ସନ୍ତରଣ ଶିକ୍ଷକଙ୍କୁ ପ୍ରଶିକ୍ଷଣ ଦେଲେ ନିଶା ମିଲେଟ୍‌

ଭୁବନେଶ୍ବର: ଓଡ଼ିଶା ଜେଏସ୍‌ଡବ୍ଲ୍ୟୁ ସନ୍ତରଣ ହାଇପର୍ଫର୍ମାନ୍ସ କେନ୍ଦ୍ର ଆନୁକୂଲ୍ୟରେ କିଟ୍ ବିଶ୍ବବିଦ୍ୟାଳୟ ପରିସରରେ ଏକ ସନ୍ତରଣ ଶିକ୍ଷକ ପ୍ରଶିକ୍ଷଣ ଶିବିର ଶୁକ୍ରବାରଠାରୁ ଆରମ୍ଭ ହୋଇଛି। ଏହି ଶିବିରକୁ ଅଲିମ୍ପିଆନ୍ ଓ ଅର୍ଜୁନ ପୁରସ୍କାର ବିଜୟିନୀ ସନ୍ତରଣ ତାରକା ନିଶା ମିଲେଟ୍ ପରିଚାଳନା କରୁଛନ୍ତି। ୧୫ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଶିବିରରେ ରାଜ୍ୟର ୨୦ ଜଣ ସନ୍ତରଣ ଶିକ୍ଷକ ଯୋଗଦେଇଛନ୍ତି। ସୁରକ୍ଷିତ ଏବଂ ମନୋରଞ୍ଜନଭରା ଉପାୟରେ ସେମାନଙ୍କୁ ସନ୍ତରଣର ବିଭିନ୍ନ ଆଧୁନିକ କଳା କୌଶଳ ଶିଖାଉଛନ୍ତି ନିଶା। ଏଠାରୁ ପ୍ରଶିକ୍ଷଣ ନେଇ ଶିକ୍ଷକମାନେ ଭୁବନେଶ୍ବର, ସମ୍ବଲପୁର, ବଲାଙ୍ଗୀର, ବୌଦ୍ଦ, ସୋନପୁର, ଅନଗୁଳ, ଗଞ୍ଜାମ ଓ ମୟୂରଭଞ୍ଜଠାରେ ଆୟୋଜିତ ହେବାକୁ ଥିବା ସନ୍ତରଣ ଶିବିରର ନେତୃତ୍ବ ନେବେ।

ଜେଏସ୍‌ଡବ୍ଲ୍ୟୁ ସନ୍ତରଣ ହାଇପର୍ଫର୍ମାନ୍ସ କେନ୍ଦ୍ରର ମୁଖ୍ୟ ପ୍ରଶିକ୍ଷକ ସରତ ଚନ୍ଦ୍ର ‌ବେଲାଭେ ଶିବିରକୁ ମିଳିଥିବା ସକାରାତ୍ମକ ସହଯୋଗକୁ ନେଇ ଖୁସି ଜାହିର କରି କହିଛନ୍ତି ଯେ ଜେଏସ୍‌ଡବ୍ଲ୍ୟୁ ସ୍ପୋର୍ଟସ ରାଜ୍ୟର ୮ ଜିଲ୍ଲାର ୧୬ଜଣ ସନ୍ତରଣ ଶିକ୍ଷକଙ୍କୁ ଚୟନ କରିଛି। ୨ଜଣ ପ୍ରାଦେଶିକ ମୁଖ୍ୟ ଓ କିଟ୍‌ର ୨ଜଣ ପ୍ରଶିକ୍ଷକଙ୍କୁ ମିଶାଇ ମୋଟ ୨୦ଜଣ ଏହି ସନ୍ତରଣ ଶିକ୍ଷା କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି। ଏଥିରେ ଉଭୟ ଥିଓରି ଓ ପ୍ରାକ୍ଟିକାଲକୁ ପ୍ରାଧାନ୍ୟ ଦିଆଯାଉଛି। ସୂଚନାଯୋଗ୍ୟ ଯେ ନିଶା ୨,୦୦୦ ମସିହା ଏଥେନ୍ସ ଅଲିମ୍ପିକ୍ସରେ ଭାରତର ପ୍ରତିନିଧିତ୍ବ କରିଥିଲେ। ସେ ମଧ୍ୟ ପ୍ରଥମ ଭାରତୀୟ ମହିଳା ଭାବେ ଅଲିମ୍ପିକ୍ସ ‘ବି’ ବର୍ଗ ଯୋଗ୍ୟତା ଟାଇମିଂ ହାସଲ କରିଥିଲେ। ୨,୦୦୦ ମସିହାରେ ତାଙ୍କୁ ସମ୍ମାନଜନକ ଅର୍ଜୁନ ପୁରସ୍କାର ମିଳିଥିଲା। ସଂପ୍ରତି ସେ ବେଙ୍ଗାଲୁରୁଠାରେ ନିଜସ୍ବ ସନ୍ତରଣ ଏକାଡେମି ଚଳାଉଛନ୍ତି। ନିଶା ମଧ୍ୟ ସନ୍ତରଣର ଅନ୍ୟତମ ସଦ୍‌ଭାବନା ଦୂତ ଭାବେ କାର୍ଯ୍ୟ କରୁଛନ୍ତି।

ସମ୍ବନ୍ଧିତ ଖବର