ଚହର ଚମକ: ପଞ୍ଜାବକୁ ହରାଇଲା ଚେନ୍ନାଇ

ମୁମ୍ବାଇ : ଦୀପକ ଚହରଙ୍କ ଘାତକ ବୋଲିଂ ବଳରେ ଚେନ୍ନାଇ ସୁପର୍‌ କିଙ୍ଗ୍ସ ପଏଣ୍ଟ ଖାତା ଖୋଲିଛି। ଶୁକ୍ରବାର ଖେଳାଯାଇଥିବା ଆଇପିଏଲ୍‌ର ଅଷ୍ଟମ ମ୍ୟାଚ୍‌ରେ ଚେନ୍ନାଇ ସୁପର୍‌ କିଙ୍ଗ୍ସ ୬ ୱିକେଟ୍‌ରେ ପଞ୍ଜାବ କିଙ୍ଗ୍ସକୁ ହରାଇ ପ୍ରଥମ ବିଜୟ ହାସଲ କରିଛି। ବ୍ୟାଟିଂ ଶକ୍ତିସମ୍ପନ୍ନ ପଞ୍ଜାବ ମାତ୍ର ୧୦୬ ରନ୍‌ର ସାଧାରଣ ସ୍କୋର କରିଥିଲା। ଜବାବ‌ରେ ମୋଇନ୍ ଅଲୀ (୪୬ ରନ୍‌, ୩୧ ବଲ୍) ଏବଂ ଫାପ୍ ଡୁ ପ୍ଲେସିସ୍‌ (୩୬*, ୩୩ ବଲ୍)ଙ୍କ ସହାୟତାରେ ଚେନ୍ନାଇ ସୁପର୍‌ କିଙ୍ଗ୍ସ ସହଜ ବିଜୟ ହାସଲ କରିନେଇଥିଲା। ୧୫.୪ ଓଭରରେ ମହେନ୍ଦ୍ର ସିଂହ ଧୋନିଙ୍କ ଦଳ ୪ ୱିକେଟ୍ ହରାଇ ୧୦୭ ରନ୍‌ ସଂଗ୍ରହ କରି ନେଇଥିଲା। ଦ୍ବିତୀୟ ମ୍ୟାଚ୍‌ରୁ ପ୍ରଥମ ବିଜୟ ସହ ଚେନ୍ନାଇ ଅଷ୍ଟମ ସ୍ଥାନରୁ ଏକାଥରକେ ଦ୍ବିତୀୟ ସ୍ଥାନକୁ ଉଠିଥିବା ବେଳେ ବଡ଼ ପରାଜୟ ବରଣ କରିବାରୁ ପଞ୍ଜାବ ତୃତୀୟରୁ ସପ୍ତମ ସ୍ଥାନକୁ ଖସିଯାଇଛି। ପ୍ରଶଂସନୀୟ ବୋଲିଂ କରିଥିବା ଦୀପକ ଚହର ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ।

