୩ ଦିନରେ ଶ୍ରୀଲଙ୍କା ସଫା, କପିଳଙ୍କୁ ଟପିଲେ ଅଶ୍ବିନ

ମୋହାଲି ଟେଷ୍ଟ୍‌କୁ ଗୋଟିଏ ପାଳି ଓ ୨୨୨ ରନ୍‌‌ରେ ଜିତିଲା ଭାରତ, କୋହଲିଙ୍କ ଶତକୀୟ ଟେଷ୍ଟ୍‌କୁ ସ୍ମରଣୀୟ କଲା ଟିମ୍ ଇଣ୍ଡିଆ

ମୋହାଲି: କୀର୍ତ୍ତିମାନଭରା ତଥା ଏକାଧିକ ମାଇଲଖୁଣ୍ଟ ସ୍ଥାପିତ ହୋଇଥିବା ଦିନରେ ପରାକ୍ରମୀ ପ୍ରଦର୍ଶନ କରି ମୋହାଲି ଟେଷ୍ଟ୍‌କୁ ମାତ୍ର ୩ ଦିନ ଭିତରେ ଜିତି ନେଇଛି ଭାରତୀୟ କ୍ରିକେଟ୍ ଦଳ। ରବିବାର ଅଲରାଉଣ୍ଡର୍‌ ରବୀନ୍ଦ୍ର ଜାଦେଜା ବିଶ୍ବ କ୍ରିକେଟ୍‌ର ଷଷ୍ଠ ଖେଳାଳି ଭାବେ କୌଣସି ଟେଷ୍ଟ୍‌ର ଗୋଟିଏ ପାଳିରେ ୧୫୦ରୁ ଅଧିକ ରନ୍ ସହ ୫ ୱିକେଟ୍ ସଫଳତା ପାଇଥିଲା ବେଳେ ସ୍ପିନର ରବିଚନ୍ଦ୍ରନ୍‌ ଅଶ୍ବିନ ଦିନକ ଭିତରେ ତିନି ମହାନ ବୋଲର ରିଚାର୍ଡ ହାଡଲି, ରଙ୍ଗଣା ‌ହେରାଥ ଏବଂ କପିଳ ଦେବଙ୍କୁ ଟପିବାର ଅନନ୍ୟ କୀର୍ତ୍ତିମାନ ଲାଭ କରିଛନ୍ତି। ଆଉ ସେହି ଭିତରେ ଭାରତୀୟ ବୋଲରଙ୍କ ଘନ ଘନ ଆକ୍ରମଣରେ ଗୁରୁତର ଘାଇଲା ହୋଇ ୬୭ ରନ୍ ଭିତରେ ୧୬ ୱିକେଟ୍ ହରାଇଥିଲା ଅସହାୟ ଶ୍ରୀଲଙ୍କା। ଫଳରେ ଗୋଟିଏ ପାଳି ଏବଂ ୨୨୨ ରନ୍‌ରେ ଶୋଚନୀୟ ଭାବେ ପରାସ୍ତ ହୋଇଥିଲା। ଏହି ଆଧିପତ୍ୟଭରା ବିଜୟ ବଳରେ ବେଙ୍ଗାଲୁରୁଠାରେ ଆସନ୍ତା ୧୨ ତାରିଖରୁ ଆରମ୍ଭ ହେବାକୁ ଥିବା ଗୋଲାପି ବଲ୍ ଟେଷ୍ଟ୍ ପୂର୍ବରୁ ୧-୦ରେ ଆଗୁଆ ହୋଇଯାଇଥିଲା ଭାରତ। ପୂରା ମ୍ୟାଚ୍‌ରେ ଭାରତ ଆରମ୍ଭରୁ ଶେଷ ଯାଏ ପ୍ରାଧାନ୍ୟ ବିସ୍ତାର କରି ପୂର୍ବତନ ଅଧିନାୟକ ବିରାଟ କୋହଲିଙ୍କ ଶତକୀୟ ମ୍ୟାଚ୍‌କୁ ବି ସ୍ମରଣୀୟ କରିଥିଲା।

