କୁଲିଂ ଅଫ୍ ପିରିୟଡ୍ ନିୟମ ବଦଳିଲା: ଗାଙ୍ଗୁଲି, ଶାହ ଆଶ୍ବସ୍ତ

ବିସିସିଆଇ ସମ୍ବିଧାନ ସଂଶୋଧନକୁ ସୁପ୍ରିମ୍‌କୋର୍ଟଙ୍କ ସବୁଜ ସଙ୍କେତ

ନୂଆଦିଲ୍ଲୀ: ବିସିସିଆଇ ସଭାପତି ତଥା ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି ଏବଂ ସଂପାଦକ ଜୟ ଶାହଙ୍କୁ ସୁପ୍ରିମକୋର୍ଟରୁ ବଡ଼ ଖୁସି ଖବର ମିଳିଛି। କୁଲିଂ ଅଫ୍ ପିରିୟଡ୍ ନିୟମ ପରିବର୍ତ୍ତନ ଲାଗି ଆବଶ୍ୟକ ବିସିସିଆଇର ସମ୍ବିଧାନ ସଂଶୋଧନକୁ ବୁଧବାର ସୁ୍ପ୍ରିମକୋର୍ଟ ଅନୁମତି ପ୍ରଦାନ କରିଛନ୍ତି। ତା’ ସହ ରାଜ୍ୟ ସଂଘ ଏବଂ ବିସିସିଆଇରେ ଲଗାତାର ଚାରିଟି କାର୍ଯ୍ୟକାଳ (ଉଭୟ ସଂଘରେ ଲଗାତାର ଦୁଇଟି ଲେଖାଏଁ କାର୍ଯ୍ୟକାଳ, ୬ ବର୍ଷ ଲେଖାଏଁ)ରେ ରହିବାକୁ ଆନୁଷ୍ଠାନିକ ମୋହର ମାରିଛନ୍ତି ସୁପ୍ରିମକୋର୍ଟ। ଅର୍ଥାତ୍ ଉଭୟ ରାଜ୍ୟ ଓ ବିସିସିଆଇକୁ ମିଶାଇ ଜଣେ କର୍ମକର୍ତ୍ତା ଏବେ ଲଗାତାର ୧୨ ବର୍ଷ ବିଭିନ୍ନ ପଦ ପଦବିରେ ରହିପାରିବେ। ଫଳରେ ଗାଙ୍ଗୁଲି ଓ ଶାହଙ୍କ ଉପରେ ଝୁଲୁଥିବା ଖଣ୍ଡା ଭୟ ଦୂର ହୋଇଛି। ‌ଉଭୟ ବିସିସିଆଇ ସଭାପତି ଓ ସଂପାଦକ ପଦ ବଜାୟ ରଖିବାର ବାଟ ବି ଫିଟିଛି।

ଲୋଧା ସମିତି ସୁପାରିସ ମୁତାବକ ବିସିସିଆଇ ସମ୍ବିଧାନରେ ସ୍ଥାନ ପାଇଥିବା ‘କୁଲିଂ ଅଫ୍ ପିରିୟଡ୍‌’ ନିୟମ ଅନୁସାରେ ଜଣେ କର୍ମକର୍ତ୍ତା ରାଜ୍ୟ ଓ ବିସିସିଆଇକୁ ମିଶାଇ ଲଗାତାର ଦୁଇଟି କାର୍ଯ୍ୟକାଳ ବା ସର୍ବାଧିକ ୬ ବର୍ଷ ପାଇଁ ବିଭିନ୍ନ ପଦ ପଦବିରେ ରହିପାରିବେ। ଏହା ପରେ ତାଙ୍କୁ ୩ ବର୍ଷ ଲାଗି କୁଲିଂ ଅଫ୍‌ରେ ଯିବାକୁ ହେବ। ଅର୍ଥାତ୍ ଲଗାତାର ଦୁଇଟି କାର୍ଯ୍ୟକାଳ ପରେ ପରବର୍ତ୍ତୀ ୩ ବର୍ଷ ପାଇଁ ସେମାନେ ନିର୍ବାଚନ ଲଢ଼ିପାରିବେ ନାହିଁ। ଏହି ନିୟମ ବଳବତ୍ତର ରହିଥିଲେ ଗାଙ୍ଗୁଲି ଓ ଶାହ ନିଜ ନିଜ ପଦ ଛାଡ଼ିବାକୁ ବାଧ୍ୟ ହୋଇଥା‌’ନ୍ତେ। ତେବେ ସୁପ୍ରିମକୋର୍ଟଙ୍କ ରାୟ ଆସିବା ପରେ ଏମାନେ ଆଉ କିଛି କାଳ ବିସିସିଆଇ ପରିଚାଳନା ଦାୟିତ୍ବରେ ରହିବେ। ଏହି ରାୟ ପରେ ଶାହ ଆଉ ଏକ କାର୍ଯ୍ୟକାଳ ପାଇଁ ବିସିସିଆଇ ସଂପାଦକ ପଦରେ ରହିପାରିବେ। ଗାଙ୍ଗୁଲି ମଧ୍ୟ ଏଥିରୁ ଉପକୃତ ହେବେ। ଏହି କ୍ଷେତ୍ରରେ ତାଙ୍କୁ ଅବଶ୍ୟ ବେଙ୍ଗଲ କ୍ରିକେଟ୍ ସଂଘ ସମର୍ଥନ ଦେବା ଦରକାର।

