ପୂର୍ବତନ ୱାର୍ଡସଭ୍ୟ ଦମ୍ପତିଙ୍କୁ ହତ୍ୟା: ବିଭିନ୍ନ ଦିଗରୁ ପୁଲିସର ତଦନ୍ତ

ମାଓ ଭୟରେ ଗଲାନି ପୁଲିସ, ବିଳମ୍ବରେ ଶବ ଆଣିଲେ

ଫୁଲବାଣୀ/ଫିରିଙ୍ଗିଆ: କନ୍ଧମାଳ ଜିଲ୍ଲା ଗୋଛାପଡ଼ା ଥାନା ଅନ୍ତର୍ଗତ ଗିଡ଼ାପଦରର ଛୋଟ ଗାଁ କାଡ଼ାଗାଟାରେ ପୂର୍ବତନ ୱାର୍ଡସଭ୍ୟ ଦମ୍ପତିଙ୍କୁ ହତ୍ୟା କରାଯାଇଛି। ଗୁଣିଆ ସନ୍ଦେହରେ ଏହି ହତ୍ୟାକାଣ୍ଡ ଘଟିଥିବା ପୁଲିସ କହୁଥିବା ବେଳେ ମାଓବାଦୀମାନେ ହତ୍ୟା କରିଛନ୍ତି ବୋଲି ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ହେଉଛି। ହତ୍ୟାକାଣ୍ଡର ପ୍ରକୃତ କାରଣ ଖୋଜି ବାହାର କରିବା ପାଇଁ ବିଭିନ୍ନ ଦିଗକୁ ତଦନ୍ତ ପରିସରଭୁକ୍ତ କରାଯାଇଛି ବୋଲି ଏସ୍‌ପି ଶୁଭେନ୍ଦୁ କୁମାର ପାତ୍ର କହିଛନ୍ତି।

ସୂଚନା ଅନୁସାରେ କାଡ଼ାଗାଟା ଠାରୁ କିଛି ଦୂରରେ ପୂର୍ବତନ ୱାର୍ଡସଭ୍ୟ ଦମ୍ପତି ଡାହିରା କହଁର (୫୩) ଏବଂ ତାଙ୍କ ସ୍ତ୍ରୀ ବତାସୀ କହଁର (୪୭) ଅସ୍ଥାୟୀ ଘର କରି ରହୁଥିଲେ। ଆଖପାଖରେ ଆଉ କାହାର ଘର ନଥିବା ବେଳେ ଗତକାଲି ସନ୍ଧ୍ୟାରେ ଏହି ହତ୍ୟାକାଣ୍ଡ ଘଟିଥିବା ଅନୁମାନ କରାଯାଉଛି। ଗ୍ରାମର କେହି ଜଣେ ନିକଟସ୍ଥ ବାଘନଦୀ କୂ‌ଳକୁ ଶୌଚ ପାଇଁ ଯାଇଥିବା ବେଳେ ଉଭୟଙ୍କ ଶବ ପଡ଼ିଥିବା ଦେଖି ଗ୍ରାମବାସୀଙ୍କୁ ଖବର ଦେଇଥିଲେ। ଏହାପରେ ସ୍ଥାନୀୟ ଲୋକେ ଲୁଇସିଂ ସରପଞ୍ଚଙ୍କୁ ଖବର ଦେଇଥିଲେ। ଆଜି ମୃତ ଡାହିରା ଏବଂ ବତାସୀଙ୍କ ପୁଅ ଗୋଛାପଡ଼ା ଥାନାରେ ଏତଲା ଦେବା ପରେ ତଦନ୍ତ ଆରମ୍ଭ ହୋଇଛି। ତେବେ ଏହି ଅଞ୍ଚଳ ଏକ ମାଓପ୍ରବଣ ଅଞ୍ଚଳ ହୋଇଥିବାରୁ ମାଓବାଦୀମାନେ ସେମାନଙ୍କୁ ହତ୍ୟା କରିଥାଇ ପାରନ୍ତି ବୋଲି ସ୍ଥାନୀୟ ଅଞ୍ଚଳରେ ଗୁଜବ ଖେଳି ଯାଇଥିଲା। ଏପରିକି ମାଓପ୍ରବଣ ଅଞ୍ଚଳ ହୋଇଥିବାରୁ ପୁଲିସ ଘଟଣାସ୍ଥଳକୁ ଯିବାକୁ ପଛଘୁଞ୍ଚା ଦେଇଥିଲା। ପରେ ଗ୍ରାମବାସୀଙ୍କ ସହାୟତାରେ ଜଙ୍ଗଲରୁ ଉଭୟଙ୍କ ଶବ ଅଧାବାଟ ଖଟିଆରେ ଦୋଳା କରି ବୋହି ଆଣିବା ପରେ ଆମ୍ବୁଲାନ୍ସ ଯୋଗେ ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା। ଆଜି ଅପରାହ୍ନରେ ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଶବ ଦୁଇଟିର ବ୍ୟବଚ୍ଛେଦ କରାଯାଇଛି।

ଏସ୍‌ପି ଶ୍ରୀ ପାତ୍ରଙ୍କ ସୂଚନା ଅନୁସାରେ, ଗିଡ଼ାପଦର ଗ୍ରାମର ଡାହିରା ଏବଂ ତାଙ୍କ ପତ୍ନୀ ବତାସୀ ଦୁହେଁ ମିଶି ବାଘ ନଦୀକୂଳ ଗୁମାଲଦାନି ଅଞ୍ଚଳରେ ବ୍ୟାପକ ପରିମାଣରେ ଗଞ୍ଜେଇ ଚାଷ କରିଥିଲେ। ଗଞ୍ଜେଇ ଚାଷକୁ ନେଇ ଏହି ଦମ୍ପତି ଏବଂ ଗ୍ରାମବାସୀଙ୍କ ମଧ୍ୟରେ ବହୁଦିନରୁ ଶତ୍ରୁତା ଲାଗି ରହିଥିଲା। ଏହାଛଡ଼ା ସ୍ବାମୀ, ସ୍ତ୍ରୀ ଗାଁରେ ଗୁଣି କାମ କରୁଥିବା ସନ୍ଦେହରେ ଗ୍ରାମବାସୀ ସେମାନଙ୍କ ଉପରେ ଅସନ୍ତୁଷ୍ଟ ଥିଲେ। ଏଣୁ ପୂର୍ବ ଶତ୍ରୁତାରୁ ‌ସ୍ବାମୀ-ସ୍ତ୍ରୀ ଦୁହିଁଙ୍କୁ କେହି ହତ୍ୟା କରିଥାଇ ପାରନ୍ତି ବୋଲି ଏସ୍‌ପି ଶ୍ରୀ ପାତ୍ର ସୂଚନା ଦେଇଛନ୍ତି। ତେବେ ଘଟଣାର ତଦନ୍ତ ଜାରି ରହିଛି ଏବଂ ତଦନ୍ତ ପରେ ସବୁକିଛି ସ୍ପଷ୍ଟ ହୋଇଯିବ ବୋଲି ସେ କହିଛନ୍ତି। ସ୍ବାମୀ-ସ୍ତ୍ରୀଙ୍କୁ କୌଣସି ଧାରୁଆ ଅସ୍ତ୍ର କିମ୍ବା ଟାଙ୍ଗିଆରେ ବୀଭତ୍ସ ଭାବେ ହତ୍ୟା କରାଯାଇଛି। ଏହି ହତ୍ୟାକାଣ୍ଡରେ ମାଓବାଦୀଙ୍କ ସମ୍ପୃକ୍ତି ନେଇ କୌଣସି ପ୍ରମାଣ ନାହିଁ। ତେବେ କେହି ଶତ୍ରୁ ଏହି ଦମ୍ପତିଙ୍କୁ ହତ୍ୟା କରି ମାଓବାଦୀଙ୍କ ନାମ ଦେବାକୁ ଉଦ୍ୟମ କରିଥାଇ ପାରନ୍ତି। ପୁଲିସ ସେ ଦିଗରେ ତଦନ୍ତ କରୁଛି ବୋଲି ମଧ୍ୟ ଏସ୍‌ପି ଶ୍ରୀ ପାତ୍ର କହିଛନ୍ତି। ମାଓବାଦୀମାନେ ଗଞ୍ଜେଇ ଚାଷକୁ ସମର୍ଥନ କରି ପୂର୍ବରୁ ବିଭିନ୍ନ ସ୍ଥାନରେ ପୋଷ୍ଟର, ବ୍ୟାନର ଲଗାଇଛନ୍ତି। ଯଦି ଏହି ଦମ୍ପତି ଗଞ୍ଜେଇ ଚାଷ କରୁଥିଲେ ତେବେ ମାଓବାଦୀମାନେ ସେମାନଙ୍କୁ କାହିଁକି ହତ୍ୟା କରିବେ ବୋଲି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ତେବେ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ହତ୍ୟାକାଣ୍ଡର ପ୍ରକୃତ କାରଣ ଜଣାପଡ଼ିବ ବୋଲି ତଦନ୍ତ ଦାୟିତ୍ବରେ ଥିବା ଏସ୍‌ଡିପିଓ ସୁପ୍ରସନ୍ନ ମଲିକ ସୂଚନା ଦେଇଛନ୍ତି। ଡାହିରା ଦୁଇଥର ୱାର୍ଡମେମ୍ବର ଦାୟିତ୍ବରେ ରହିଥିବା ବେଳେ ପତ୍ନୀ ବତାସୀ ମଧ୍ୟ ଥରେ ସଲାଗୁଡ଼ା ପଞ୍ଚାୟତର ୱାର୍ଡସଭ୍ୟା ଦାୟିତ୍ବରେ ଥିଲେ।

ସମ୍ବନ୍ଧିତ ଖବର