ଏସିଆ କପ୍ : ଭାରତ ୨୬୬ ରନରେ ଅଲଆଉଟ୍, ପାକିସ୍ତାନ ଆଗରେ ୨୬୭ ରନର ଲକ୍ଷ୍ୟ

ପାଲେକେଲେ : ଶ୍ରୀଲଙ୍କାର ପାଲେକେଲେଠାରେ ଖେଳାଯାଉଥିବା ଏସିଆ କପର ଗୁରୁତ୍ବପୂର୍ଣ୍ଣ ଭାରତ-ପାକିସ୍ତାନ ମ୍ୟାଚରେ ଭାରତ ପ୍ରଥମେ ବ୍ୟାଟିଂ କରି ୨୬୬ ରନ କରି ଅଲଆଉଟ୍ ହୋଇଯାଇଛି । ଫଳରେ ପାକିସ୍ତାନ ଆଗରେ ୨୬୭ ରନର ଲକ୍ଷ୍ୟ ରହିଛି ।

ଏହି ମ୍ୟାଚରେ ଭାରତ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । କିନ୍ତୁ ଆରମ୍ଭରୁ ହିଁ ପାକିସ୍ତାନର ପେସର ମାନେ ଭାରତୀୟ ବ୍ୟାଟରମାନଙ୍କୁ ବାନ୍ଧିରଖିବାରେ ସଫଳ ହୋଇଥିଲେ । ବର୍ଷା ବାଧାପ୍ରାପ୍ତ ଏହି ମ୍ୟାଚରେ ଭାରତ ଆରମ୍ଭରୁ ଲଗାତାର ଓ୍ବିକେଟ ହରାଇ ସଂକଟରେ ପଡ଼ିଥିଲା ।

ଭାରତର ଟପ୍ ଅର୍ଡର ବିଫଳ ହେବା ପରେ ଏକ ଲଢୁଆ ଇନିଂସ ଖେଳି ଦଳର ସଂକଟମୋଚକ ସାଜିଥିଲେ ଇଶାନ କିଷନ । ଦିନିକିଆରେ ଇଶାନ କିଶନ କ୍ରମାଗତ ଚତୁର୍ଥ ଅର୍ଦ୍ଧଶତକ ପୂରଣ କରିବା ସହ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସହ ମିଶି ସ୍କୋରକୁ ଆଗକୁ ବଢ଼ାଇଥିଲେ। ଇଶାନ ୮୨ ରନ କରି ଆଉଟ ହୋଇଥିବାବେଳେ ପାଣ୍ଡ୍ୟା ୮୭ ରନ କରିଥିଲେ । କିନ୍ତୁ ଏହି ଦୁଇ ବ୍ୟାଟର ଆଉଟ ହେବା ପରେ ଦଳର ନିମ୍ନକ୍ରମ ବିଫଳ ହୋଇଥିଲା, ଫଳରେ  ଦଳ ୫୦ ଓଭର ସଂପୂର୍ଣ୍ଣ କରିପାରିନଥଲା ଓ ୪୮.୫ ଓଭରରେ ୨୬୬ କରି ଅଲଆଉଟ ହୋଇଯାଇଥିଲା ।

ପାକିସ୍ତାନର ୩ ଜଣ ଦ୍ରୁତ ବୋଲର ଶାହିନ ଆଫ୍ରିଦି, ନସିମ ଶାହା ଓ ହାରିସ ରୌଫ ଭାରତର ସବୁତକ ଓ୍ବିକେଟ ନେଇଥିଲେ ।

ସମ୍ବନ୍ଧିତ ଖବର