ଇନ୍‌ଡୋର ଆଥଲେଟିକ୍ସ ଓ ସନ୍ତରଣ ‌କେନ୍ଦ୍ର ଉଦ୍‌ଘାଟିତ: ଇନ୍‌ଡୋର ଡାଇ‌ଭିଂ କେନ୍ଦ୍ରର ଶିଳାନ୍ୟାସ

ଭୁବନେଶ୍ବର: ଭାରତୀୟ ଦୌଡ଼କୁଦ ଓ ସନ୍ତରଣ ‌କ୍ଷେତ୍ରରେ ସବୁଠୁ ବଡ଼ ପଦକ୍ଷେପ ସ୍ବରୂପ ଶନିବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଳିଙ୍ଗ ‌ସ୍ପୋର୍ଟ୍ସ କମ୍ପ୍ଲେକ୍ସରେ ଦକ୍ଷିଣ ଏସିଆର ପ୍ରଥମ ଇନ୍‌ଡୋର ଦୌଡ଼କୁଦ କେନ୍ଦ୍ର ଓ ଇନ୍‌ଡୋର ସନ୍ତରଣ କେନ୍ଦ୍ରକୁ ଉଦ୍‌ଘାଟନ କରିଛନ୍ତି। ଏଥିସହିତ ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ଇନ୍‌ଡୋର ଡାଇଭିଂ କେନ୍ଦ୍ରର ଭିତ୍ତିପ୍ରସ୍ତର ସ୍ଥାପନ ମଧ୍ୟ କରାଯାଇଛି। ଏହି ଦୌଡ଼କୁଦ କେନ୍ଦ୍ର ଇନ୍‌ଡୋର କଣ୍ଟିନେଣ୍ଟାଲ୍‌ ଓ ଆଞ୍ଚଳିକ ପ୍ରତିଯୋଗିତା ଆୟୋଜନ ପାଇଁ ସକ୍ଷମ। ଏଠାରେ ଥିବା ବିଶ୍ବସ୍ତରୀୟ ସୁବିଧାସୁଯୋଗ, ଓଡ଼ିଶା ରିଲାଏନ୍ସ ଫାଉଣ୍ଡେସନ୍‌ ଦୌଡ଼କୁଦର ଉଚ୍ଚ ଗୁଣବତ୍ତା କେନ୍ଦ୍ରର ପ୍ରଶିକ୍ଷଣ କେନ୍ଦ୍ର ଭାବେ ବ୍ୟବହୃତ ହେବ। କାରଣ ଇନ୍‌ଡୋର ଦୌଡ଼କୁଦ କେନ୍ଦ୍ର ନିର୍ମାଣରେ ରିଲାଏନ୍ସ ଫାଉଣ୍ଡେସନ୍‌ର ମଧ୍ୟ ସହଭାଗିତା ରହିଛି। ଏହି କେନ୍ଦ୍ରରେ ୧୦ହଜାର ବର୍ଗମିଟରର ସିନ୍ଥେଟିକ୍‌ ଟ୍ରାକ୍‌ ରହିଥିଲା ବେଳେ ଅଲିମ୍ପିକ୍ସରେ ବ୍ୟବହାର ହେଉଥିବା ଟ୍ରାକ୍‌କୁ ଏଠାରେ ବ୍ୟବହାର କରାଯାଇଛି। ଟ୍ରାକ୍‌କୁ ଇଟାଲି କମ୍ପାନି ମଣ୍ଡୋ ସ୍ପା ନିର୍ମାଣ କରିଛି। ଏହାମଧ୍ୟରେ ୨୦୦ ମିଟର ସିନ୍ଥେଟିକ୍‌ ଟ୍ରାକ୍‌ ସହ ୮୦ ମିଟର ଓ ୨୦ ମିଟରର ଦୌଡ଼ ଟ୍ରାକ୍‌, ଲମ୍ବଡିଆଁ, ଟ୍ରିପଲ୍‌ ଜମ୍ପ୍‌, ପୋଲ୍‌ ଭଲ୍ଟ, ସଟ୍‌ ପୁଟ୍‌ ଇତ୍ୟାଦି ପାଇଁ ସ୍ବତନ୍ତ୍ର ସ୍ଥାନ ରହିଛି।

