କ୍ରିପ୍ଟୋକୁ ମିଳିବନି ଆଇନଗତ ମାନ୍ୟତା: ଜୁଆ, ଘୋଡ଼ାଦୌଡ଼ରୁ ଆୟ ଭଳି ବିଚାର କରାଯିବ

ଆୟକର ଫର୍ମରେ କ୍ରିପ୍ଟୋ ଆୟ ସୂଚନା ଦେବାକୁ ପଡ଼ିବ: ଜୁଆ, ଘୋଡ଼ାଦୌଡ଼ରୁ ଆୟ ଭଳି ବିଚାର କରାଯିବ

ନୂଆଦିଲ୍ଲୀ: କ୍ରିପ୍ଟୋକରେନ୍ସି କାରବାରକୁ ଆଇନଗତ ମାନ୍ୟତା ପ୍ରଦାନ କରାଯାଇନାହିଁ। ସରକାର ଆଜି ଏହା ସ୍ପଷ୍ଟ କରିଛନ୍ତି। ଜୁଆ ଖେଳ କିମ୍ବା ଘୋଡ଼ା ଦୌଡ଼ ଆଦିରୁ ହେଉଥିବା ଆୟ ଭଳି କ୍ରିପ୍ଟୋ ଆୟକୁ ସରକାର ବିଚାର କରିବେ। ସେହି ଅନୁସାରେ ତାହା ଉପରେ ଟିକସ ଲଗାଯିବ। ଗତକାଲି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଡିଜିଟାଲ୍ ସମ୍ପତ୍ତିଗୁଡ଼ିକ ଉପରେ ୩୦% ଭଳି ଉଚ୍ଚ ଟିକସ ଲଗାଇବା ପରେ କ୍ରିପ୍ଟୋକୁ ପରୋକ୍ଷରେ ଆଇନଗତ ମାନ୍ୟତା ମିଳିଗଲା ବୋଲି ଚର୍ଚ୍ଚା ହୋଇଥିଲା। ବିଶେଷଜ୍ଞମାନେ ମଧ୍ୟ ବଜେଟ୍‌ ଘୋଷଣାକୁ ସେହିଭଳି ବ୍ୟାଖ୍ୟା କରିଥିଲେ।

ଆଜି କେନ୍ଦ୍ରୀୟ ପ୍ରତ୍ୟକ୍ଷ କର ବୋର୍ଡ (ସିବିଡିଟି) ପକ୍ଷରୁ ଏହି ପ୍ରସଙ୍ଗରେ ସ୍ପଷ୍ଟୀକରଣ ପ୍ରଦାନ କରାଯାଇଛି। ଡିଜିଟାଲ୍‌ ସମ୍ପତ୍ତି ଉପରେ ଟିକସ ଲଗାଇବାର ଅର୍ଥ ଏହାକୁ ଆଇନଗତ ମାନ୍ୟତା ମିଳିଗଲା ବୋଲି ଭାବିବା ଭୁଲ ବୋଲି କୁହାଯାଇଛି। ଏକ ସାକ୍ଷାତକାରରେ ସିବିଡିଟି ମୁଖ୍ୟ ଜେ ବି ମହାପାତ୍ର କହିଛନ୍ତି ଯେ ଟିକସ ଲାଗୁ କରି କ୍ରିପ୍ଟୋ ବଜାର କେତେ ବଡ଼ ଓ ଗଭୀର, କେଉଁମାନେ ନିବେଶକ ଏବଂ ‌କ୍ରିପ୍ଟୋରେ କେଉଁ ଧରଣର ନିବେଶ ହେଉଛି ତାହା ସରକାର ଜାଣିବାକୁ ଚାହୁଛନ୍ତି। ଟିକସ ଲଗାଇବା ଅର୍ଥ ନୁହେଁ କ୍ରିପ୍ଟୋ କାରବାରକୁ ଆଇନଗତ ମାନ୍ୟତା ମିଳିଗଲା। ସେ କହିଛନ୍ତି ଯେ ‌କାରବାରର ଆଇନଗତ ବୈଧତା ବିଷୟରେ ଆୟକର ବିଭାଗ ଚିନ୍ତା କରେ ନାହିଁ। ‌ଯେଉଁ କାରବାର ସମ୍ପାଦିତ ହୋଇଛି ସେଥିରୁ କିଛି ଆୟ ହୋଇଛି ନା ନାହିଁ ‌କେ‌ବଳ ତାହା ଜାଣିବାକୁ ବିଭାଗ ପ୍ରୟାସ କରିଥାଏ। ଆୟକର ବିଭାଗ ଆୟର ଆଇନଗତ ବୈଧତା ସ୍ପଷ୍ଟ କରେନାହିଁ। ଏହା କେବଳ ଆୟ ଉପରେ ଟିକସ ଲଗାଏ ବୋଲି ସେ କହିଛନ୍ତି।

