ପୃଥ୍ବୀଙ୍କ କମ୍ପନ: କୋଲ୍‌କାତା ଚୁର୍‌ମାର, ଦିଲ୍ଲୀ କ୍ୟାପିଟାଲ୍ସର ପଞ୍ଚମ ବିଜୟ

ଅହମଦାବାଦ: ପୃଥ୍ବୀ ସ’ଙ୍କ ବ୍ୟାଟିଂ କମ୍ପନ କୋଲ୍‌କାତା ନାଇଟ୍ ରାଇଡର୍ସକୁ ଧୂଳିସାତ୍‌ କରିଦେଇଛି। ପ୍ରଥମ ଓଭରର ସମସ୍ତ ବୈଧ ବଲ୍‌କୁ ଚୌକା ମାରି (ୱାଇଡ୍‌, ୪,୪,୪,୪,୪,୪) ଅଭିଯାନ ଆରମ୍ଭ କରିଥିବା ଏହି ଲିଟିଲ ମାଷ୍ଟର୍‌ ୧୮ ବଲ୍‌ରୁ ଅର୍ଦ୍ଧଶତକ ପୂର୍ଣ୍ଣ କରିଥିଲେ। ଏହାପରେ ୪୧ ବଲ୍‌ରୁ ୮୨ ରନ୍‌ କରି କମିନ୍ସଙ୍କ ଶିକାର ହେବାରୁ ଶତକରୁ ବଞ୍ଚିତ ରହିଥିଲେ। ସ’ଙ୍କ ପାଳିରେ ୧୧ ଚୌକା ଓ ୩ ଛକା ଦେଖିବାକୁ ମିଳିଥିଲା। କିନ୍ତୁ ଦିଲ୍ଲୀ ୩.୩ ଓଭର ପୂର୍ବରୁ ୭ ୱିକେଟ୍‌ ବିନିମୟରେ ମ୍ୟାଚ୍‌ ଜିତି ଯାଇଥିଲା। ଶିଖର ଧାୱନ (୪୬, ୪୭ ବଲ୍‌)ଙ୍କ ସହ ମିଶି ସ’ ମଧ୍ୟ ପ୍ରଥମ ୱିକେଟ୍ ପାଇଁ ୧୩.୫ ଓଭରରେ ୧୩୨ ରନ୍‌ ଉଠାଇବା ମ୍ୟାଚ୍‌କୁ ଦିଲ୍ଲୀ ସପକ୍ଷରେ ଏକତରଫା କରି ଦେଇଥିଲା। ଏହି ବିଜୟ ସହ ଦିଲ୍ଲୀ କ୍ୟାପିଟାଲ୍ସ ସପ୍ତମ ମ୍ୟାଚ୍‌ରୁ ପଞ୍ଚମ ବିଜୟ ସହ ପଏଣ୍ଟ ଟେବୁଲ୍‌ର ଦ୍ବିତୀୟ ସ୍ଥାନକୁ ଉଠିଛି। ଅନ୍ୟପକ୍ଷରେ ପାଲଟା ପଥରେ ଯାଇ କୋଲକାତା ନାଇଟ୍ ରାଇଡର୍ସ ସପ୍ତମ ମ୍ୟାଚ୍‌ରୁ ପଞ୍ଚମ ପରାଜୟ ବରଣ କରି ପଞ୍ଚମ ସ୍ଥାନରେ ଅପରିବର୍ତିତ ରହିଛି।
ପ୍ରଥମ ଓଭର କମାଲ୍‌
ପ୍ରଥମ ଓଭର‌ର ସମସ୍ତ ବୈଧ ବଲ୍‌କୁ ଚୌକା ମାରିବା ଆଇପିଏଲ୍‌ ଇତିହାସରେ ପ୍ରଥମ ନୁହେଁ। ପୃଥ୍ବୀ ସ’ ଏ ‌କ୍ଷେତ୍ରରେ ଦ୍ବିତୀୟ ହୋଇଛନ୍ତି। ପୂର୍ବରୁ ଅଜିଙ୍କ୍ୟ ରାହାଣେ ଏଭଳି କରିଥିଲେ। ୨୦୧୨ ମସିହାରେ ବାଙ୍ଗାଲୋରରେ ଆର୍‌ସିବି