ନରୱଲଙ୍କୁ ୧.୬୫ କୋଟିରେ କିଣିଲା ୟୁପି ଯୋଦ୍ଧା: ସର୍ବକାଳୀନ ଦାମୀ ଖେଳାଳିର ରେକର୍ଡ ଭାଙ୍ଗିଲା

ନୂଆଦିଲ୍ଲୀ: ଚଳିତ ବର୍ଷ ଡିସେମ୍ବରରେ ଆୟୋଜିତ ହେବ ପ୍ରୋ କବାଡ଼ି ଲିଗ୍‌ (ପିକେଏଲ୍‌)ର ଅଷ୍ଟମ ସଂସ୍କରଣ। ଏଥିପାଇଁ ସୋମବାର ଖେଳାଳି ନିଲାମ ଅନୁଷ୍ଠିତ ହୋଇଥିଲା। ନିଲାମରେ ସବୁଠୁ ଦାମୀଖେଳାଳି ହେବାର ଗୌରବ ବହନ କରିଛନ୍ତି ପ୍ରଦୀପ ନରୱାଲ। ତାଙ୍କୁ ୟୁପି ଯୋଦ୍ଧା ୧.୬୫ କୋଟି ଟଙ୍କାରେ କିଣିଛି। ଯାହାକି ପ୍ରୋ କବାଡ଼ି ଲିଗ୍‌ ଇତିହାସରେ ସର୍ବୋଚ୍ଚ ରାଶି ରହିଛି। ହରିଆନା ଷ୍ଟିଲର୍ସ ଷଷ୍ଠ ସଂସ୍କରଣରେ ତାରକା ରାଇଡର୍‌ ମୋନୁ ଗୋୟତଙ୍କୁ ୧.୫୧ କୋଟି ଟଙ୍କାରେ କିଣିଥିଲା। ଯାହା ଏପର୍ଯ୍ୟନ୍ତ ସର୍ବୋଚ୍ଚ ରେକର୍ଡ ରହିଥିଲା। ଏଥର ଏହି ରେକର୍ଡକୁ ଭାଙ୍ଗି ଦେଇଛନ୍ତି ନରୱଲ। ଲିଗ୍‌ ଇତିହାସରେ ସେ ସବୁଠୁ ଦାମୀଖେଳାଳି ହେବାର କୀର୍ତ୍ତିମାନ ରଚିଛନ୍ତି ବୋଲି ପିକେଏଲ୍‌ ପକ୍ଷରୁ ଏକ ବିବୃତିରେ କୁହାଯାଇଛି। ଫଳରେ ପାଟନା ପିରେଟ୍‌ସ ସହ ୫ ସଂସ୍କରଣ ବିତାଇବା ପରେ ନରୱାଲ ନିଜକୁ ଏବେ ନୂଆ ଘରେ (ୟୁପି ଯୋଦ୍ଧା) ଦେଖିବାକୁ ପାଇବେ।

