ଅଷ୍ଟ୍ରେଲିଆର ବିଶ୍ବକପ୍ ପୋଷାକରେ ସ୍ବଦେଶୀ ବାର୍ତ୍ତା

ସିଡ୍‌ନି: ଆସନ୍ତା ଅକ୍ଟୋବର-ନଭେମ୍ବରରେ ଖେଳାଯିବାକୁ ଥିବା ଟ୍ବେଣ୍ଟି-୨୦ ବିଶ୍ବକପ୍‌ରେ ଆୟୋଜକ ଅଷ୍ଟ୍ରେଲିଆର ଖେଳାଳିମାନେ ନିଆରା ପୋଷାକ ପିନ୍ଧି ପଡ଼ିଆକୁ ଓହ୍ଲାଇବେ। ଏଥିରେ ସ୍ବଦେଶୀ ଅଭିଯାନକୁ ଗୁରୁତ୍ବ ଦିଆଯିବ। କଙ୍ଗାରୁ ଖେଳାଳିଙ୍କ ଜର୍ସିର ହାତ କଳା ରଙ୍ଗର ଏବଂ ଏହାର ଗଳାରେ ସୁନେଲି ଏବଂ ସବୁଜ ରଙ୍ଗ ରହିବ। ଏଥିରେ ସ୍ବଦେଶୀ କଳାର ଝଲକ ଦେଖିବାକୁ ମିଳିବ। ପାଇଜାମାର ରଙ୍ଗ କଳା ଏବଂ ଟୋପିରେ ଦୁଇଟି ଆଦିମ ଦ୍ବୀପର ପତାକା ସ୍ଥାନ ପାଇବ। ଏହି ପୋଷାକକୁ ଆଣ୍ଟି ଫିଓନା କ୍ଲାର୍କ ଓ କର୍ଟନୀ ହାଗେନ୍ ଡିଜାଇନ୍ କରିଛନ୍ତି। ଅଷ୍ଟ୍ରେଲିଆ ଗତଥର ଟ୍ବେଣ୍ଟି-୨୦ ବିଶ୍ବକପ୍ ବିଜେତା ହୋଇଥିଲା। ଏଥର ଘରୋଇ ପରିବେଶରେ ଟ୍ରଫି ବଜାୟ ରଖିବାକୁ ଚେଷ୍ଟା କରିବ।

ଭାରତୀୟ ଖେଳାଳି ବି ନୂଆ ଜର୍ସି ପିନ୍ଧିବେ
ଭାରତୀୟ ଖେଳାଳି ମଧ୍ୟ ଟ୍ବେଣ୍ଟି-୨୦ ବିଶ୍ବକପ୍‌ରେ ନୂଆ ଜର୍ସି ପିନ୍ଧିବେ। ସାମାଜିକ ଗଣମାଧ୍ୟମରେ ଭିଡିଓ ପ୍ରକାଶ କରି ଏହି ସୂଚନା ଦେଇଛି ବିସିସିଆଇ। ଟିମ୍ ଇଣ୍ଡିଆର ନୂଆ ଜର୍ସି ହାଲକା ନୀଳ ରଙ୍ଗର ହେବ। ଏଥିଲାଗି ବିସିସିଆଇ ମଧ୍ୟ ପ୍ରଶଂସକଙ୍କ ପରାମର୍ଶ ଲୋଡ଼ିଛି। ସେପଟେ ଏମ୍‌ପିଏଲ୍ ତୃତୀୟ ବର୍ଷ ପାଇଁ ଭାରତୀୟ ଦଳର ଜର୍ସି ପ୍ରାୟୋଜକ ଭାବେ ଯୋଡିହୋଇଛି। ଦଳ ସହ ପ୍ରଶଂସକଙ୍କୁ ଯୋଡ଼ିବା ଲାଗି ବିସିସିଆଇ ଜାରି କରିଥିବା ଭିଡିଓରେ ଅଧିନାୟକ ରୋହିତ ଶର୍ମା, ଅଲରାଉଣ୍ଡର ହାର୍ଦିକ ପାଣ୍ଡ୍ୟା‌ ଏବଂ ବ୍ୟାଟର୍‌ ଶ୍ରେୟସ୍ ଆୟର ସେମାନଙ୍କ ଲାଗି ସ୍ବତନ୍ତ୍ର ବାର୍ତ୍ତା ଛାଡ଼ିଛନ୍ତି।

ସମ୍ବନ୍ଧିତ ଖବର