ୱାଙ୍ଖ୍‌ଡେ ଷ୍ଟାଡିୟମ୍‌ରେ ଟସ୍‌ ଜିତି ମହେନ୍ଦ୍ର ସିଂହ‌ ଧୋନି ସ୍ବାଭାବିକ ଭାବେ କ୍ଷେତ୍ରରକ୍ଷଣ କରିବାକୁ ନିଷ୍ପତ୍ତି ନେଇଥିଲେ। ଦ୍ରୁତ ବୋଲର ଦୀପକ ଚହର କିନ୍ତୁ ପ୍ରଥମ ଓଭରରୁ ଘାତକ ସାବ୍ୟସ୍ତ ହୋଇଥିଲେ। ଚତୁର୍ଥ ବଲରେ ମୟଙ୍କ ଅଗ୍ରୱାଲଙ୍କୁ ଏକ ଚମତ୍କାର ୟର୍କରରେ ବୋଲ୍ଡ କରିଦେଇଥିଲେ। ଅଧିନାୟକ କେଏଲ୍‌ ରାହୁଲ ତୃତୀୟ ଓଭରରେ ରନ୍‌ ଆଉଟ୍ ହେବାରୁ ପଞ୍ଜାବ କିଙ୍ଗ୍ସକୁ ଶକ୍ତ ଝଟ୍‌କା ଲାଗିଥିଲା। ପଞ୍ଚମ ଓଭରରେ ଦୁଇ ୱେଷ୍ଟଇଣ୍ଡିଜ୍ ତାରକା କ୍ରିସ୍‌ ଗେଲ୍‌ ଏବଂ ନ‌ିକୋଲାସ ପୂରନଙ୍କୁ ଆଉଟ୍‌ କରି ପଞ୍ଜାବ ଶିବିରରେ ଚହଳ ପକାଇ ଦେଇଥିଲେ ଚହର। ପାୱାର ପ୍ଲେ ଭିତରେ ୪ ୱିକେଟ୍‌ ହରାଇ ଗଭୀର ସଙ୍କଟରେ ପଡିଥିଲା ପଞ୍ଜାବ। ନୂଆ ବଲ୍‌ ନେଇ ଆସିଥିବା ଚହର ଗୋଟିଏ ସ୍ପେଲରେ ହିଁ ତାଙ୍କ ବୋଲିଂ କୋଟା ଶେଷ କରିଥିଲେ। ଶେଷ ଓଭରରେ ଦୀପକ ହୁଦାଙ୍କୁ ବି ଆଉଟ୍‌ କରି ଚମତ୍କାର ବୋଲିଂ ଚିତ୍ର ୪-୧-୧୩-୪ ପାଇଥିଲେ। ମଧ୍ୟକ୍ରମରେ ତାମିଲନାଡୁ ବ୍ୟାଟ୍ସମ୍ୟାନ୍‌ ଶାହରୁଖ୍‌ ଖାନ୍‌ ୩୬ ବଲ୍‌ରୁ ୪୭ ରନ୍‌ ସଂଗ୍ରହ କରିବା ସହ ଛୋଟ ଛୋଟି ତି‌ନିଟି ଭାଗୀଦାରି ଗଢ଼ିବାରୁ ୧୦୦ ଅତିକ୍ରମ କରିପାରିଥିଲା। ସାମ କରନ୍‌ (୩-୦-୧୨-୧) ଏବଂ ରବୀନ୍ଦ୍ର ଜାଦେଜା (୪-୦-୧୯-୦) ମଧ୍ୟ ମିତ୍ତବ୍ୟୟୀ ବୋଲିଂ କରି ପଞ୍ଜାବ ପାଳିକୁ ୧୦୬ ରନ୍‌ରେ ବାନ୍ଧି ରଖିଥିଲେ। ଆର୍‌ସିବିର ମହମ୍ମଦ ସିରାଜଙ୍କ ପରେ ଦ୍ବିତୀୟ ବୋଲର ଭାବେ ଚଳିତ ସଂସ୍କରଣରେ ଚହର ମେଡେନ୍‌ ଓଭର ମଧ୍ୟ ବୋଲିଂ କରିଥିଲେ।

Rediffmail

ମାହିଙ୍କ ଦ୍ବିଶତକ ଚେନ୍ନାଇ ମ୍ୟାଚ୍‌ରେ ବିଜୟ ଉପହାର
ମହେନ୍ଦ୍ର ସିଂହ ଧୋନି ଶୁକ୍ରବାର ଚେନ୍ନାଇ ସୁପର୍‌ କିଙ୍ଗ୍ସ ପାଇଁ ୨୦୦ତମ ମ୍ୟାଚ୍‌ ଖେଳିଛନ୍ତି। ଏହି ମ୍ୟାଚ୍‌ରେ ମାହିଙ୍କୁ ମଧ୍ୟ ଦଳର ଖେଳାଳିମାନେ ଉପହାର ଦେଇଛନ୍ତି। ଚେନ୍ନାଇକୁ ୩ ଥର (୨୦୧୦, ୨୦୧୧, ୨୦୧୮) ବିଜେତା କରିଥିବା ଧୋନି ଆଇପିଏଲ୍‌ରେ ୧୭୬ ଏବଂ ଚାମ୍ପିଅନ୍ସ ଲିଗ୍‌ରେ ୨୪ ମ୍ୟାଚ୍‌ରେ ଦଳର ପ୍ରତିନିଧିତ୍ବ କରିଥିଲେ। ମୋଟ ଉପରେ କିନ୍ତୁ ୨୦୬ ଆଇପିଏଲ୍‌ ମ୍ୟାଚ୍‌ ଖେଳିଥିବା ଧୋନି। ୨୦୧୬ ଓ ୨୦୧୭ରେ ଚେନ୍ନାଇ ନିଲମ୍ବିତ ଥିବା ବେଳେ ଧୋନି ୩୦ ମ୍ୟାଚ୍‌ ରାଇଜିଂ ପୁଣେ ସୁପରଜିଆଣ୍ଟ୍ସ ପାଇଁ ଖେଳିଥିଲେ। ୩୯ ବର୍ଷୀୟ ଧୋନି ଏବେ ଆଇପିଏଲ୍‌ର ଅଗ୍ରଣୀ ରନ୍‌ ତାଲିକାରେ (୪,୬୩୨ ରନ୍‌, ଚେନ୍ନାଇ ପାଇଁ ୪,୦୫୮) ଅଷ୍ଟମ ସ୍ଥାନରେ ରହିଛନ୍ତି। କିନ୍ତୁ ସର୍ବାଧିକ ଛକା (୨୧୬) ମାରିବା‌ରେ ଭାରତୀୟଙ୍କ ମଧ୍ୟରେ ଶୀର୍ଷରେ ରହିଛନ୍ତି।

ସମ୍ବନ୍ଧିତ ଖବର