ବିଶ୍ବ ଟେଷ୍ଟ୍ ଚାମ୍ପିଅନସିପ୍ ଅନ୍ତର୍ଗତ ଖେଳାଯାଇଥିବା ଏହି ମ୍ୟାଚ୍‌ରୁ ଭାରତ ବି ପୂରା ୧୨ ପଏଣ୍ଟ ପୋଛି ନେଇଥିଲା। ମାତ୍ର ଗୋଟିଏ ୱିକେଟ୍ ପାଇଁ କୌଣସି ଏକ ଟେଷ୍ଟ୍‌ରେ ୧୫୦ରୁ ଅଧିକ ରନ୍ ସହ ୧୦ ୱିକେଟ୍ ସଫଳତା ଲାଭ କରିବାର ବିରଳ କୀର୍ତ୍ତିମାନରୁ ଅଳ୍ପକେ ବଞ୍ଚିତ ହୋଇଥିବା ଜାଦେଜା ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ଲାଭ କରିଥିଲେ। ଅଧିନାୟକ ରୋହିତ ଶର୍ମା ବିଜୟରୁ ନିଜ ଟେଷ୍ଟ୍ ଅଧିନାୟକ ଜୀବନ ଆରମ୍ଭ କରିଥିଲେ। ଭାରତୀୟ ଖେଳାଳିଙ୍କ ଏକାଗ୍ରତା ଏବଂ ପ୍ରଭାବୀ ପ୍ରଦର୍ଶନକୁ ସେ ଭୂୟସୀ ପ୍ରଶଂସା କରିଥିଲେ। ତେବେ ଖେଳ ମାତ୍ର ୩ ଦିନ ଭିତରେ ଶେଷ ହୋଇଯିବ ବୋଲି କେବେ ବି ଆଶା କରି ନଥିଲେ ବୋଲି କହିଥିଲେ।

‌ମୋହାଲିର ଏହି ଏକତରଫା ମୁକାବିଲାର ପ୍ରଥମ ଦିନରେ ଭାରତ ୩୫୭ ରନ୍ ଅମଳ କରିବା ପରେ ପରେ ହିଁ ଶ୍ରୀଲଙ୍କାର ଦୁର୍ଦ୍ଦଶା ଆରମ୍ଭ ହୋଇଯାଇଥିଲା। ଜାଦେଜାଙ୍କ ୧୭୫* ସହ ଅଶ୍ବିନଙ୍କ ୬୧ ରନ୍ ପାଇଁ ଭାରତ ୫୭୪/୮ରେ ପାଳି ଘୋଷଣା କରି ସିଂହଳୀ ଦଳ ଉପରେ ଅସହ୍ୟ ଚାପ ସୃଷ୍ଟି କରିଥିଲା। ଏହାର ଜବାବରେ ଶ୍ରୀଲଙ୍କା ଶନିବାର ଦ୍ବିତୀୟ ଦିନ ସୁଦ୍ଧା ୪ ୱିକେଟ୍ ହରାଇ ମାତ୍ର ୧୦୮ ରନ୍ କରିଥିଲା। ରବିବାର ଜାଦେଜା-ଅଶ୍ବିନଙ୍କ ଯାଦୁଗରୀ ବୋଲିଂର ସମ୍ମୁଖୀନ ହୋଇନପାରି ୬୬ ରନ୍‌ରେ ବଳକା ୬ ୱିକେଟ୍ ହରାଇ ଫଲୋଅନ୍ ହୋଇଥିଲା। ଦ୍ବିତୀୟ ପାଳିରେ ସେହି ଜାଦେଜା-ଅଶ୍ବିନ ୮ ୱିକେଟ୍ ବାଣ୍ଟିନେବା ପରେ ପ୍ରଥମ ପାଳିଠାରୁ ମାତ୍ର ୪ ରନ୍ ଅଧିକ କରି ଅର୍ଥାତ୍ ୧୭୮ ରନ୍‌ରେ ଅଲଆଉଟ୍‌ ହୋଇଯାଇଥିଲା।

