୨୪ ବର୍ଷ ପରେ ଫାଇନାଲ୍‌ରେ ଇଂଲଣ୍ଡ

ଆଣ୍ଟିଗୁଆ: ବର୍ଷା ବାଧାପ୍ରାପ୍ତ ସେମିଫାଇନାଲ୍‌ରେ ଆଫ୍‌ଗାନିସ୍ତାନକୁ ପରାସ୍ତ କରି ଇଂଲଣ୍ଡ ଚଳିତ ୧୯ ବର୍ଷରୁ କମ୍‌ କ୍ରିକେଟ୍‌ ବିଶ୍ବକପ୍‌ରେ ପ୍ରଥମ ଦଳ ଭାବେ ଫାଇନାଲ୍‌ ସ୍ଥାନ ସୁରକ୍ଷିତ କରିଛି। ମଙ୍ଗଳବାର ରାତିରେ ଖେଳାଯାଇଥିବା ଏହି ମ୍ୟାଚ୍‌ର ୪୬ତମ ଓଭରରେ ସ୍ପିନର ରେହାନ ଅହମଦ ୩ଟି ୱିକେଟ୍‌ ଦଖଲ କରିନେବାରୁ ଇଂଲଣ୍ଡ ୧୫ ରନ୍‌ରେ ବିଜୟୀ ହୋଇଥିଲା। ଶେଷ ୧୦ ବଲ୍‌ରୁ ୧୮ ରନ୍‌ ଆବଶ୍ୟକ ଥିଲା ବେଳେ ରେହାନ ହିଁ ବିପର୍ଯ୍ୟୟ ଘଟାଇ ଇଂଲଣ୍ଡ ବିଜୟର ନାୟକ ବନି ଯାଇଥିଲେ। ତଥାପି ଅର୍ଦ୍ଧଶତକୀୟ ପାଳି ପାଇଁ ଜର୍ଜ ‌ବେଲ୍‌ଙ୍କୁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ମିଳିଥିଲା। ମାତ୍ର ଦୁଇ ବର୍ଷ ତଳେ ଦକ୍ଷିଣ ଆଫ୍ରିକା ସଂସ୍କରଣରେ ନୈରାଶ୍ୟଜନକ ଭାବେ ନବମ ସ୍ଥାନରେ ଅଭିଯାନ ଶେଷ କରିଥିବା ଇଂଲଣ୍ଡ ଏଥର ଟ୍ରଫି ଦାବିଦାର ହୋଇଛି। ଏପରିକି ଆଫ୍‌ଗାନିସ୍ତାନର ସମସ୍ତ ପ୍ରୟାସକୁ ପଣ୍ଡ କରି ଇଂଲଣ୍ଡ ୨୪ ବର୍ଷ ପ୍ରତୀକ୍ଷାର ଅନ୍ତ ଘଟାଇ ଫାଇନାଲ୍‌ ପ୍ରବେଶ କରିଛି। ଶେଷ ଥର ପାଇଁ ୧୯୯୮ (ଦକ୍ଷିଣ ଆଫ୍ରିକା ସଂସ୍କରଣ)ରେ ଇଂଲଣ୍ଡ ଫାଇନାଲ୍‌ ପହଞ୍ଚିଥିଲା ବେଳେ ସେଥର ମଧ୍ୟ ବିଜେତା ହୋଇଥିଲା।