ସୋମବାର ଖେଳାଳି ନିଲାମରେ ନରୱାଲଙ୍କ ବ୍ୟତୀତ ସିଦ୍ଧାର୍ଥ ଦେଶାଇଙ୍କୁ ତେଲୁଗୁ ଟାଇଟାନ୍‌ସ ‘ଅନ୍ତିମ ବିଡ୍‌ ମ୍ୟାଚ୍‌ କାର୍ଡ’ ଜରିଆରେ ୧.୩୦ କୋଟି ଟଙ୍କାରେ କିଣି ନିଜ ଦଳରେ ବଜାୟ ରଖାପରିଛି। ସିଦ୍ଧାର୍ଥଙ୍କ ମୂଳ ଦଳ ୩୦ ଲକ୍ଷ ରହିଥିଲା। ନିଲାମ ପ୍ରକ୍ରିୟାର ଦ୍ବିତୀୟ ଦିନ ମୋଟ ଉପରେ ୨୨ରୁ ଅଧିକ ଖେଳାଳି କିଣା ହୋଇଥିଲେ। ଅଲ୍‌ରାଉଣ୍ଡର ମହମ୍ମାଦ୍ରେଜା ସାଦ୍‌ଲୁଇ ଚିୟାନେ (ମୂଳ ଦର ୧୦ ଲକ୍ଷ)ଙ୍କୁ ପାଟ୍‌ନା ପିରେଟ୍‌ସ ୩୧ ଲକ୍ଷରେ କିଣିଥିଲା ବେଳେ ବେଙ୍ଗଲ ୱାରିୟରସ ଡିଫେଣ୍ଡର ଅବୋଜାର ମହାଜେର୍‌ମିଘାନି (ମୂଳ ଦଳ ୨୦ ଲକ୍ଷ)ଙ୍କୁ ୩୦.୫ ଲକ୍ଷରେ କିଣିଛି। ପାଟ୍‌ନା ପିରେଟ୍‌ସ ମଧ୍ୟ ତା’ର ‘ଅନ୍ତିମ ବିଡ୍‌ ମ୍ୟାଚ୍‌ କାର୍ଡ’ ବ୍ୟବହାର କରି ଦକ୍ଷିଣ କୋରିଆ ତାରକା ରାଇଡର୍‌ ଜାଙ୍ଗ୍‌ କୁନ୍‌ ଲି’ଙ୍କୁ ୨୦.୫ ଲକ୍ଷରେ କିଣି ନିଜ ପାଖରେ ରଖିପାରିଛି। ଅନ୍ୟପକ୍ଷରେ ତେଲୁଗୁ ଟାଇଟାନ୍‌ସ ସହ ୬ ସଂସ୍କରଣ ଏବଂ ତାମିଲ ଥାଲାଇଭାସ୍‌ ସହ ଗୋଟିଏ ସଂସ୍କରଣ ଖେଳିବା ପରେ ରାହୁଲ ଚୌଧୁରୀ ଆଗାମୀ ଅଷ୍ଟମ ସଂସ୍କରଣରେ ପୁନେରି ପଲ୍‌ଟନ୍‌ସ ପକ୍ଷରୁ ଖେଳିବା ନିଶ୍ଚିତ ହୋଇଯାଇଛି। ସେହିପରି ଜୟପୁର ପିଙ୍କ୍‌ ପାନ୍ଥର୍ସ ତା’ର ଦୁଇଟିଯାକ ‘ଅନ୍ତିମ ବିଡ୍‌ ମ୍ୟାଚ୍‌ କାର୍ଡ’ ବ୍ୟବହାର କରି ଅଧିନାୟକ ଦୀପକ ନିୱାସ ହୁଦା ଏବଂ ସନ୍ଦୀପ କୁମାର ଧୁଲଙ୍କୁ ନିଜ ପାଖରେ ରଖିଛି। ଅନ୍ୟପକ୍ଷରେ ରାଇଡର୍‌ ମନ୍‌ଜିତ୍‌ଙ୍କୁ ତାଙ୍କ ମୂଳ ଦର ୩୦ ଲକ୍ଷ ତୁଳନାରେ ୯୨ ଲକ୍ଷରେ କିଣିନେଇଛି ତାମିଲ ଥାଲାଇଭାସ୍‌। ତେବେ ଅଲ୍‌ରାଉଣ୍ଡର ରୋହିତ ଗୁଲିଆଙ୍କୁ ଆଖିଦୃଶିଆ ଭାବେ ୮୩ ଲକ୍ଷରେ ହରିଆନା ଷ୍ଟିଲର୍ସ କିଣିନେଇଛି। ଗତ ସଂସ୍କରଣରେ ତାଙ୍କୁ ଗୁଜରାଟ ଜିଆଣ୍ଟ୍‌ସ ୨୫ ଲକ୍ଷରେ କିଣିଥିଲା।

ସର୍ବୋଚ୍ଚ ଦରରେ କିଣାଯାଇଥିବା ୫ ପ୍ରମୁଖ ଖେଳାଳି
ପ୍ରଦୀପ ନରୱଲ-୧.୬୫ କୋଟି (ୟୁପି ଯୋଦ୍ଧା), ସିଦ୍ଧାର୍ଥ ଦେଶାଇ-୧.୩୦ କୋଟି (ତେଲୁଗୁ ଟାଇଟାନ୍‌ସ), ମନ୍‌ଜିତ୍‌-୯୨ ଲକ୍ଷ (ତାମିଲ ଥାଲାଇଭାସ୍‌), ସଚିନ-୮୪ ଲକ୍ଷ (ପାଟନା ପାଇରେଟ୍ସ), ରୋହିତ ଗୁଲିଆ-୮୩ ଲକ୍ଷ (ହରିଆନା ଷ୍ଟିଲର୍ସ)।

ସମ୍ବନ୍ଧିତ ଖବର