ଆକ୍ବିବଙ୍କ ସଙ୍ଗିନ ଆରୋପ, ଭାରତ ମ୍ୟାଚ୍ ଫିକ୍ସିଂ ମାଫିଆଙ୍କ ଗଡ଼

ଲାହୋର: ପାକିସ୍ତାନର ପୂର୍ବତନ ଦ୍ରୁତ ବୋଲର ଆକ୍ବିବ ଜା‌ଭେଦ ଗୁରୁବାର ଭାରତ ବିପକ୍ଷରେ ଗୁରୁତର ଅଭିଯୋଗ ଆଣିଛନ୍ତି। ଭାରତକୁ ସେ ମ୍ୟାଚ୍ ଫିକ୍ସିଂର ଗଡ଼ ଭାବେ ବର୍ଣ୍ଣନ‌ା କରିଛନ୍ତି। ”ଆଇପିଏଲକୁ ନେଇ ଅନେକ ପ୍ରଶ୍ନ ଉଠେ, ମୁଁ ଭାବୁଛି ଭାରତ ହିଁ ମ୍ୟାଚ୍ ଫିକ୍ସିଂ ମାଫିଆଙ୍କ ଗଡ଼” ବୋଲି ୧୯୯୦ ମସିହାରେ ପାକିସ୍ତାନ କ୍ରିକେଟ୍‌ରେ ଚାଲିଥିବା ଦୁର୍ନୀତିର ପର୍ଦାଫାସ କରିଥିବା ଆକ୍ବିବ ଏକ ଟେଲିଭିଜନ୍ ଚ୍ୟାନେଲକୁ ଦେଇଥିବା ସାକ୍ଷାତକାର ଅବସରରେ କହିଛନ୍ତି। ନିଜ ଖେଳ ଜୀବନ ବିଷୟରେ ତଥ୍ୟ ଦେବାକୁ ଯାଇ ସେ କହିଛନ୍ତି ଯେ ମ୍ୟାଚ୍ ଫିକ୍ସିଂ କେଳେଙ୍କାରୀକୁ ଉଜାଗର କରିଥିବାରୁ ମୋ ଖେଳ ଜୀବନ ଆଗକୁ ବଢ଼ି ପାରି ନଥିଲା।

ଏହା ଅକାଳରେ ଶେଷ ହୋଇ ଯାଇଥିଲା। ସେମାନେ ମୋତେ ଟିକ୍‌ଟିକ୍ କରି କାଟିଦେବେ ବୋଲି ଧମକ ଦେଇଥିଲେ। ଯଦି ଆପଣ ମ୍ୟାଚ୍ ଫିକ୍ସିଂକୁ ବିରୋଧ କରିବେ, ତାହାଲେ ଅଧିକ ଦିନ ତିଷ୍ଠି ରହି ପାରିବେ ନାହିଁ। ସେଥିପାଇଁ ହିଁ ମୁଁ ପାକିସ୍ତାନର ମୁ୍‌ଖ୍ୟ ପ୍ରଶିକ୍ଷକ ହୋଇ ପାରିଲି ନାହିଁ। ମ୍ୟାଚ୍ ଫିକ୍ସିଂରେ ଦୋଷୀ ସାବ୍ୟସ୍ତ ହୋଇ ଦଣ୍ଡ ଭୋଗିବା ପରେ ମଧ୍ୟ ଦ୍ରୁତ ବୋଲର ମହମ୍ମଦ ଆମିରଙ୍କୁ ପୁଣି ଥରେ ଅନ୍ତର୍ଜାତୀୟ କ୍ରିକେଟ୍‌କୁ ଫେରାଇ ଆଣିଥିବାରୁ ପାକିସ୍ତାନ କ୍ରିକେଟ୍ ବୋର୍ଡକୁ ସେ ଏହି ଅବସରରେ ତୀବ୍ର ସମାଲୋଚନା କରିଥିଲେ। ଏହି ଘଟଣା ମ୍ୟାଚ୍ ଫିକ୍ସିଂକୁ ଆହୁରି ଉତ୍ସାହିତ କରିବ ବୋଲି ଆକ୍ବିବ ଚେତାବନୀ ଦେଇଥିଲେ। ” ଫିକ୍ସିଂର ଚେର ବହୁତ ଲମ୍ବା। ଆପଣ ଥରେ ସେ ଖାଇ ଭିତରକୁ ପଶିଗଲେ ଆଉ ବାହାରି ପାରିବେନି। ଅନେକ କ୍ରିକେଟର୍‌ ଫିକ୍ସିଂ ପାଇଁ ଦଣ୍ଡିତ ‌ହୋଇଛନ୍ତି। ହେଲେ ଏହାକୁ ଚଳାଉଥିବା ମାଫିଆ କେବେ ବି ଧରା ପଡ଼ି ନାହାନ୍ତି। ଏହି ଘୃଣ୍ୟକାମକୁ ରୋକିବାକୁ ‌ହେଲେ ଆମକୁ ଉଭୟଙ୍କୁ ଦଣ୍ଡ ଦେବାକୁ ହେବ। ଆଜୀବନ ବାସନ୍ଦାଦେଶ ସହ କଠୋର ଦଣ୍ଡ ହିଁ ଫିକ୍ସିଂକୁ ରୋକି ପାରିବ” ବୋଲି ଆକ୍ବିବ କହିଥିଲେ।

ସମ୍ବନ୍ଧିତ ଖବର