ଏହି ପ୍ରସଙ୍ଗରେ ଅର୍ଥ ସଚିବ ଟି ଭି ସୋମନାଥ ଏକ ସାକ୍ଷାତକାରରେ କହିଛନ୍ତି ଯେ କ୍ରିପ୍ଟୋକୁ ନେଇ ଅସ୍ପଷ୍ଟ ସ୍ଥିତି ରହିଛି। କ୍ରିପ୍ଟୋକରେନ୍ସି କିଣିବା କିମ୍ବା ବିକିବା ବେଆଇନ ନୁହେଁ। ସରକାର କେବଳ ଏକ ବ୍ୟବସ୍ଥା ପ୍ରସ୍ତୁତ କରିଛନ୍ତି ଯେଉଁଥିରେ କ୍ରିପ୍ଟୋରୁ ହେଉଥିବା ଆୟକୁ ଜୁଆ କିମ୍ବା ଘୋଡ଼ା ଦୌଡ଼ରୁ ହେଉଥିବା ଆୟ ଭଳି ବିଚାର କରାଯିବ। କ୍ରିପ୍ଟୋର ଭବିଷ୍ୟତ କ’ଣ ତାହା ଏବେବି ଏକ ବିତର୍କ ହୋଇ ରହିଛି। ସରକାର ବିଭିନ୍ନ ଅଂଶୀଦାରଙ୍କ ସହ ଏନେଇ ଆଲୋଚନା କରୁଛନ୍ତି। ଆନ୍ତର୍ଜାତିକ ସ୍ତରରେ ଏହ‌ି କ୍ଷେତ୍ରରେ ଘଟୁଥିବା ଘଟଣା ଉପରେ ନଜର ରଖାଯାଇଛି। ସବୁ କିଛି ବିଚାରକୁ ନେବା ପରେ କ୍ରିପ୍ଟୋକୁ କିଭଳି ନିୟନ୍ତ୍ରଣ କରାଯିବ ସେହି ନିଷ୍ପତ୍ତି ସରକାର ଗ୍ରହଣ କରାଯିବ ବୋଲି ଶ୍ରୀ ସୋମନାଥ କହିଛନ୍ତି। ସରକାର ଏବେ କ୍ରିପ୍ଟୋକୁ ନିୟନ୍ତ୍ରଣ କରିବା ବିଷୟରେ ଚିନ୍ତା କରୁନାହାନ୍ତି। କେବଳ ଏଥିରୁ ହେଉଥିବା ଆୟ ଉପରେ ଟିକସ ଲଗାଇବାକୁ ଚାହୁଛନ୍ତି ବୋଲି ସେ କହିଛନ୍ତି।

କ୍ରିପ୍ଟୋକରେନ୍ସିର ବ୍ୟବହାର ଦ୍ରୁତ ଗତିରେ ବଢ଼ୁଥିବା ବେଳେ ଏହା ଦେଶର ଆର୍ଥିକ ବ୍ୟବସ୍ଥା ପ୍ରତି ଏକ ବହୁତ ବଡ଼ ବିପଦ ହୋଇଥିବାରୁ ତାହାକୁ ଆଇନଗତ ମାନ୍ୟତା ପ୍ରଦାନ କରାଯାଉନାହିଁ। ଘରୋଇ ସଂସ୍ଥାଗୁଡ଼ିକର କ୍ରିପ୍ଟୋକୁ ସମ୍ପୂର୍ଣ୍ଣ ନିଷିଦ୍ଧ କରିବା ଲାଗି ଭାରତୀୟ ରିଜର୍ଭ ବ୍ୟାଙ୍କ ଦୃଢ଼ ଯୁକ୍ତି ବାଢ଼ିଛି। ସରକାର ଯଦିଓ ଏଭଳି କଠୋର ପଦକ୍ଷେପ ଗ୍ରହଣ କରିନାହାନ୍ତି, କିନ୍ତୁ କ୍ରିପ୍ଟୋ ପ୍ରତି ଲୋକମାନଙ୍କ ମଧ୍ୟରେ ବିଶ୍ବାସ ସୃଷ୍ଟି କରିବା ଭଳି କୌଣସି ନିଷ୍ପତ୍ତି ଗ୍ରହଣ କରୁନାହାନ୍ତି। ସଂସଦର ଶୀତକାଳୀନ ଅଧିବେଶନରେ କ୍ରିପ୍ଟୋ ବିଲ୍‌ ଆଣିବାକୁ ସରକାର ଯୋଜନା ରଖିଥିଲେ। କିନ୍ତୁ ସେହି ନିଷ୍ପତ୍ତିକୁ ଟାଳି ଦିଆଯାଇଛି।

ଆୟକର ଫର୍ମରେ କ୍ରିପ୍ଟୋ ଆୟ ସୂଚନା ଦେବାକୁ ପଡ଼ିବ
ଆସନ୍ତାବର୍ଷ ଠାରୁ ଆୟକର ରିଟର୍ଣ୍ଣ ଫର୍ମରେ କ୍ରିପ୍ଟୋ ଆୟ ପାଇଁ ଏକ ନୂଆ ସ୍ତମ୍ଭ ଯୋଡ଼ାଯିବ। ଯେଉଁମାନେ କ୍ରିପ୍ଟୋରେ ନିବେଶ କରିଛନ୍ତି ସେଥିରୁ ହେଉଥିବା ଆୟ ବିଷୟରେ ସେମାନଙ୍କୁ ସୂଚନା ଦେବାକୁ ହେବ। ସେହି ଆୟ ଉପରେ ଟିକସ ଲଗାଯିବ ବୋଲି ରାଜସ୍ବ ସଚିବ ତରୁଣ ବଜାଜ କହିଛନ୍ତି। ଚଳିତ ବର୍ଷ ଏପ୍ରିଲ୍‌ ୧ରୁ କ୍ରିପ୍ଟୋ ଆୟ ଉପରେ ୩୦% ଟିକସ ସହିତ ସେସ୍ ଓ ସର୍‌ଚାର୍ଜ ଲାଗୁ କରାଯିବ। କ୍ରିପ୍ଟୋରୁ ହେଉଥିବା ଆୟ ଉପରେ ଟିକସ ଲଗାଇ ହେବ। ଏହା କିଛି ନୂଆ କଥା ନୁହେଁ। ବଜେଟ୍‌ରେ କେବଳ ଏହି ବିଷୟକୁ ସ୍ପଷ୍ଟ କରାଯାଇଛି ବୋଲି ଶ୍ରୀ ବଜାଜ କହିଛନ୍ତି। କ୍ରିପ୍ଟୋରୁ ବର୍ଷକୁ ହେଉଥିବା ୫୦ ଲକ୍ଷ ଟଙ୍କାରୁ ଅଧିକ ଆୟ ଉପରେ ୩୦% ଟିକସ ସହିତ ୧୫% ସେସ୍ ଓ ସର୍‌ଚାର୍ଜ ଲଗାଯିବ।

ସମ୍ବନ୍ଧିତ ଖବର