ବିପକ୍ଷରେ ରାଜସ୍ଥାନ ରୟାଲ୍ସ ପାଇଁ ଖେଳି ଶ୍ରୀନାଥ ଅରବିନ୍ଦଙ୍କ ପ୍ରଥମ ଓଭରରୁ ରାହାଣେ ୬ ଚୌକା ମାରିଥିଲେ। ଗୁରୁବାର ଶିଭମ ମାଭି ପ୍ରଥମ ବଲ୍‌କୁ ୱାଇଡ୍ ପକାଇବା ପରେ ପରବର୍ତୀ ୬ ବଲ୍‌କୁ ପୃଥ୍ବୀ ସ’ ବାଉଣ୍ଡରି ସେପାଖକୁ ପଠାଇ ଦେଇଥିଲେ। ମାଭି ଏଭଳି ରୂପରେ ମୋଟ ୨୫ ରନ୍‌ ବ୍ୟୟ କରି ବ୍ୟୟବହୁଳ ପ୍ରଥମ ଓଭରରେ ତୃତୀୟ ସ୍ଥାନରେ ରହିଥିଲେ। ୨୦୧୧ରେ ଚେନ୍ନାଇରେ ଅର୍‌ସିବି ବିପକ୍ଷରେ ମୁମ୍ବାଇ ଇଣ୍ଡିଆନ୍ସର ଅବୁ ନଚିମ୍ ୨୭ ରନ୍‌ ଏବଂ ୨୦୧୩ରେ କୋଲକାତାରେ କୋଲକାତା ବିପକ୍ଷରେ ମୁମ୍ବାଇର ହରଭଜନ ସିଂହ ୨୬ ରନ୍‌ ଦେଇଥିଲେ। ଗୁରୁବାର ମଧ୍ୟ ଚଳିତ ଆଇପିଏଲ୍‌ରେ ଦିଲ୍ଲୀ ସର୍ବାଧିକ ପାୱାର ପ୍ଲେ (୬୭ ରନ୍) ସ୍କୋର୍‌ କରିଥିଲା। ପୂର୍ବରୁ ମୁମ୍ବାଇରେ ଚେନ୍ନାଇ ବିପକ୍ଷରେ ଦିଲ୍ଲୀ ୬୫/୦ ଏବଂ ଆର୍‌ସିବି ୬୫/୨ କରି ଚଳିତ ବର୍ଷ ଆଗରେ ଥିଲେ। ଦିଲ୍ଲୀ ପାଇଁ ପୃଥ୍ବୀ ସ’ ମଧ୍ୟ ଆଇପିଏଲ୍‌ ଇତିହାସରେ ଦ୍ବିତୀୟ ଦ୍ରୁତତମ ଅର୍ଦ୍ଧଶତକ କୀର୍ତ୍ତିର ସମକକ୍ଷ କରିଥିଲେ। ପୃଥ୍ବୀ ଗୁରୁବାର ୧୮ ବଲ୍‌ରୁ ୫୦ ଟପିଥିଲେ। ପୂର୍ବରୁ କିନ୍ତୁ ୨୦୧୬ରେ ଦିଲ୍ଲୀରେ ଗୁଜରାଟ ଲାୟନ୍ସ ବିପକ୍ଷରେ କ୍ରିସ୍‌ ମୋରିସ୍‌ ୧୭ ବଲରୁ, ୨୦୧୯ରେ ମୁମ୍ବାଇରେ ମୁମ୍ବାଇ ବିପକ୍ଷରେ ଋଷଭ ପନ୍ତ ୧୮ ବଲ୍‌ରୁ ଅର୍ଦ୍ଧଶତକ ହାସଲ କରିଥିଲେ।
ପୂର୍ବରୁ ମୋଟେରାରେ ଟସ୍ ଜିତି ଦିଲ୍ଲୀ ଅଧିନାୟକ ଋଷଭ ପନ୍ତ୍‌ ପ୍ରଥମେ କ୍ଷେତ୍ରରକ୍ଷଣ କରିଥିଲେ। କାନ୍ଧ ଆଘାତ ସମସ୍ୟାରେ ପଡ଼ିଥିବା ଅମିତ ମିଶ୍ରାଙ୍କ ବଦଳରେ ଲଳିତ ଯାଦବଙ୍କୁ ପୁଣି ସୁଯୋଗ ମିଳିଥିଲା। ଅନ୍ୟପକ୍ଷରେ କୋଲକାତା ନାଇଟ୍ ରାଇଡର୍ସ କିନ୍ତୁ ବିନା ପରିବର୍ତନରେ ପଡ଼ିଆକୁ ଓହ୍ଲାଇଥିଲା।
