ଖେଲୋ ଇଣ୍ଡିଆ ବିଶ୍ବବିଦ୍ୟାଳୟ କ୍ରୀଡ଼ାର ପୁରୁଷ ୫୫ କିଲୋଗ୍ରାମ ଭାରୋତ୍ତୋଳନରେ ସଙ୍କେତ ସୃଷ୍ଟି କଲେ ଜାତୀୟ କୀର୍ତ୍ତିମାନ

ଭୁବନେଶ୍ବର : ଖେଲୋ ଇଣ୍ଡିଆ ବିଶ୍ବବିଦ୍ୟାଳୟ କ୍ରୀଡ଼ାର ପୁରୁଷ ୫୫ କିଲୋଗ୍ରାମ ଭାରୋତ୍ତୋଳନରେ ମହାରାଷ୍ଟ୍ରର ଶିବାଜୀ ବିଶ୍ବବିଦ୍ୟାଳୟର ସଙ୍କେତ ମହାଦେବ ସାଗର ଓ କବୟିତ୍ରୀ ବାହିନବାଇ ଚୌଧୁରୀ ବିଶ୍ବବିଦ୍ୟାଳୟର ପ୍ରଶାନ୍ତ ସୁରେଶ କୋଲି ଜାତୀୟ କୀର୍ତ୍ତିମାନ ସହ ପ୍ରଥମ ଓ ଦ୍ବିତୀୟ ସ୍ଥାନରେ ରହିଛନ୍ତି। ସଙ୍କେତ କ୍ଲିନ୍ ଆଣ୍ଡ ଜର୍କରେ ୧୩୮ କିଲୋଗ୍ରାମ ଭାର ଉଠାଇ ନୂଆ ଜାତୀୟ କୀର୍ତ୍ତିମାନ ସ୍ଥାପନ କରିଥିଲେ। ମୋଟ ଉପରେ ସେ ଉଠାଇଥିବା ୨୪୪ କିଲୋଗ୍ରାମ ମଧ୍ୟ ନୂଆ କୀର୍ତ୍ତିମାନ ଥିଲା। ଏହା ପୂର୍ବରୁ ଏହି ଦୁଇ କୀର୍ତ୍ତିମାନ ମହାରାଷ୍ଟ୍ରର ଶୁଭମ ତୋଡକର ଓ ମଣିପୁରର ରିଶିକାନ୍ତ ସିଂହଙ୍କ ନାମରେ ଥିଲା। ନିଜ ସଂପ୍ରଦାୟରେ ବହୁ ସଫଳ ଭାରୋ‌ତ୍ତୋଳକ ଥିବାରୁ ସେମାନଙ୍କଠାରୁ ପ୍ରେରଣା ନେଇ ୧୯ ବର୍ଷୀୟ ସଙ୍କେତ ଭାରୋତ୍ତୋଳନ କରିବା ଆରମ୍ଭ କରିଥିଲେ। ସପ୍ତମ ଶ୍ରେଣୀରେ ପାଠ ପଢ଼ିବାଠାରୁ ହିଁ ସେ ଭାରୋତ୍ତୋଳନ କରୁଛନ୍ତି। ଭାର ଉଠାଇଲା ବେଳେ ସେ ସବୁକିଛି ଭୁଲି ଯାଆନ୍ତି ବୋଲି ସ୍ବର୍ଣ୍ଣ ପଦକ ସହ ଜାତୀୟ କୀର୍ତ୍ତିମାନ କରିବା ପରେ କହିଛନ୍ତି ଭାବବିହ୍ବଳ ସଙ୍କେତ। ସେପଟେ ପ୍ରଶାନ୍ତ ସ୍ନାଚ୍‌ରେ ୧୧୦ କିଲୋଗ୍ରାମ ଭାର ଉଠାଇ ପୁଦୁଚେରୀର ଆର୍‌ ମାଧବନଙ୍କ ନାଁରେ ଥିବା କୀର୍ତ୍ତିମାନକୁ ଭାଙ୍ଗିଛନ୍ତି। ସଂପର୍କୀୟ ଭାଇଙ୍କ ପ୍ରେରଣାରେ ଭାରୋ‌ତ୍ତୋଳନ ଜଗତରେ ପାଦ ଥାପିଥିବା ୨୦ ବର୍ଷୀୟ ପ୍ରଶାନ୍ତ ଗୁଆହାଟୀ ଖେଲୋ ଇଣ୍ଡିଆ ଯୁବ କ୍ରୀଡ଼ାରେ ପଦକ ଜିତି ପାରି ନଥିଲେ। ସେହି ପ୍ରତିଯୋଗିତାର କିଛି ଦିନ ପୂର୍ବରୁ ଶରୀର ଅସୁସ୍ଥ ହୋଇଯିବାରୁ ସେ ନିଜ ଶ୍ରେଷ୍ଠ ପ୍ରଦର୍ଶନ ଦେଇ ପାରି ନଥିଲେ। ଚଳିତ ଖେଲୋ ଇଣ୍ଡିଆ ବିଶ୍ବବିଦ୍ୟାଳୟ କ୍ରୀଡ଼ାରେ ପ୍ରଶାନ୍ତ ସେହି ଦୁଃଖକୁ ଦୂର କରିଛନ୍ତି।