ଟସ୍‌ ଜିତି ଇଂଲଣ୍ଡ ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା। ଆଫ୍‌ଗାନିସ୍ତାନ ବୋଲରମାନେ ଆରମ୍ଭରୁ ଇଂଲଣ୍ଡ ବ୍ୟାଟର୍‌ଙ୍କୁ କଠିନ ପରୀକ୍ଷାରେ ପକାଇଥିଲେ। ଯାହା ଫଳରେ ୩୫ ଓଭର ବେଳକୁ ଇଂଲଣ୍ଡ ୧୩୬ ରନ୍‌ରେ ୬ ୱିକେଟ୍‌ ହରାଇ ସଂକଟରେ ପଡ଼ିଯାଇଥିଲା। ଓପ୍‌ନର ଜର୍ଜ ଥୋମାସ୍‌ (୫୦) ଅର୍ଦ୍ଧଶତକ ହାସଲ କରି ଆରମ୍ଭରୁ ଲଢ଼ିଥିଲେ। ଏହାପରେ ବର୍ଷା ଯୋଗୁଁ ମ୍ୟାଚ୍‌କୁ ୪୭ ଓଭରକୁ ହ୍ରାସ କରାଯାଇଥିଲା। ଏହି ସମୟରେ କ୍ରିଜ୍‌ରେ ଯୋଡ଼ି ହୋଇଥିଲେ ଜର୍ଜ ବେଲ୍‌ ଓ ଆଲେକ୍ସ ହର୍ଟନ। ଦୁହେଁ ଶେଷ ୧୩ ଓଭର କ୍ରିଜ୍‌ରେ ଜମି ରହି ଆଫ୍‌ଗାନିସ୍ତାନ ବୋଲରଙ୍କୁ ନିରାଶ କରିଥିଲେ। ବେଲ୍‌ (୫୬*) ଏବଂ ହର୍ଟନ (୫୩*) ନିଜ ନିଜର ଅର୍ଦ୍ଧଶତକ ପୂରଣ କରିବା ସହିତ ଅତୁଟ ସପ୍ତମ ୱିକେଟ୍‌ରେ ୯୫ ରନ୍‌ର ଭାଗୀଦାରି ଗଢ଼ିବାରୁ ଇଂଲଣ୍ଡ ୪୭ ଓଭରରେ ୬/୨୩୧ରେ ପହଞ୍ଚି ଯାଇଥିଲା। ଆଫ୍‌ଗାନିସ୍ତାନ ପକ୍ଷରୁ ନୁର୍‌ ଅହମ୍ମଦ (୨/୩୨), ନଭିଦ୍‌ ଜଦ୍ରାନ୍‌ (୨/୬୭), ନାଙ୍ଗେୟାଲିକ ଖରୋଟେ (୧/୨୫) ଓ ଇଝାରୁଲ୍ଲା ନଭିଦ୍‌ (୧/୩୭) ୱିକେଟ୍‌ ବାଣ୍ଟି ନେଇଥିଲେ।

ଜବାବରେ ଆଲା ନୁର୍‌ (୬୦)ଙ୍କ ଚମତ୍କାର ଅର୍ଦ୍ଧଶତକ ବ୍ୟତୀତ ଓପ୍‌ନର ମହମ୍ମଦ ଈଶାକ୍‌ (୪୩), ଅବ୍‌ଦୁଲ ହାଡି (୩୭*), ବିଲାଲ ଅହମଦ (୩୩) ଏବଂ ନୁର୍‌ ଅହମଦ (୨୫)ଙ୍କ ଲଢ଼ୁଆ ପାଳି ସତ୍ତ୍ବେ ଆଫ୍‌ଗାନିସ୍ତାନ ୯ ୱିକେଟ୍‌ ହରାଇ ୨୧୫ ରନ୍‌ରେ ଅଟକି ଯାଇଥିଲା। ସ୍ପିନର ରେହାନ ଅହମଦ (୪/୪୧), ଥୋମାସ୍‌ ଅସ୍ପିନ୍‌ୱାଲ (୨/୩୭), ଜୋସୁଆ ବୟଡେନ୍‌ (୧/୨୩) ଓ ଅଧିନାୟକ ଟମ୍‌ ପ୍ରିଷ୍ଟ (୧/୩୯) ଇଂଲଣ୍ଡ ପାଇଁ ସଫଳ ବୋଲର ରହିଥିଲେ।

ସମ୍ବନ୍ଧିତ ଖବର