ଜନ୍ମଦିନରେ ଜମେଇଲେ ରସେଲ୍‌
ଜନ୍ମଦିନରେ ଜମାଣିଆ ପାଳି ଖେଳିଛନ୍ତି ୱେଷ୍ଟଇଣ୍ଡିଆନ୍‌ ଅଲରାଉଣ୍ଡର୍‌ ‌ଆନ୍ଦ୍ରେ ରସେଲ। ରସେଲଙ୍କ ବିଳମ୍ବିତ ଆକ୍ରମଣ କାରଣରୁ କୋଲକାତା ନାଇଟ୍ ରାଇଡର୍ସ ମଧ୍ୟ ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ସମ୍ମାନଜନକ ୧୫୪ ରନ୍‌ ସ୍କୋର୍‌ କରିପାରିଥିଲା। ଚଳିତ ଋତୁରେ ସଂଘର୍ଷ ଜାରି ରଖିଥିବା କୋଲକାତା ନାଇଟ୍ ରାଇଡର୍ସର ଖେଳାଳିମାନେ ମଧ୍ୟ ଗୁରୁବାର ପ୍ରଭାବ ବିସ୍ତାର କରିବାରେ ବିଫଳ ହୋଇଥିଲେ। ଅଧିନାୟକ ଇଅନ୍ ମୋର୍ଗାନ୍‌ ଗତ ମ୍ୟାଚ୍‌ରେ ଭଲ ଖେଳିବା ପରେ ଆଶା ଉଜ୍ଜୀବିତ ହୋଇଥିଲା। କିନ୍ତୁ ଗୁରୁବାର ସେ ଖାତା ଖୋଲିବା ପୂର୍ବରୁ ସ୍ପିନର୍‌ ଲଳିତ ଯାଦବଙ୍କ ଶିକାର ହୋଇଥିଲେ। ‌ଶେଷ ଭାଗରେ ଆନ୍ଦ୍ରେ ରସେଲ ୨୭ ବଲ୍‌ରୁ ୪୫ ରନ୍‌ ସଂଗ୍ରହ କରିବା କାରଣରୁ କୋଲକାତା ନାଇଟ୍ ରାଇଡର୍ସ ସମ୍ମାନ ରଖିପାରିଥିଲା। ରସେଲ୍‌ ଏକଦା ୧୮ ବଲ୍‌ରୁ ୧୬ ରନ୍‌ କରିଥିଲେ। କିନ୍ତୁ ଶେଷ ଭାଗରେ ଚମତ୍କାର ଖେଳି ପରବର୍ତୀ ୯ ବଲ୍‌ରୁ ୨୯ ରନ୍‌ ଯୋଡ଼ିଥିଲେ। ଯେଉଁଥିରେ ୪ଟି ବିଶାଳ ଛକା ସାମିଲ ଥିଲା। ନିଜର ୩୩ତମ ଜନ୍ମଦିନରେ ମଧ୍ୟ ରସେଲ ଟ୍ବେଣ୍ଟି-୨୦ କ୍ରିକେଟରେ ୬,୦୦୦ ରନ୍‌ ପୂର୍ଣ୍ଣ କରିବାର ଗୌରବ ଅର୍ଜନ କରିଥିଲେ। ଈଶାନ୍ତ ଶର୍ମାଙ୍କଠାରୁ ଦୁଇ ରନ୍‌ ନେଇ ସେ ଏହି ମାଇଲଖୁଣ୍ଟ୍ ଅତିକ୍ରମ କରିଥିଲେ।

ସମ୍ବନ୍ଧିତ ଖବର