ଭାରତୀୟ ମହିଳା ଫୁଟ୍‌ବଲ ଦଳରେ ମନୀଷା ଓ ଜୁଲି

ଭୁବନେଶ୍ବର/କଟକ: ଜୋର୍ଡାନ ଓ ଉଜ୍‌ବେକିସ୍ତାନ ବିପକ୍ଷ ବନ୍ଧୁତ୍ବପୂର୍ଣ୍ଣ ମ୍ୟାଚ୍‌ ପାଇଁ ମୁଖ୍ୟ ପ୍ରଶିକ୍ଷକ ଥୋମାସ ଡେନର୍ବି ଗୁରୁବାର ୨୩ ଜଣିଆ ଭାରତୀୟ ମହିଳା ଫୁଟବଲ୍‌ ଦଳ ଘୋଷଣା କରିଛନ୍ତି। ଏହି ଦଳରେ ଦୁଇ ଜଣ ଓଡ଼ିଆ ଝିଅ ସ୍ଥାନ ପାଇଛନ୍ତି। ସେମାନେ ହେଲେ ମନିଷା ପାନ୍ନା ଓ ଜୁଲି କିଶନ। ଉଭୟ ଖେଳାଳିଙ୍କୁ ଫୁଟ୍‌ବଲ ଆସୋସିଏସନ୍ ଅଫ୍ ଓଡ଼ିଶା(ଫାଓ)ର ସଂପାଦକ ଆଶୀର୍ବାଦ ବେହେରା ଶୁଭେଚ୍ଛା ଜଣାଇଛନ୍ତି। ଭାରତୀୟ ଦଳ ମାର୍ଚ୍ଚ ୧୭ ଓ ୨୨ ତାରିଖରେ ଜୋର୍ଡାନ ଏବଂ ମାର୍ଚ୍ଚ ୨୩ ଓ ୨୯ରେ ଉଜ୍‌ବେକିସ୍ତାନ ବିପକ୍ଷରେ ମ୍ୟାଚ୍‌ ଖେଳିବ। ଏହି ୪ ବନ୍ଧୁତ୍ବପୂର୍ଣ୍ଣ ମ୍ୟାଚ୍‌ ଚଳିତ ବର୍ଷ ଏପ୍ରିଲ ୪ରୁ ୧୦ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବାକୁ ଯାଉଥିବା ଏଏଫ୍‌ସି ମହିଳା ଅଲିମ୍ପିକ୍‌ ଯୋଗ୍ୟତାପର୍ଯ୍ୟାୟ (ରାଉଣ୍ଡ-୧)ରେ ଅଂଶଗ୍ରହଣ ପୂର୍ବରୁ ଭାରତୀୟ ଦଳର ପ୍ରସ୍ତୁତିପର୍ବ ରହିବ।

ରାଉଣ୍ଡ ରବିନ ଫର୍ମାଟ୍‌ରେ ଖେଳାଯିବାକୁ ଥିବା ଏଏଫ୍‌ସି ମହିଳା ଅଲିମ୍ପିକ୍‌ ଯୋଗ୍ୟତାପର୍ଯ୍ୟାୟ (ରାଉଣ୍ଡ-୧) ପାଇଁ ଗ୍ରୁପ୍‌-ଜି’ରେ ସାମିଲ ଥିବା ଭାରତ ଆୟୋଜକ କିର୍ଗିଜ ରିପବ୍ଲିକ୍‌ ଏବଂ ତୁର୍କମେନିସ୍ତାନ ସହ ଖେଳିବ। ପ୍ରଥମ ରାଉଣ୍ଡ ଯୋଗ୍ୟତାପର୍ଯ୍ୟାୟରୁ ୭ ଗ୍ରୁପ୍‌ର ବିଜେତା ଏସିଆର ୫ ସର୍ବୋଚ୍ଚ ମା‌ନ୍ୟତାପ୍ରାପ୍ତ ଦଳ ଡିପିଆର୍‌ କୋରିଆ, ଜାପାନ, ଅଷ୍ଟ୍ରେଲିଆ, ଚୀନ ଏବଂ ରିପବ୍ଲିକ୍‌ କୋରିଆ ସହ ଯୋଡ଼ିହେବେ। ଏହି ସବୁ ଦଳକୁ ନେଇ ୨୦୨୪ ପ୍ୟାରିସ ଅଲିମ୍ପିକ୍‌ ମହିଳା ଫୁଟ୍‌ବଲ ଯୋଗ୍ୟତାପର୍ଯ୍ୟାୟର ଦ୍ବିତୀୟ ରାଉଣ୍ଡ ଅକ୍ଟୋବରରେ ଖେଳାଯିବ। ଅଲିମ୍ପିକ୍‌ ଯୋଗ୍ୟତାପର୍ଯ୍ୟାୟ ପାଇଁ ଭାରତୀୟ ଦଳ ଜୋର୍ଡାନ ଓ ଉଜ୍‌ବେକିସ୍ତାନ ବିପକ୍ଷ ବନ୍ଧୁତ୍ବପୂର୍ଣ୍ଣ ମ୍ୟାଚ୍‌ ପରେ ଘୋଷଣା କରାଯିବ।

ସମ୍ବନ୍ଧିତ ଖବର