ଭାରତ ଗସ୍ତ ପୂର୍ବରୁ ଟିମ୍‌ରୁ ବାଦ୍‌ ପଡ଼ିଲେ ବାଂଲାଦେଶ ଖେଳାଳି ତମିମ୍‌ ଇକବାଲ୍‌, ଟି-୨୦ ପାଇଁ ସାମିଲ ହେଲେ ଇମରୁଲ କାୟେସ

ଢାକା: ବାଂଳାଦେଶର ବରିଷ୍ଠ ଓପନର ତମିମ୍‌ ଇକବାଲ୍‌ ନିଜର ସନ୍ତାନ ଜନ୍ମ କାରଣରୁ ପତ୍ନୀଙ୍କ ସହ ରହିବେ। ସେଥିପାଇଁ ସେ ଭାରତକୁ ଆଗାମୀ ଗସ୍ତରେ ନ ଆସିବାକୁ ନିଷ୍ପତ୍ତି ନେଇଛନ୍ତି। ବାଂଲାଦେଶ କ୍ରିକେଟ ବୋର୍ଡ (ବିସିବି) ଆଗାମୀ ନଭେମ୍ବର ୩ରୁ ଦିଲ୍ଲୀରେ ଆରମ୍ଭ ହେଉଥିବା ୩ ମ୍ୟାଚ ଟି-୨୦ ଅନ୍ତର୍ଜାତୀୟ ଶୃଙ୍ଖଳା ପାଇଁ ଇକବାଲଙ୍କ ସ୍ଥାନରେ ଇମରୁଲ କାୟେସଙ୍କୁ ସାମିଲ କରିଛି। ବାଂଲାଦେଶକୁ ଏହି ଗସ୍ତରେ ୨ଟି ଟେଷ୍ଟ ମ୍ୟାଚ୍‌ ମଧ୍ୟ ଖେଳିବାର ଅଛି। ପ୍ରଥମ ଟେଷ୍ଟ ଇନ୍ଦୋରରେ ନଭେମ୍ବର ୧୪ ରୁ ୧୮ ଓ ଦ୍ୱିତୀୟ ଟେଷ୍ଟ କୋଲକାତାରେ ନଭେମ୍ବର ୨୨ ରୁ ୨୬ ମଧ୍ୟରେ ଖେଳାଯିବ।

କ୍ରିକ୍‌ଇନ୍‌ଫୋ ରିପୋର୍ଟ ଅନୁସାରେ ତମିମ୍‌ଙ୍କୁ ପୂର୍ବରୁ ଆଘାତ ଲାଗିଥିଲା। ଏହା ସତ୍ତ୍ୱେ ମଧ୍ୟ ତାଙ୍କୁ ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ୍‌ରେ ସାମିଲ୍‌ କରାଯାଇଥିଲା। ମାତ୍ର ସେ ବିସିବିକୁ ସୂଚନା ଦେଇଥିଲେ ଯେ, ପତ୍ନୀଙ୍କ ସହିତ ରହିବା ପାଇଁ କୋଲକାତାରେ ନଭେମ୍ବର ୨୨ରୁ ଆରମ୍ଭ ହେବାକୁ ଥିବା ଟେଷ୍ଟ ମ୍ୟାଚରୁ ବାହାରେ ରହିବେ। ଏଥି ପାଇଁ ସେ ଶିଶୁ ଜନ୍ମ ହେବା ଯାଏଁ ପତ୍ନୀଙ୍କ ସହିତ ରହିବାକୁ ନିଷ୍ପତ୍ତି ନେଇଛନ୍ତି। ମୁଖ୍ୟ ଚୟନକର୍ତ୍ତା ମିହ୍ନାଜୁଲ ଓବେଡିନ କହିଛନ୍ତି, ତମିମ୍‌ ଆମକୁ ପୂର୍ବରୁ ସୂଚନା ଦେଇଥିଲେ ଯେ, କୋଲକାତାରେ ଦ୍ୱିତୀୟ ଟେଷ୍ଟରେ ସେ ଖେଳିପାରିବେ ନାହିଁ। ଏହି ସମୟରେ ସେ ନିଜର ପତ୍ନୀଙ୍କ ସହିତ ରହିବେ।

ସମ୍ବନ୍ଧିତ ଖବର