The Indian Express

୧୫୦+ ରନ୍ ଓ ୫ ୱିକେଟ୍ ନେବାରେ ଜାଦେଜା ଷଷ୍ଠ
ମୋହାଲି, ୬ା୩: କୌଣସି ଟେଷ୍ଟ୍‌ର ଗୋଟିଏ ପାଳିରେ ୧୫୦ରୁ ଅଧିକ ରନ୍ କରିବା ସହ ୫ ୱିକେଟ୍ ସଫଳତା ଲାଭ କରିବାରେ ଭାରତୀୟ ଅଲରାଉଣ୍ଡର୍ ରବୀନ୍ଦ୍ର ଜାଦେଜା ବିଶ୍ବର ଷଷ୍ଠ କ୍ରିକେଟର୍‌ ହୋଇଛନ୍ତି। ମୋହଲି ଟେଷ୍ଟ୍‌ର ତୃତୀୟ ଦିବସରେ ରବିବାର ଏହି କୀର୍ତ୍ତିମାନ ସ୍ଥାପନ କରିଥିଲେ। ତାଙ୍କ ପୂର୍ବରୁ କେବଳ ଦୁଇ ମହାନ ଭାରତୀୟ କ୍ରିକେଟର୍ ଭିନୁ ମଙ୍କଡ଼, ପଲି ଉମ୍ରିଗର, ୱେଷ୍ଟଇଣ୍ଡିଜ୍‌ର ଡେନିସ୍ ଆତକିନସନ୍, ଗ୍ୟାରି ସୋବର୍ସ ଏବଂ ପାକିସ୍ତାନର ମହମ୍ମଦ ମୁସ୍ତାକ ଏଭଳି ସଫଳତା ଲାଭ କରିଥିଲେ। ଜାଦେଜା ଏହି ମ୍ୟାଚ୍‌ର ପ୍ରଥମ ପାଳିରେ ଭାରତ ପକ୍ଷରୁ ସର୍ବାଧିକ ୧୭୫* ରନ୍ କରିଥିଲେ। ସେହି ପ୍ରଥମ ପାଳିରେ ୪୧ ରନ୍ ଦେଇ ଶ୍ରୀଲଙ୍କାର ୫ ୱିକେଟ୍ ନେଇଥିଲେ। ଦ୍ବିତୀୟ ପାଳିରେ ବି ୪୬ ରନ୍ ଦେଇ ୪ ୱିକେଟ୍ କରାୟତ୍ତ କରିଥିଲେ।

