ଅବସର ନେଲେ ଉଥପ୍ପା: ‘ବୋଲ୍ ଆଉଟ୍’ ବିଜୟର ଅନ୍ୟତମ ନାୟକ

ନୂଆଦିଲ୍ଲୀ, ୧୪ା୯: ଭାରତର ୨୦୦୭ ଟ୍ବେଣ୍ଟି-୨୦ ବିଶ୍ବକପ୍ ବିଜୟର ଅନ୍ୟତମ ନାୟକ, ୨୦୦୪, ୧୯ ବର୍ଷରୁ କମ୍ ବିଶ୍ବକପ୍ ବିଜୟୀ ଭାରତୀୟ ଦଳର ସଦସ୍ୟ ତଥା ବିସ୍ଫୋରକ ଭାରତୀୟ ଓପ୍‌ନର ରବିନ ଉଥପ୍ପା ବୁଧବାର ସମସ୍ତ ପ୍ରକାର କ୍ରିକେଟ୍‌ରୁ ଅବସର ଘୋଷଣା କରିଛନ୍ତି। ଫଳରେ ତାଙ୍କ ୨୦ ବର୍ଷର ପେସାଗତ କ୍ରିକେଟ୍‌ ଜୀବନରେ ଜବନିକା ପଡ଼ିଛି। ଟ୍ବିଟର୍‌ରେ ଏହି ୩୬ ବର୍ଷୀୟ କ୍ରିକେଟର୍‌ ପରିବାର ସହ ସମୟ ବିତାଇବା ଏବଂ ନୂଆ ଜୀବନ ଆରମ୍ଭ କରିବା ନେଇ ଦୁଇ ପୃ‌ଷ୍ଠାର ଅବସରକାଳୀନ ଲେଖା ପୋ‌ଷ୍ଟ କରିଛନ୍ତି। ଏଥିରେ ସେ ଲେଖିଛନ୍ତି, ‘‘ଦେଶ ଓ କର୍ଣ୍ଣାଟକ ରାଜ୍ୟର ପ୍ରତିନିଧିତ୍ବ କରିବା ମୋ ପାଇଁ ଗର୍ବ ଓ ଗୌରବର ବିଷୟ। ତଥାପି ସମସ୍ତ ଭଲ ଜିନିଷର ଅନ୍ତ ଥାଏ। ତେଣୁ କୃତଞ୍ଜତାଭରା ହୃଦୟରେ କହୁଛି, ଭାରତୀୟ କ୍ରିକେଟର୍‌ ସମସ୍ତ ଫର୍ମାଟ୍‌ରୁ ମୁଁ ଆଜି ଅବସର ନେଉଛି। ସମସ୍ତଙ୍କୁ ଅଶେଷ ଧନ୍ୟବାଦ। ଜୀବନରେ ଅନେକ ଉଥ୍ଥାନ ପତନ ଦେଇ ଗତି କରିଛି। ମୋ କ୍ରିକେଟ୍ ଜୀବନକୁ ମୁଁ ମନଭରି ଉପଯୋଗ କରିଛି।’’ ଅବସର ପରେ ଉଥପ୍ପା ଏବେ ଅନ୍ୟ ଦେଶକୁ ଯାଇ ବିଭିନ୍ନ ଲିଗ୍ ଖେଳିବାକୁ ଯୋଗ୍ୟ ବିବେଚିତ ହେବେ।

