ଐତିହାସିକ ରାଇବଣିଆ ଦୁର୍ଗ ପ୍ରାଚୀରକୁ ଭାଙ୍ଗିଦେଲେ

ରାସ୍ତା ପାଇଁ ପ୍ରାଚୀର ଭାଙ୍ଗିବାକୁ ପଡ଼ିଲା: ସଂସ୍କୃତି ମନ୍ତ୍ରୀ

ଜଳେଶ୍ୱର: ରାସ୍ତା ପାଇଁ ୧୨ ଶହ ବର୍ଷର ପୁରୁଣା ଐତିହାସିକ କୀର୍ତ୍ତିରାଜିକୁ ଭାଙ୍ଗିବାକୁ ପଶ୍ଚାତପଦ ହୋଇନି ଗ୍ରାମ୍ୟ ଉନ୍ନୟନ ବିଭାଗ। ବାରବାଟି ଦୁର୍ଗ ସମୟରେ ତିଆରି ହୋଇଥିବା ବାଲେଶ୍ବର ଜିଲ୍ଲା ଜଳେଶ୍ବର ବ୍ଲକ୍‌ ରାଇବଣିଆ ଦୁର୍ଗର ୩ଟି ସୁରକ୍ଷା ପ୍ରାଚୀରକୁ ଭାଙ୍ଗି ଦିଆଯାଇଛି। ଏୗତିହାସିକ ଡ.ଶ୍ରୀକାନ୍ତଚରଣ ପାତ୍ର କହିଛନ୍ତି, ପ୍ରଥମ ଲାଙ୍ଗୁଳା ନରସିଂହ ଦେବଙ୍କ ରାଜୁତି କାଳରେ ୧୨୩୮ରୁ ୧୨୬୪ ଖ୍ରୀଷ୍ଟାବ୍ଦ ମଧ୍ୟରେ ବାହ୍ୟଶତ୍ରୁ କବଳରୁ ସୁରକ୍ଷା ଦେବା ପାଇଁ ରାଇବଣିଆ ଦୁର୍ଗର ଚତୁଃପାର୍ଶ୍ବରେ ବିରାଟ ପ୍ରାଚୀର ସହ ଗଡ଼ଖାଇ (ଜଳାଶୟ) ନିର୍ମାଣ କରାଯାଇଥିଲା। ତେବେ ଦୁର୍ଗର ପଶ୍ଚିମ ପାର୍ଶ୍ବକୁ ଛାଡିଦେଲେ, ଅନ୍ୟ ସ୍ଥାନରେ ପ୍ରାଚୀର ଓ ଗଡ଼ଖାଇର ଆଉ ଚିହ୍ନବର୍ଣ୍ଣ ନାହିଁ। ଫଳରେ ରାଇବଣିଆ ଦୁର୍ଗର ସୁରକ୍ଷା ପାଇଁ ରାଜ୍ୟ ସରକାର ୧୬ କୋଟି ୮୭ ଲକ୍ଷ ଟଙ୍କା ବ୍ୟୟବରାଦ କରିଥିଲେ। ୨୦୨୩ ମସିହା ଡିସେମ୍ବର ୨୪ ତାରିଖରେ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଅଶ୍ବିନୀ କୁମାର ପାତ୍ର ନିର୍ମାଣ ହେବାକୁ ଥିବା ଏହି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ଏଥିସହିତ ଦୁର୍ଗ ଭିତର ଦେଇ କମାରସାହି ଛକଠାରୁ ଗୁଣ୍ଠୁଳି ଛକ ଦେଇ ବାଉଁଶବଣି ପର୍ଯ୍ୟନ୍ତ ଗ୍ରାମ୍ୟ ଉନ୍ନୟନ ରାସ୍ତା ନିର୍ମାଣ ପାଇଁ ମଧ୍ୟ ଶିଳାନ୍ୟାସ କରିଥିଲେ ମନ୍ତ୍ରୀ। ଏହି ରାସ୍ତା କାମ ଏବେ ଆରମ୍ଭ ହୋଇଛି। ତେବେ ରାସ୍ତା ପାଇଁ ବାଧକ ହେଉଥିବା ଦର୍ଶାଇ ରାଇବଣିଆ ଦୁର୍ଗର ପଶ୍ଚିମ ପଟେ ଥିବା ୩ଟି ସୁଉଚ୍ଚ ସୁରକ୍ଷା ପ୍ରାଚୀରକୁ ଜେସିବି ଦ୍ବାରା ଧ୍ବଂସ କରି ଦିଆଯାଇଛି।

ଏହାଛଡ଼ା ବନ ବିଭାଗର ବିନା ଅନୁମତିରେ ପ୍ରାଚୀର ଓ ଗଡ଼ଖାଇ ହୁଡ଼ାରୁ ଗଛ ମଧ୍ୟ କାଟି ଦିଆଯାଇଛି। ଡ.ପାତ୍ର ପ୍ରାଚୀନ ଐତିହ୍ୟ ବିଲୁପ୍ତକୁ ଘୋର ବିରୋଧ କରିଛନ୍ତି। ରାଇବଣିଆ ଦୁର୍ଗ ଓ ପ୍ରାଚୀରର ପ୍ରତିଟି ପଥର ଖଣ୍ଡ ତଳେ ଓଡ଼ିଶାର ଐତିହ୍ୟ କଳାକୃତି ଲୁଚି ରହିଛି। ଏହାକୁ ଭାଙ୍ଗି ନଷ୍ଟ କରିବା ଅର୍ଥ ଶହ ଶହ ବର୍ଷର ଇତିହାସକୁ ନଷ୍ଟ କରିବା ସହିତ ସମାନ ବୋଲି କହିଛନ୍ତି ରାଇବଣିଆ ଦୁର୍ଗ ସୁରକ୍ଷା କମିଟିର ସହ ସଂପାଦକ ନାରାୟଣ ପ୍ରସାଦ ଦାସ। ଏ ସଂପର୍କରେ ମନ୍ତ୍ରୀ ଶ୍ରୀ ପାତ୍ର କହିଛନ୍ତି, ରାସ୍ତା ପ୍ରଶସ୍ତୀକରଣ ପାଇଁ ପ୍ରାଚୀରକୁ ଭାଙ୍ଗିବା ଆବଶ୍ୟକ ଥିଲା। କିନ୍ତୁ ପ୍ରାଚୀରରୁ ବାହାରୁଥିବା ଭଙ୍ଗା ପଥରଖଣ୍ଡକୁ ରାସ୍ତା କାମରେ ଲଗାଯାଉଛି ବୋଲି ମୁଁ ଜାଣିନି। ଏହା ଠିକ୍‌ ନୁହେଁ। ଏ ସଂକ୍ରାନ୍ତରେ ନିଜେ ଯାଞ୍ଚ କରିବେ ବୋଲି ମନ୍ତ୍ରୀ ଶ୍ରୀ ପାତ୍ର ପ୍ରତିଶ୍ରୁତି ଦେଇଥିଲେ।

ସମ୍ବନ୍ଧିତ ଖବର