି ହ୍ରଦରେ ବାସ କରୁଥିବା ଅନୁମାନ କରାଯାଏ।

Indiatimes.com

କୁମ୍ଭୀରକୁ ନେଇ ଏକାଧିକ ଜନଶ୍ରୁତି ମଧ୍ୟ ପ୍ରଚଳିତ। ଏକଦା ଜଣେ ବ୍ରିଟିଶ ସୈନ୍ୟ କୁମ୍ଭୀରଟିକୁ ଗୁଳି କରି ହତ୍ୟା କରିଥିଲେ। ପର ଦିନ ସୈନ୍ୟଜଣକ ସର୍ପାଘାତରେ ପ୍ରାଣ ହରାଇଥିଲା ଏବ˚ ମୃତ କୁମ୍ଭୀର ସ୍ଥାନରେ ଆଉ ଗୋଟିଏ କୁମ୍ଭୀରକୁ ଶ୍ରଦ୍ଧାଳୁମାନେ ଠାବ କରିଥିଲେ, ଯାହା ସମସ୍ତଙ୍କୁ ବିସ୍ମିତ କରିଥିଲା। କେହି କେହି କୁମ୍ଭୀରକୁ ବିଷ୍ଣୁଙ୍କ ଅବତାର ଭାବନ୍ତି। କୁମ୍ଭୀରର ଏକମାତ୍ର ଆହାର ମନ୍ଦିରର ପ୍ରସାଦ। ପୂଜା ସରିବା ପରେ ଭକ୍ତମାନେ ନିଜ ହାତରେ କୁମ୍ଭୀରକୁ ପ୍ରସାଦ ଖୁଆଇଦିଅନ୍ତି। ତେବେ, ପ୍ରତିଦିନ ଏହି କୁମ୍ଭୀରକୁ ଦେଖିବାକୁ ମିଳେ ନାହିଁ। କୁମ୍ଭୀରର ଦର୍ଶନ ପାଉଥିବା ଶ୍ରଦ୍ଧାଳୁ ନିଜକୁ ଭାଗ୍ୟବାନ୍‌ ମନେ କରନ୍ତି।

ସମ୍ବନ୍ଧିତ ଖବର