କପିଳଙ୍କୁ ଟପିଲେ ଅଶ୍ବିନ

ରବୀନ୍ଦ୍ର ଜାଦେଜାଙ୍କ ଚମକ ଭିତରେ ଅଭିଜ୍ଞ ଭାରତୀୟ ଅଫ୍‌ସ୍ପିନର ଆର ଅଶ୍ବିନ ଅସାଧାରଣ ସଫଳତା ଲାଭ କରିଛନ୍ତି। କିଂବଦନ୍ତି କପିଳ ଦେବଙ୍କୁ ଟପି ଟେଷ୍ଟ୍ କ୍ରିକେଟ୍‌ରେ ଭାରତ ପକ୍ଷରୁ ଦ୍ବିତୀୟ ସର୍ବାଧିକ ୱିକେଟ୍ କରାୟତ୍ତ କରିଛନ୍ତି ସେ। ୩୫ ବର୍ଷୀୟ ଅଶ୍ବିନ ନିଜ ୮୫ତମ ମ୍ୟାଚ୍‌ରେ ଏହି ମାଇଲଖୁଣ୍ଟ ଛୁଇଁଥିଲା ବେଳେ ଏହିକ୍ରମରେ ଶ୍ରୀଲଙ୍କା ସ୍ପିନର ରଙ୍ଗଣା ହେରାଥ (୪୩୩ ୱିକେଟ୍) ଓ ନ୍ୟୁଜିଲାଣ୍ଡର ମହାନ ବୋଲର ରିଚାର୍ଡ ହାଡ୍‌ଲି (୪୩୧ ୱିକେଟ୍)ଙ୍କୁ ମଧ୍ୟ ଟପି ଯାଇଛନ୍ତି। ୮୪ ଟେଷ୍ଟ୍‌ରୁ ୪୩୦ ୱିକେଟ୍ ସହ ମୋହାଲି ମ୍ୟାଚ୍ ଖେଳିବା ଆରମ୍ଭ କରିଥିଲେ ଅଶ୍ବିନ। ବିରାଟ କୋହଲିଙ୍କ ଏହି ଶତକୀୟ ମ୍ୟାଚ୍‌ର ପ୍ରଥମ ପାଳିରେ ୨ ୱିକେଟ୍ ନେବା ସହ ଦ୍ବିତୀୟରେ ୪ ୱିକେଟ୍ ନେଇ ଏକାଥରକେ କପିଳ, ହାଡଲି ଏବଂ ରଙ୍ଗଣାକୁ ଅତିକ୍ରମ କରିଥିଲେ। କପିଳ ୧୩୧ ଟେଷ୍ଟ୍ ଖେଳି ୪୩୪ ୱିକେଟ୍ ନେଇଥିଲେ। ଅଶ୍ବିନ ୮୫ ମ୍ୟାଚ୍‌ରୁ ଏବେ ୪୩୬ ୱିକେଟ୍‌ରେ ପହଞ୍ଚିଯାଇଛନ୍ତି। ମହାନ ସ୍ପିନର ଅନିଲ କୁମ୍ବଲେ ୧୩୨ ଟେଷ୍ଟ୍‌ରୁ ୬୧୯ ୱିକେଟ୍ ନେଇ ଭାରତର ସଫଳତମ ବୋଲର ହୋଇ ରହିଛନ୍ତି। ଟେଷ୍ଟ୍‌ କ୍ରି‌କେଟ୍‌ରେ ୪୦୦ରୁ ଅଧିକ ୱିକେଟ୍ ନେବାରେ କପିଳ, କୁମ୍ବଲେ ଏବଂ ହରଭଜନ ସିଂହଙ୍କ ପରେ ଚତୁର୍ଥ ଭାରତୀୟ ହୋଇଥିଲେ ଅଶ୍ବିନ। ମୋଟ ଉପରେ ବିଶ୍ବର ନବମ ସର୍ବାଧିକ ୱିକେଟ୍ ହାସଲକାରୀ ହୋଇଥି‌ଲେ ସେ।

image credit : icc

କୋହଲି ଭାବବିହ୍ବଳ
୧୦୦ ଟେଷ୍ଟ୍‌ର ମାଇଲଖୁଣ୍ଟ ମ୍ୟାଚ୍‌ରେ ସ୍ମରଣୀୟ ବିଜୟ ହାସଲ କରିବା ପରେ ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ବିରାଟ କୋହଲି ରବିବାର ଆବେଗଭରା ବାର୍ତ୍ତା ଲେଖିଛନ୍ତି। ବିରାଟ ଟ୍ବିଟ୍ କରିଛନ୍ତି ଯେ ଲମ୍ବା ଯାତ୍ରା ପରେ ଏଠାରେ ପହଞ୍ଚିଛି। ଏହି ଯାତ୍ରା ବେଶ୍ ଉତ୍ଥାନ ପତନ ଭରା ଏବଂ ଶିକ୍ଷଣୀୟ ଥିଲା। ଆପଣମାନଙ୍କ ସମର୍ଥନ ବିନା ଏସବୁ ସମ୍ଭବ ‌ହୋଇପାରି ନଥା’ନ୍ତା। ଏହି ବାର୍ତ୍ତା ସହ ସାଥୀ ଖେଳାଳିଙ୍କ ସହ ଉଠାଇଥିବା ବହୁ ଫଟୋ ଛାଡ଼ିଛନ୍ତି କୋହଲି।

ସମ୍ବନ୍ଧିତ ଖବର