ନ୍ୟୁଜିଲାଣ୍ଡ ଓ ୱେଷ୍ଟଇଣ୍ଡିଜ୍ କଳା ଘୋଡ଼ା: କପିଳ

‘କ୍ରିକେଟର୍‌ଙ୍କ ରାଜନୀତି ପ୍ରବେଶରେ ଅସୁବିଧା ନାହିଁ’

ନୂଆଦିଲ୍ଲୀ: ଭାରତର ପ୍ରଥମ ବିଶ୍ବକପ୍ ବିଜୟୀ ଅଧିନାୟକ କପିଳ ‌ଦେବ ଆସନ୍ତା ଇଂଲଣ୍ଡ ବିଶ୍ବକପ୍‌କୁ ନେଇ ଭବିଷ୍ୟବାଣୀ କରିଛନ୍ତି। ଭାରତ ନିଶ୍ଚିତ ଭାବେ ସେମିଫାଇନାଲ୍ ଖେଳିବ ବୋଲି କପିଳ ପୂର୍ବାନୁମାନ ଲଗାଇଛନ୍ତି। ଅନ୍ୟପକ୍ଷରେ ନ୍ୟୁଜିଲାଣ୍ଡ ଏବଂ ୱେଷ୍ଟଇଣ୍ଡିଜକୁ ସେ କଳା ଘୋଡ଼ାର ଆଖ୍ୟା ଦେଇଛନ୍ତି। କପିଳ କହିଛନ୍ତି, ଭାରତୀୟ କ୍ରିକେଟ୍ ଦଳରେ ଅନେକ ପ୍ରତିଭାବାନ ଯୁବ ଓ ଅଭିଜ୍ଞ ଖେଳାଳି ଅଛନ୍ତି। ଦଳର ସନ୍ତୁଳନ ବେଶ୍ ଭଲ। ଭାରତ ନିଶ୍ଚିତ ଭାବେ ଶୀର୍ଷ ୪ ଦଳ ମଧ୍ୟରେ ରହିବ। ଭାରତ ଏକ ବହୁତ ଭଲ ଦଳ। ତେବେ ଆତ୍ମବିଶ୍ବାସ ଏବଂ ପ୍ରଦର୍ଶନ ଗୁରୁତ୍ବପୂର୍ଣ୍ଣ। ସେମିଫାଇନାଲ୍ ଖେଳିବାକୁ ଥିବା ଚାରିଟି ଦଳ ବିଷୟରେ ଆକଳନ କରି କପିଳ କହିଛନ୍ତି ଭାରତ, ଇଂଲଣ୍ଡ ଓ ଅଷ୍ଟ୍ରେଲିଆ ସେମିଫାଇନାଲର ତିନିଟି ସ୍ଥାନ ନେଇଯିବେ। ଚତୁର୍ଥ ଦଳ ନେଇ ମୋର ସନ୍ଦେହ ରହିଛି। ଅନ୍ୟ ଦଳଗୁଡ଼ିକ ଏହି ଗୋଟିଏ ସ୍ଥାନ ପାଇଁ ଲଢ଼େଇ କରିବେ। ନ୍ୟୁଜିଲାଣ୍ଡ, ପାକିସ୍ତାନ ଓ ଦକ୍ଷିଣ ଆଫ୍ରିକା ଭିତରୁ କେହିବି ଏହି ସ୍ଥାନଟିକୁ ନେଇ ପାରନ୍ତି। ନ୍ୟୁଜିଲାଣ୍ଡ ଓ ୱେଷ୍ଟଇଣ୍ଡିଜ୍ ପ୍ରତିଯୋଗିତାର କଳା ଘୋଡ଼ା। ସେମାନେ କିଛି ବି କରି ପାରନ୍ତି। ଭାରତୀୟ ଦଳର ଦକ୍ଷତା ଉପରେ ପ୍ରତିକ୍ରିୟା ପ୍ରକାଶ କରି କପିଳ ଅଲରାଉଣ୍ଡର ହାର୍ଦିକ ପାଣ୍ଡ୍ୟାଙ୍କୁ ଦଳ ପାଇଁ ଏକ ବଡ଼ ସମ୍ପଦ ଭାବେ ବର୍ଣ୍ଣନା କରିଛନ୍ତି। ହାର୍ଦିକଙ୍କ ଉପରେ ଚାପ ପକାଅ ନାହିଁ। ସେ ଜଣେ ଯୁବ ଖେଳାଳି। ତାଙ୍କୁ ତାଙ୍କ ସ୍ବାଭାବିକ ଖେଳ ଖେଳିବାକୁ ଦିଆଯାଉ। ଏବେ ତୁଳନା କରିବାର କୌଣସି ଆବଶ୍ୟକତା ନାହିଁ। ଭାରତ ପାଖରେ ଏକ ଭଲ ବୋଲିଂ ବାହିନୀ ରହିଛି। ଇଂଲଣ୍ଡ ପରିବେଶରେ ସେମାନେ ଭଲ କରିବେ ବୋଲି ମୋର ଆଶା ଓ ବିଶ୍ବାସ। ବୁମ୍‌ରା ଓ ସାମି ଭାରତର ବିଶ୍ବକପ୍ ଅଭିଯାନରେ ନିର୍ଣ୍ଣାୟକ ଭୂମିକା ନେବେ ବୋଲି କପିଳ କହିଛନ୍ତି।

ରାଜନୀତିରେ କ୍ରିକେଟର୍‌ ପ୍ରବେଶ କରିବାରେ କିଛି କ୍ଷତି ନାହିଁ। ଆସନ୍ତା ୧୨ରେ ହେବାକୁ ଥିବା ଷ‌ଷ୍ଠ ପର୍ଯ୍ୟାୟ ସାଧାରଣ ନିର୍ବାଚନ ଉପ‌ଲକ୍ଷେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ଅବସରରେ ୧୯୮୩ ବିଶ୍ବ ବିଜେତା ଭାରତୀୟ ଦଳର ଅଧିନାୟକ କପିଳ ଦେବ ଏହା ପ୍ରକାଶ କରିଛନ୍ତି। ସେ କହିଛନ୍ତି ରାଜନୀତିରେ ମୋର ଯୋଗଦେବାର ନାହିଁ। ବହୁ ରାଜନେତା ଏବେ କ୍ରିକେଟ୍‌ ଖେଳିବା ଆରମ୍ଭ କରିଦେଲେଣି। ସେହିଭଳି ଅନେକ କ୍ରିକେଟର୍‌ ରାଜନୀତିରେ ପ୍ରବେଶ କଲେଣି। ଏଥିରେ କୌଣସି ଅସୁବିଧା ନାହିଁ। ସୂଚନାଯୋଗ୍ୟ ଯେ କୀର୍ତ୍ତି ଆଜାଦ, ମହମ୍ମଦ ଆଝାରୁଦ୍ଦିନ୍‌ ଓ ନବଜ‌ୋତ ସିଂହ ସିନ୍ଧୁଙ୍କ ଭଳି ବହୁ ନାମକରା କ୍ରିକେଟର୍‌ ରାଜନୀତିରେ ପାଦ ଦେଇ ସଫଳତା ପାଇ ସାରିଛନ୍ତି। ‌ନିକଟରେ ଗୌତମ ଗମ୍ଭୀର ଭାରତୀୟ ଜନତା ପାର୍ଟିରୁ ପୂର୍ବ ଦିଲ୍ଲୀ ଲୋକସଭାର ପ୍ରାର୍ଥୀ ‌ହୋଇଛନ୍ତି। କପିଳ ମଧ୍ୟ ବିଜେପି ସହାୟତାରେ ରାଜ୍ୟସଭା ଯିବାର ଯଥେଷ୍ଟ ସମ୍ଭାବନା ରହିଛି। ନିକଟରେ ବିଜେପି ସଭାପତି ଅମିତ ସାହା ଏକ ସୌଜନ୍ୟମୂଳକ ସାକ୍ଷାତକାରରେ କପିଳଙ୍କୁ ଭେଟିବା ପରେ ଏହି ଖବର କୁହୁଳିବା ଆରମ୍ଭ କରିଛି। ସୌମୁମୀ ଅଧିବେଶନ ପୂର୍ବରୁ କପିଳ ସହ ଅଭିନେତ୍ରୀ ମାଧୁରୀ ଦୀକ୍ଷିତଙ୍କ ନାଁ ଏଥିଲାଗି ଘୋଷଣା ହୋଇପାରେ।

ସମ୍ବନ୍ଧିତ ଖବର