କଲ୍ୟାଣୀଙ୍କ ଅର୍ଧଶତକ
ଗୁଜୁରାଟ ସନ୍ତରଣ ତାରକା କଲ୍ୟାଣୀ ସ‌କ୍ସେନା ବୁଧବାର ଏକ ବ୍ୟକ୍ତିଗତ ମାଇଲଖୁଣ୍ଟ ଛୁଇଁଥିଲେ। ଜାତୀୟସ୍ତରୀୟ ପ୍ରତିଯୋଗିତାରେ ସେ ଆଜି ନିଜ ୫୦ତମ ପଦକ ପାଇଥିଲେ। ୨୦ ବର୍ଷୀୟା କଲ୍ୟାଣୀ ୨୦୦ ମିଟର ବଟରଫ୍ଲାଏ ସନ୍ତରଣର ପ୍ରଥମ ସ୍ଥାନରେ ରହି ଏହି ଅନନ୍ୟ ସଫଳତା ଲାଭ କରିଥିଲେ। ସନ୍ତରଣାଗାରରେ ସେ କୀର୍ତ୍ତିମାନ ସ୍ଥାପନ କରିବାର କିନ୍ତୁ ଏହା ପ୍ରଥମ ଘଟଣା ନୁହେଁ। ଗୁଆହାଟୀରେ ଗତବର୍ଷ ଆୟୋଜିତ ଖେଲୋ ଇଣ୍ଡିଆ ଯୁବ କ୍ରୀଡ଼ାରେ କଲ୍ୟାଣୀ ସର୍ବାଧିକ ୫ ପଦକ ଜିତିଥିଲେ। ସେତେବେଳେ ସେ ମଧ୍ୟ ଗୁଜୁରାଟ ପାଇଁ ପ୍ରଥମ ସ୍ବର୍ଣ୍ଣ ପଦକ ହାସଲ କରିଥିଲେ। ଚଳିତ ଖେଲୋ ଇଣ୍ଡିଆ ବିଶ୍ବବିଦ୍ୟାଳୟ କ୍ରୀଡ଼ାରେ ସେ ଏକାକୀ ୪ ପଦକ ଜିତିଛନ୍ତି। ଯାହା ଗୁଜୁରାଟ ଜିତିଥିବା ପଦକର ଏକ ତୃତୀୟାଂଶ। କଲ୍ୟାଣୀଙ୍କ ପ୍ରଶିକ୍ଷକ ତଥା ପିତା ଅଜୟ ସକ୍ସେନା ତାଙ୍କ ସଂଘର୍ଷପୂର୍ଣ୍ଣ ସନ୍ତରଣ ଜୀବନ ବିଷୟରେ ବର୍ଣ୍ଣନା କରିବାକୁ ଯାଇ କହିଛନ୍ତି ଯେ ଲଗାତାର ପ୍ରତିଯୋଗିତା ଖେଳିବା ସହଜ କଥା ନୁହେଁ। ଏଥିପାଇଁ ଚାପ ବହୁତ ବଢ଼ି ଯାଇଥାଏ। ଗତ କିଛି ସପ୍ତାହ ହେବ ଆମେ ଦୋଷ ଦୁର୍ବଳତା ଦୂର କରିବାକୁ ଅକ୍ଳାନ୍ତ ପରିଶ୍ରମ କରିଛୁ। କଲ୍ୟାଣୀର ସଫଳତା ନେଇ ମୁଁ ବେଶ୍ ଗର୍ବିତ।

ସମ୍ବନ୍ଧିତ ଖବର