ଉଚ୍ଚ ଗୁଣବତ୍ତା ‌କ୍ରୀଡ଼ାବିତ୍‌ଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଏଠରେ ୬୦ଟି ଟ୍ବିନ୍‌ ସେୟାରିଂ ରୁମ୍‌ ରହିଛି। ଏଠାରେ ପ୍ରଶିକ୍ଷଣ ନେବାକୁ ଥିବା କ୍ରୀଡ଼ାବିତ୍‌ଙ୍କ ରହିବା ପାଇଁ ଏହି ରୁମ୍‌ଗୁଡ଼ିକ ନିର୍ମାଣ କରାଯାଇଛି। ୨୦୨୩ ଡିସେମ୍ବରରେ ଏହି କେନ୍ଦ୍ରକୁ କ୍ୟାଟେଗୋରି-୧ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା।
ଅନ୍ୟପକ୍ଷରେ ଇନ୍‌ଡୋର ସନ୍ତରଣ କେନ୍ଦ୍ରରେ ୫୦ ମିଟର ଅଲିମ୍ପିକ୍‌ ସାଇଜ୍‌ ସୁଇମିଂ ପୁଲ୍‌ ଓ ୨୪ ମିଟରର ୱାର୍ମ ଅପ୍‌ ପୁଲ୍‌ ରହିଛି। ୧୦୦୦ ଦର୍ଶକ ବସିବା ଭଳି ବ୍ୟବସ୍ଥା ରହିଥିବାରୁ ଏଠାରେ ଆନ୍ତର୍ଜାତିକ ଇଭେଣ୍ଟ ଆୟୋଜନ ପାଇଁ ସମସ୍ତ ସୁବିଧା ରହିଛି। ଫିଟ୍‌ନେସ୍‌ ସେଣ୍ଟର, ସ୍ପୋର୍ଟ୍ସ ରିକଭରି ଓ ୨୬ଟି ଟ୍ବିନ୍‌ ସେୟାରିଂ ରୁମ୍‌ ଏଠାରେ ରହିଛି। ଏହି କେନ୍ଦ୍ରକୁ ଜେଏସ୍‌ଡବ୍ଲ୍ୟୁ ସହିତ ମିଳିତ ସହଭାଗିତାରେ ଓଡ଼ିଶା ଇନସ୍ପାୟାର ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ସ୍ପୋର୍ଟ୍ସ (ଆଇଆଇଏସ୍‌) ଏଚ୍‌ପିସି ପରିଚାଳନା କରିବ। ଏଥିସହିତ ଏହି କେନ୍ଦ୍ରର ନିର୍ମାଣରେ ନାଲ୍‌କୋ ସିଏସ୍‌ଆର୍‌ ପାଣ୍ଠି ବିନିଯୋଗ କରାଯାଇଛି। କଳିଙ୍ଗ ଷ୍ଟାଡିୟମ୍‌ ପରିସରରେ ହେବାକୁ ଯାଉଥିବା ଡାଇଭିଂ କେନ୍ଦ୍ରରେ ୨୫ ମିଟରର ଗୋଟିଏ ଡାଇଭିଂ ପୁଲ୍‌ ନିର୍ମାଣ କରାଯିବ। ଏଥିସହିତ ଅତିରିକ୍ତ ୫ମିଟରର ସଂଯୁକ୍ତ ପୁଲ୍‌ ନିର୍ମାଣ କରାହେବ। ଏଠାରେ ୫୦୦ ଦର୍ଶକ ବସିବା ପାଇଁ ବ୍ୟବସ୍ଥା ରହିବ।

ଉଭୟ କେନ୍ଦ୍ରକୁ ଉଦ୍‌ଘାଟନ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି, ପ୍ରତିକୂଳ ପାଗ ସତ୍ତ୍ବେ କ୍ରୀଡ଼ାବିତ୍‌ମାନେ ବର୍ଷ ତମାମ୍‌ ଇନ୍‌ଡୋର ଦୌଡ଼କୁଦ କେନ୍ଦ୍ରରେ ଅଭ୍ୟାସ ‌କରିପାରିବେ। ଏହା ନିଶ୍ଚିତ ଭାବରେ ଉଭୟ ଆନ୍ତର୍ଜାତୀୟ ଏବଂ ଜାତୀୟ ସ୍ତରରେ କ୍ରୀଡା ଉତ୍କର୍ଷ ପାଇଁ ନୂତନ ମାନକ ସ୍ଥିର କରିବାରେ ସାହାଯ୍ୟ କରିବ। ଏଥିସହିତ ରିଲାଏନ୍ସ ଫାଉଣ୍ଡେସନ୍‌, ଜେଏସ୍‌ଡବ୍‌ଲ୍ୟୁ ଓ ଇନ୍‌ସ୍ପାୟାର ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ସ୍ପୋର୍ଟ୍ସ ସହିତ ଓଡ଼ିଶାର ସହଭାଗିତାକୁ ଆହୁରି ସୁଦୃଢ କରିବ ବୋଲି ମୁଖ୍ୟମନ୍ତ୍ରୀ ଆଶା ରଖିଛନ୍ତି। ଉଦ୍‌ଘାଟନ ଅବସରରେ ୫-ଟି ଓ ନବୀନ ଓଡ଼ିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ୍‌, କ୍ରୀଡ଼ା ମନ୍ତ୍ରୀ ତୁଷାରକାନ୍ତି ବେହେରା, କ୍ରୀଡ଼ା ସଚିବ ଭିନିଲ କ୍ରୀଷ୍ଣା, ନାଲ୍‌କୋ ସିଏମ୍‌ଡି ଶ୍ରୀଧର ପାତ୍ର, ରିଲାଏନ୍ସ ଫାଉଣ୍ଡେସନ୍‌ ନିର୍ଦ୍ଦେଶକ ଆଶିଷ କଣ୍ଟ୍ରାକ୍ଟର, ଜେଏସ୍‌ଡବ୍‌ଲ୍ୟୁ ସ୍ପୋର୍ଟ୍ସ ସିଇଓ ମୁସ୍ତଫା ଘୋଷ, ଭାରତୀୟ ଦୌଡ଼କୁଦ ମହାସଂଘ ସଭାପତି ଆଦିଲେ ସୁମରିୱାଲା, ଭାରତୀୟ ସନ୍ତରଣ ମହାସଂଘ ସମ୍ପାଦକ ମୋନାଲ୍‌ ଚୋକ୍‌ସି, ଓଡ଼ିଶା ଦୌଡ଼କୁଦ ସଂଘ ସମ୍ପାଦକ ଆଶୀର୍ବାଦ ବେହେରା, ଓଡ଼ିଶା ଅଲିମ୍ପିକ୍ ସଂଘ ସମ୍ପାଦକ ଅଭିଜିତ ପାଲ୍‌ ଓ ଅନ୍ୟାନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର