ଖେଲୋ ଇଣ୍ଡିଆ ବିଶ୍ବବିଦ୍ୟାଳୟ କ୍ରୀଡ଼ା : ଗୋଟିଏ ଦିନରେ ଓଡ଼ିଶାକୁ ୪ ପଦକ

ଭୁବନେଶ୍ବର : ଚଳିତ ଖେଲୋ ଇଣ୍ଡିଆ ବିଶ୍ବବିଦ୍ୟାଳୟ କ୍ରୀଡ଼ାରେ ଓଡ଼ିଶା ବୁଧବାର ପଦକ ଖାତା ଖୋଲିଛି। ଆଜି ରାଜ୍ୟର ଦୁଇ ପ୍ରତିଷ୍ଠିତ ବିଶ୍ବବିଦ୍ୟାଳୟ, କିଟ୍ ତିନିଟି ଓ ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ଗୋଟିଏ ପଦକ ଅମଳ କରି ନେଇଛନ୍ତି। କିଟ୍‌ର ଏଲ୍‌ ସୂର୍ଯ୍ୟମଣୀ ମାଝୀ, ଶ୍ରବଣ କୁମାର ମଣ୍ଡାଗି ଓ ରଞ୍ଜିତ ନାୟକ ତୀରନ୍ଦାଜିର ଦଳଗତ ରିକର୍ଭରେ ସ୍ବର୍ଣ୍ଣ ପଦକ ଜିତିଥିଲେ। ଏହା ମଧ୍ୟ ରାଜ୍ୟ ପାଇଁ ପ୍ରଥମ ପଦକ ଥିଲା। ଏହା ପରେ ରଞ୍ଜିତ ବ୍ୟକ୍ତିଗତ ରିକର୍ଭରେ ରୌପ୍ୟ ପଦକ ଜିତି ଯୁଗଳ ସଫଳତା ହାସଲ କରିଥିଲେ। ଅନ୍ୟ ଦୁଇ ପଦକ ପ୍ରମିଳା କିର୍ସାନୀ ଓ କୁମ୍ବେଶ୍ବର ମଲ୍ଲିକ ଭାରୋତ୍ତୋଳନରେ ଜିତିଥିଲେ। ପ୍ରମିଳା ବ୍ରହ୍ମପୁର ବିଶ୍ବବିଦ୍ୟାଳୟର ପ୍ରତିନିଧିତ୍ବ କରୁଥିଲା ବେଳେ ସେହି ବ୍ରହ୍ମପୁର ବାସିନ୍ଦା କୁମ୍ବେଶ୍ବର କିଟ୍ ବିଶ୍ବବିଦ୍ୟାଳୟ ପକ୍ଷରୁ ଖେଳୁଥିଲେ।

ପ୍ରତିଯୋଗିତାର ଷଷ୍ଠ ଦିନ ସୁଦ୍ଧା ୨୪ଟି ବିଶ୍ବବିଦ୍ୟାଳୟ ଗୋଟିଏ ଲେଖାଏଁ ସ୍ୱର୍ଣ୍ଣ ପଦକ ଜିତିଥିବା ବେଳେ ୩୯ଟି ବିଶ୍ବବିଦ୍ୟାଳୟ ଗୋଟିଏ ଲେଖାଏଁ ପଦକ ଜିତିବାକୁ ସକ୍ଷମ ହୋଇଛନ୍ତି। ତେବେ ସାବିତ୍ରୀବାଇ ଫୁଲେ ପୁନେ ବିଶ୍ବବିଦ୍ୟାଳୟ ୧୦ ସ୍ୱର୍ଣ୍ଣ, ୪ ରୌପ୍ୟ, ୬ କାଂସ୍ୟ ସହ ମୋଟ ୨୦ ପଦକ ପାଇ ତାଲିକାର ଶୀର୍ଷରେ ରହିଛି। ୮ ସ୍ୱର୍ଣ୍ଣ, ୧୦ ରୌପ୍ୟ, ୬ କାଂସ୍ୟ ସହ ୨୪ ପଦକ ପାଇ ପଞ୍ଜାବ ବିଶ୍ବବିଦ୍ୟାଳୟ ଦ୍ବିତୀୟ ଏବଂ ୮ ସ୍ବର୍ଣ୍ଣ, ୬ ରୌପ୍ୟ, ୨ କାଂସ୍ୟ ସହ ୧୬ ପଦକ ପାଇ ଜୈନ ବିଶ୍ବବିଦ୍ୟାଳୟ ତୃତୀୟ ସ୍ଥାନରେ ରହିଛି।

ତୀରନ୍ଦାଜିରେ ରଞ୍ଜିତଙ୍କ ଯୁଗଳ ସଫଳତା
ଚଳିତ ଖେଲୋ ଇଣ୍ଡିଆ ବିଶ୍ବବିଦ୍ୟାଳୟରେ ରଞ୍ଜିତ ନାଏକ ବୁଧବାର ଓଡ଼ିଶାକୁ ପ୍ରଥମ ପଦକ ଭେଟି ଦେବା ସହ ଯୁଗଳ ସଫଳତା ମୁଠାଇଥିଲେ। କିଟ୍‌ ପକ୍ଷରୁ ଖେଳୁଥିବା ରଞ୍ଜିତ ପୂର୍ବରୁ ପୁରୁଷ ରିକର୍ଭ ଏକକ ବର୍ଗରେ ରୌପ୍ୟ ଓ ଦଳଗତ‌ ବର୍ଗ ସ୍ବର୍ଣ୍ଣ ବିଜେତା ‌କିଟ୍‌ ଦଳର ସଦସ୍ୟ ରହିଥିଲେ। ଏକକ ଫାଇନାଲ୍‌ରେ ପହଞ୍ଚି ପଦକ ନିଶ୍ଚିତ କରିଥିବା ରଞ୍ଜିତ କିନ୍ତୁ କଡ଼ା ସଂଘର୍ଷ କରି ୪-୬ (୨୯-୨୭, ୨୭-୨୮, ୨୬-୨୮, ୨୭-୨୬, ୨୩-୨୭)ରେ ଅମୃତସରର ପଞ୍ଜାବୀ ବିଶ୍ବବିଦ୍ୟାଳୟର ଉତ୍କର୍ଷ ଦିକ୍ଷିତଙ୍କଠୁ ହାରି ରୌପ୍ୟରେ ସନ୍ତୁଷ୍ଟ ରହିଥିଲେ। ହେଲେ ସେ ତାଙ୍କ ସ୍ବର୍ଣ୍ଣ ପଦକ ସ୍ବପ୍ନ ରିକର୍ଭ ଦଳଗତ ପ୍ରତିଯୋଗିତାରେ ପୂରଣ କରିଥିଲେ। ରଞ୍ଜିତ, ସୂର୍ଯ୍ୟମଣି ମାଝି ଓ ଶ୍ରବଣ କୁମାର ମଣ୍ଡାଗିଙ୍କୁ ନେଇ କିଟ୍‌ ପୁରୁଷ ରିକର୍ଭ ଦଳ ଫାଇନାଲ୍‌ରେ ୫-୧ରେ ପବନ, ଉତ୍କର୍ଷ ଓ ଲଲିତ ଜୈନଙ୍କୁ ନେଇ ଗଠିତ ପଞ୍ଜାବୀ ବିଶ୍ବବିଦ୍ୟାଳୟ ଦଳକୁ ପରାସ୍ତ କରିଥିଲେ। ଏହି ସ୍ବର୍ଣ୍ଣ ଜିତି ରଞ୍ଜିତ ଯୁଗଳ ସଫଳତା ହାସଲ କରିବା ସହ ଉତ୍କର୍ଷଙ୍କଠୁ ଏକକ ବର୍ଗ ପରାଜୟର ମଧୁର ପ୍ରତିଶୋଧ ନେଇଥିଲେ।