ବିସିସିଆଇ ସମ୍ବିଧାନ ସଂଶୋଧନକୁ ସୁପ୍ରିମ୍‌କୋର୍ଟଙ୍କ ସବୁଜ ସଙ୍କେତ
ଏଣିକି ଲଗାତାର ୧୨ ବର୍ଷ ବିଭିନ୍ନ ପଦପଦବିରେ ରହିହେବ
ଅନୁବନ୍ଧିତ ସଂଘଗୁଡ଼ିକ ଉପରେ ମଧ୍ୟ ପ୍ରଭାବ ପଡ଼ିବ

ଜଷ୍ଟିସ୍ ଡିୱାଇ ଚନ୍ଦ୍ରଚୂଡ଼ ଏବଂ ହିମା କୋହଲିଙ୍କୁ ନେଇ ଗଠିତ ଖଣ୍ଡପୀଠ ବୁଧବାର ଦେଇଥିବା ରାୟରେ କହିଥିଲେ ଯେ ଗୋଟିଏ ସ୍ତର (ଉଭୟ ରାଜ୍ୟ ଏବଂ ବିସିସିଆଇ)ରେ ଲଗାତାର ଗୋଟିଏ ଲେଖାଏଁ କାର୍ଯ୍ୟକାଳ ଶେଷ କରିବା ପରେ କୁଲିଂ ଅଫ୍‌ରେ ଯିବା ଏକ କଠୋର ନିୟମ। ଯେଉଁ ଲକ୍ଷ୍ୟ ନେଇ ଏହି ଧାରାକୁ ବିସିସିଆଇ ସମ୍ବିଧାନରେ ସାମିଲ କରାଯାଇଥିଲା, ସଂଶୋ‌ଧନ ପରେ ତାର ମୂଳ ଲକ୍ଷ୍ୟରେ କୌଣସି ପରିବର୍ତ୍ତନ ହେବନାହିଁ ବୋଲି ଆମେ ବିଶ୍ବାସ କରୁ। ଏଣୁ ଆମେ ବିସିସିଆଇର ପ୍ରସ୍ତାବିତ ସମ୍ବିଧାନ ସଂଶୋଧନକୁ ଅନୁମତି ପ୍ରଦାନ କରୁଛୁ। ତେବେ ବିସିସିଆଇ ସମ୍ବିଧାନର ଧାରା ୪୫କୁ ସଂଶୋଧନ କରିବାକୁ ସୁପ୍ରିମକୋର୍ଟ ମନା କରି ଦେଇଛନ୍ତି। ଏହି ଧାରା ଅନୁସାରେ ବିସିସିଆଇ ସମ୍ବିଧାନ ସଂ‌ଶୋଧନ ଲାଗି ସୁପ୍ରିମକୋର୍ଟଙ୍କ ମୁଞ୍ଜରି ନେବା ବାଧ୍ୟତାମୂଳକ। ବାର୍ଷିକ ସାଧାରଣ ବୈଠକରେ ସଂଶୋଧନ ପ୍ରସ୍ତାବକୁ ଗୃହିତ କରିବାକୁ ଅନୁମତି ଦେଇଥିଲେ ମଧ୍ୟ ସୁପ୍ରିମକୋର୍ଟଙ୍କ ବିନା ମଞ୍ଜୁରିରେ ଏହାକୁ କାର୍ଯ୍ୟକାରୀ କରିବା ଲାଗି ବିସିସିଆଇ ଯେଉଁ ଅନୁରୋଧ କରିଥିଲା, ତାକୁ ଖାରଜ କରି ଦେଇଥିଲେ ଖଣ୍ଡପୀଠ। ତେବେ ସାମ୍ବିଧାନିକ ସଂସ୍ଥାର ପଦପଦବି ସହ ସରକାରୀ ବିଭାଗରେ କାର୍ଯ୍ୟରତ କର୍ମଚାରୀ ବିସିସିଆଇର କୌଣସି ପଦପଦବିରେ ରହିପାରିବେ ନାହିଁ ବୋଲି ଯେଉଁ ନିୟମ ରହିଛି, ତାର ସମୀକ୍ଷା କରିବାକୁ ଖଣ୍ଡପୀଠ ରାଜି ହୋଇଥିଲେ। କେବଳ ମନ୍ତ୍ରୀ ଏବଂ ସରକାରୀ କର୍ମଚାରୀଙ୍କ ଛଡ଼ା ସାଂସଦ ଏବଂ ବିଧାୟକମାନେ ବିସିସିଆଇର ପଦ ପଦବିରେ ରହିପାରିବେ ବୋଲି ସୁପ୍ରିମକୋର୍ଟ କହିଥିଲେ। ଯାହା ବିସିସିଆଇର ବରିଷ୍ଠ ଉପସଭାପତି ରାଜୀବ ଶୁକ୍ଳାଙ୍କ ପାଇଁ ବଡ଼ ରିହାତି ଥିଲା। କାରଣ ନିକଟରେ ସେ ରାଜ୍ୟସଭା ସାଂସଦ ଭାବେ ନିର୍ବାଚିତ ହୋଇଛନ୍ତ। ବିସିସିଆଇ ଉପସଭାପତି ପଦରେ ବି ରହିଛନ୍ତି। ସୁପ୍ରିମକୋର୍ଟଙ୍କ ଏହି ରାୟର ପ୍ରଭାବ ବିସିସିଆଇର ଅନୁବନ୍ଧିତ ସଂଘଗୁଡ଼ିକ ଉପରେ ମଧ୍ୟ ପଡ଼ିବ।

ସମ୍ବନ୍ଧିତ ଖବର