ଲଖିଙ୍କ ହ୍ୟାଟ୍ରିକ୍‌: କୋଲ୍‌କାତାରେ ଓଡ଼ିଆ ମହିଳାଙ୍କ ଚମକ

ଭୁବନେଶ୍ବର: ରାଜ୍ୟର ଅଗ୍ରଣୀ ମହିଳା ଗଲ୍‌ଫର ଲଖି ସ୍ବାଇଁଙ୍କ ସଫଳତା ଧାରା ଜାରି ରହିଛି। ନୂଆବର୍ଷ ଏବଂ ନୂଆ ଗଲ୍‌ଫ ଋତୁ ପ୍ରାରମ୍ଭରୁ ଏହି ସୌଖିନ ଗଲ୍‌ଫର ଲଗାତାର ୩ ପ୍ରମୁଖ ପ୍ରତିଯୋଗିତାରେ ଟ୍ରଫି ଜିତି ହ୍ୟାଟ୍ରିକ୍ ଅର୍ଜନ କରିଛନ୍ତି। ଭୁବନେଶ୍ବର ଗଲ୍‌ଫ କୋର୍ସ (ବିଜିସି)ରେ ଅନୁଷ୍ଠିତ ଫାଲକନ୍‌ ଟ୍ରଫି ଏବଂ ନବଯୁଗ କର୍ପୋରେଟ୍‌ ଗଲ୍‌ଫ ପ୍ରତିଯୋଗିତାରେ ନିଜ ବର୍ଗରେ ମୁକୁଟ ଜିତିଥିବା ଲଖି କୋଲକାତାର ଟଲିଗଞ୍ଜ୍‌ରେ ଅନୁଷ୍ଠିତ ଭିସାଷ୍ଟିଲ୍‌ ଟଲିଗଞ୍ଜ ଓପନ୍ ଆମେଚର ମହିଳା ଗଲ୍‌ଫ ପ୍ରତିଯୋଗିତାରେ ବି ନିଜ ଚମକ ଛାଡ଼ିଛନ୍ତି। ଟଲିଗଞ୍ଜରେ ଲଖି ଗୋଟିଏ ନୁହେଁ ଏକକାଳୀନ ୫ ଟ୍ରଫି ଜିତିବାରେ ସକ୍ଷମ ହୋଇଛନ୍ତି। ଷ୍ଟ୍ରୋକ୍‌ପ୍ଲେ ଫର୍ମାଟରେ ଖେଳାଯାଇଥିବା ଏହି ପ୍ରତିଯୋଗିତାର ୦-୨୯ ହ୍ୟାଣ୍ଡିକ୍ୟାପ୍‌ ବର୍ଗରେ ବିଜେତା ହେବା ସହିତ ୩ ଦିନ ଯାକ (ଜାନୁଆରି ୮,୯,୧୦) ବୋଗି ବିଜେତା ମଧ୍ୟ ହୋଇଥିଲେ। ‌ଶେଷ ଦିନରେ‌ ଶ୍ରେଷ୍ଠ ନେଟ୍‌ ପୁରସ୍କାର ମଧ୍ୟ ହା‌ତେଇଥିଲେ। ଏଥି ସହିତ ଏହି ଭୁବନେଶ୍ବର ମହିଳାଙ୍କୁ ଇନ୍ଦିରା ଚୌଧୁରୀ ଟଲିଗଞ୍ଜ ଟ୍ରଫି ପ୍ରଦାନ କରାଯାଇଥିଲା। ଅନ୍ୟପକ୍ଷରେ ଏଥର ମଧ୍ୟ ଅନ୍ୟ ଦୁଇ ଜଣ ଓଡ଼ିଶା ମହିଳାଙ୍କ ଚମକ ଟଲିଗଞ୍ଜରେ ପ୍ରଷ୍ପୁଟିତ ହୋଇଥିଲା। ଶୁଭ୍ରା ମିଶ୍ର ବେଷ୍ଟ୍ ଗ୍ରସ୍‌ରେ ପ୍ରଥମ ଦିନ ଉପ ବିଜେତା, ଦ୍ବିତୀୟ ଦିନ ବିଜେତା ହେବା ସହିତ ଶେଷ ଦିନ ବେଷ୍ଟ୍ ନେଟ୍‌ (୫୪ ହୋଲ୍‌) ଓ ବୋଗି ବିଜେତା ହୋଇଥିଲେ। ହର୍ଷଦୀପ କଉର୍ ମଧ୍ୟ ମୋଟ ୩ ବିଭାଗରୁ ଟ୍ରଫି ଜିତିବାରେ ସକ୍ଷମ ହୋଇଥିଲେ।

ସମ୍ବନ୍ଧିତ ଖବର