ଭାରୋତ୍ତୋଳନ‌େର ପ୍ରମିଳାଙ୍କୁ ରୌପ୍ୟ, କୁମ୍ବେଶ୍ବରଙ୍କୁ କାଂସ୍ୟ
ବ୍ରହ୍ମପୁର : ଚଳିତ ପ୍ରଥମ ଖେଲୋ ଇଣ୍ଡିଆ ବିଶ୍ବବିଦ୍ୟାଳୟ କ୍ରୀଡ଼ାର ଭାରୋତ୍ତୋଳନରେ ଓଡ଼ିଶାକୁ ବୁଧବାର ଦୁଇଟି ପଦକ ମିଳିଛି। ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ପାଇଁ ପ୍ରତିନିଧିତ୍ବ କରିଥିବା ପ୍ରମିଳା କିର୍ସାନୀ ରୌପ୍ୟ ଏବଂ କିଟ୍ ବିଶ୍ବବିଦ୍ୟାଳୟର ପ୍ରତିନିଧିତ୍ବ କରିଥିବା କୁମ୍ବେଶ୍ବର ମଲ୍ଲିକ କାଂସ୍ୟ ପଦକ ହାସଲ କରିଛନ୍ତି। ପ୍ରମିଳା ୫୫ କେଜି ମହିଳା ବର୍ଗରେ ମୋଟ ୧୬୨ (୭୧ କେଜି ସ୍ନାଚ୍‌, ୯୧ କେଜି କ୍ଲିନ୍ ଆଣ୍ଡ ଜର୍କ‌୍) କେଜି ଭାରୋତ୍ତୋଳନ କରି ଦ୍ବିତୀୟ ସ୍ଥାନରେ ରହିବା ସହ ରୌପ୍ୟ ପଦକ ହାସଲ କରିଛନ୍ତି। ସେ ବୁଗୁଡ଼ା ପିପୁଲ୍ସ କଲେଜରେ +୩ ପଢ଼ୁଥିବା ବେଳେ ଅନ୍ତଃବିଶ୍ବବିଦ୍ୟାଳୟ ପ୍ରତିଯୋଗିତାରେ ମଧ୍ୟ ଅଂଶଗ୍ରହଣ କରିଥିଲେ। କିନ୍ତୁ ସେଠାରେ ୪ର୍ଥ ସ୍ଥାନରେ ରହି ଅଳ୍ପକେ ପଦକରୁ ବଂଚିତ ହୋଇଥିଲେ। ଏହି ପ୍ରତିଯୋଗିତାରେ କିନ୍ତୁ ଉନ୍ନତ ପ୍ରଦର୍ଶନ କରି ପଦକ ହାତେଇଛନ୍ତି। ବ୍ରହ୍ମପୁର ବିଶ୍ବବିଦ୍ୟାଳୟର ମୋଟ ଚାରି ଜଣ ଭାରୋତ୍ତୋଳକ ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରୁଛନ୍ତି। ସେମାନଙ୍କୁ ଏକାଧିକ ପଦକ ମିଳିବାର ସମ୍ଭାବନା ରହିଛି। କାଂସ୍ୟ ଜିତିଥିବା‌ କୁମ୍ବେଶ୍ବରଙ୍କ ଘର ବିକାଶପୁରରେ ହୋଇଥିବା ବେଳେ ସେ ମହୁଡ଼ା ସ୍ଥିତ ଗ୍ରାମ ବିକାଶରେ ରହି ପାଠ ପଢ଼ିବା ସହ ଭାରୋତ୍ତୋଳନ ଅଭ୍ୟାସ କରୁଥିଲେ। ଉଚ୍ଚଶିକ୍ଷା ଲାଭ କରିବା ପାଇଁ କିଟ୍‌ରେ ନାମ ଲେଖାଇଛନ୍ତି। ବୁଧବାର ସେ ୫୫ କେଜି ପୁରୁଷ ବର୍ଗରେ ଶ୍ରେଷ୍ଠ ପ୍ରଦର୍ଶନ କରିଥିଲେ। ୯୨ କେଜି ସ୍ନାଚ୍‌, ୧୧୮କେଜି କ୍ଲିନ୍ ଆଣ୍ଡ ଜର୍କ‌୍ ସହ ମୋଟ ୨୧୦ କେଜି ଭାରୋତ୍ତୋଳନ କରି ପଦକ ହାସଲ କରିବାରେ ସକ୍ଷମ ହୋଇଛନ୍ତି।

ସମ୍ବନ୍ଧିତ ଖବର