ଦୁଇଟି ବିଶ୍ବକପ୍, ଦୁଇଟି ଆଇପିଏଲ୍ ଟ୍ରଫି ବିଜେତା
ଉଥପ୍ପା ଭାରତ ପକ୍ଷରୁ ୫୯ ମ୍ୟାଚ୍‌ (୪୬ ଦିନିକିଆ ଓ ୧୩ ଟ୍ବେଣ୍ଟି-୨୦) ଖେଳି ୧୧୮୩ ଅନ୍ତର୍ଜାତୀୟ ରନ୍‌ କରିଛନ୍ତି। ସେ ୨୦୦୭ ଟ୍ବେଣ୍ଟି-୨୦ ବିଶ୍ବକପ୍‌ ବିଜୟୀ ଭାରତୀୟ ଦଳର ସଦସ୍ୟ ଥିଲେ। ଏହି ଶୀର୍ଷକ୍ରମ ବ୍ୟାଟର୍‌ ମୋହାଲିରେ ଆୟୋଜିତ ୨୦୦୬ ଚ୍ୟାଲେଞ୍ଜର ଟ୍ରଫିରେ ଶତକ ମାରି ସମସ୍ତଙ୍କ ଦୃଷ୍ଟିକୁ ଆସିଥିଲେ। ଇନ୍ଦୋରରେ ପଦାର୍ପଣ ମ୍ୟାଚ୍‌ରେ ସେ ଇଂଲଣ୍ଡ ବିପକ୍ଷରେ ୮୬ ରନ୍‌ର ପାଳି‌ ଖେଳିଥିଲେ। ବିଭିନ୍ନ ଫ୍ରାଞ୍ଚାଇଜ୍‌ ଯଥା ମୁମ୍ବାଇ ଇଣ୍ଡିଆନ୍ସ, ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଓ ପୁନେ ୱାରିୟର୍ସ ପକ୍ଷରୁ ଆଇପିଏଲ୍‌ ଖେଳିଥିବା ‌ଉଥାପ୍ପା ୨୦୧୪ରେ ବିଜେତା କୋଲ୍‌କାତା ନାଇଟ୍‌ ରାଇଡର୍ସର ସଦସ୍ୟ ରହିଥିଲେ। ସେହି ସଂସ୍କରଣରେ ସେ କମଳା ଟୋପି ଜିତିଥିଲେ। ୨୦୨୧ ଫାଇନାଲ୍‌ରେ ୧୫ ବଲ୍‌ରେ ୩୧ ରନ୍‌ର ବି‌ସ୍ଫୋରକ ପାଳି ଖେଳି ଚେନ୍ନାଇ ସୁପର କିଙ୍ଗ୍ସକୁ ‌ଚତୁର୍ଥ ଥର ଲାଗି ଆଇପିଏଲ୍‌ ବିଜେତା କରିବାରେ ପ୍ରମୁଖ ଭୂମିକା ନେଇଥିଲେ। ଆଇପିଏଲ୍‌ରେ ଉଥାପ୍ପା ୨୦୫ ମ୍ୟାଚ୍‌ ଖେଳି ୧୩୦.୩୫ ଷ୍ଟ୍ରାଇକ୍‌ରେଟ୍‌ ଏବଂ ୨୭ ଅର୍ଦ୍ଧଶତକ ସହ ୪୯୫୨ ରନ୍‌ କରିଛନ୍ତି। ୧୪୨ ପ୍ରଥମ ଶ୍ରେଣୀ ମ୍ୟାଚ୍‌ ଖେଳି ୪୦.୭୧ ହାରାହାରି ଓ ୨୨ ଶତକ ସହ ୯୪୪୬ ରନ୍‌ କରିଛନ୍ତି। ୨୦୧୩-୧୫ ଋତୁ ମଧ୍ୟରେ କର୍ଣ୍ଣାଟକ ଜିତିଥିବା ରଣଜୀ ଟ୍ରଫି, ବିଜୟ ହଜାରେ ଓ ଈରାନୀ ଟ୍ରଫି ବିଜେତା ଦଳର ସେ ସଦସ୍ୟ ରହିଥିଲେ। ୨୦୦୭ ଦିନିକିଆ ବିଶ୍ବକପ୍‌ର ପ୍ରଥମ ରାଉଣ୍ଡ୍‌ରୁ ବିଦାୟ ନେଇଥିବା ଭାରତୀୟ ଦଳର ମଧ୍ୟ ସଦସ୍ୟ ଥିଲେ ସେ। ୨୦୧୪, ୨୦୧୫ରେ ଭାରତୀୟ ଦଳକୁ ସଫଳ ପ୍ରତ୍ୟାବର୍ତ୍ତନ କରି ଚର୍ଚ୍ଚାରେ ରହିଥିଲେ ଉଥାପ୍ପା।

‘ବୋଲ୍ ଆଉଟ୍’ ବିଜୟର ଅନ୍ୟତମ ନାୟକ
ମହେନ୍ଦ୍ର ସିଂହ ଧୋନିଙ୍କ ନେତୃତ୍ବରେ ୨୦୦୭ ଟ୍ବେଣ୍ଟି-୨୦ ବିଶ୍ବକପ୍ ଖେଳିଥିବା ଭାରତ ଗ୍ରୁପ୍ ପର୍ଯ୍ୟାୟରେ ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ ପାକିସ୍ତାନକୁ ଭେଟିଥିଲା। ଉଭୟ ଦଳର ସ୍କୋର ଟାଇ ରହିବା ପରେ ପ୍ରଚଳିତ ନିୟମ ଅନୁସାରେ ‘ବୋଲ୍ ଆଉଟ୍’ ପଦ୍ଧତିରେ ବିଜେତା ବଛାଯାଇଥିଲା। ଏଥିରେ ଭାରତ ବିଜୟୀ ହୋଇଥିଲା। ଭାରତ ପକ୍ଷରୁ ବୋଲିଂ କରିଥିବା ଖେଳାଳିଙ୍କ ମଧ୍ୟରେ ରହି ଉଥପ୍ପା ସଫଳତାର ସହ ଷ୍ଟମ୍ପକୁ ହିଟ୍ କରିଥିଲେ। ଅନ୍ତର୍ଜାତୀୟ କ୍ରିକେଟ୍‌ରେ ବ୍ରେଟ୍ ଲି’ଙ୍କ ଭଳି ଦୁର୍ଦ୍ଧର୍ଷ ବୋଲରଙ୍କୁ ଆଗକୁ ଆସି ଛକା ମାରିବା ଉଥାପ୍ପାଙ୍କ ବିଶେଷତ୍ବ ଥିଲା।

ସମ୍ବନ୍ଧିତ ଖବର