ରଣଜୀ ଟ୍ରଫି: ୫ ବର୍ଷ ପରେ ଓଡ଼ିଶା-ବରୋଦା ମୁହାଁମୁହିଁ

ପ୍ରତିଶୋଧ ଲକ୍ଷ୍ୟରେ ଗୋବିନ୍ଦଙ୍କ ଯୁବ ଦଳ

କଟକ: ଶୁକ୍ରବାରଠୁ ଓଡ଼ିଶା ଓ ବରୋଦା ମଧ୍ୟରେ ଭଦୋଦରାସ୍ଥିତ ରିଲାଏନ୍ସ କ୍ରିକେଟ ଷ୍ଟାଡିୟମରେ ଷଷ୍ଠ ପର୍ଯ୍ୟାୟ ରଣଜୀ ମ୍ୟାଚ୍‌ ଆରମ୍ଭ ହେବ। ତେବେ ପ୍ରତିଯୋଗିତାରେ ଉଭୟ ଦଳ ନିଜ ନିଜର ପଞ୍ଚମ ମ୍ୟାଚ୍‌ ଖେଳିବେ। ଗତ ୪ ମୁକାବିଲାରୁ ବରୋଦା ଦଳ ୩ ଅମୀମାଂସିତ ଓ ଗୋଟିଏ ପରାଜୟ ସହ ୭ ପଏଣ୍ଟରେ ଥିବାବେଳେ ଓଡ଼ିଶା ମଧ୍ୟ ସମାନ ସଂଖ୍ୟକ ଫଳାଫଳ ସହ ୫ ପଏଣ୍ଟ ପାଇ ତାଲିକାରେ ଯଥାକ୍ରମେ ପଞ୍ଚମ ଓ ଷଷ୍ଠ ସ୍ଥାନରେ ରହିଛନ୍ତି। ତେବେ ତ୍ରିପୁରା ବିପକ୍ଷ ବର୍ଷା ବାଧାପ୍ରାପ୍ତ ମ୍ୟାଚ୍‌ ପାଇଁ ଓଡ଼ିଶାର ପଏଣ୍ଟରେ ସାମାନ୍ୟ ଫରକ ଆସିଥିବା ବେଳେ ତାଲିକାରେ ଉପରକୁ ଉଠିବାକୁ ହେଲେ ଏହା ଉଭୟ ଦଳଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ରହିବ। ଏପରିକି ଏହି ଦୁଇ ଦଳ ଖେଳିଥିବା ନିଜ ନିଜର ଶେଷ ମ୍ୟାଚ୍‌ରେ ସଂଘର୍ଷ କରି ବିପକ୍ଷ ଦଳଠୁ ତିନି ପଏଣ୍ଟ ଲେଖାଏଁ ଛଡ଼ାଇ ଆଣିବାରେ ସଫଳ ହୋଇଥିବାରୁ ସେହି ଉନ୍ମାଦନା ଏହି ମ୍ୟାଚ୍‌ରେ ମଧ୍ୟ ଦେଖିବାକୁ ମିଳିବ ବୋଲି ଆଶା କରାଯାଉଛି। ଏଥିପାଇଁ ବରୋଦାଠାରେ ପହଞ୍ଚିସାରିଥିବା ଓଡ଼ିଶା ବୁଧବାର ଅଭ୍ୟାସ ଆରମ୍ଭ କରିଦେଇଛି।

ରଣଜୀ ଟ୍ରଫିରେ ଓଡ଼ିଶା ଓ ବରୋଦା ଶେଷ ଥର ପାଇଁ ୨୦୧୨-୧୩ ଋତୁରେ ପରପ୍ପରକୁ ଭେଟିଥିଲେ। ସେହି ମ୍ୟାଚ୍‌ ଭଦୋଦରାଠାରେ ଅନୁଷ୍ଠିତ ହୋଇଥିଲା ବେଳେ ଘରୋଇ ଦଳ ୧୦ ଓ୍ଵିକେଟରେ ଜିତିଯାଇଥିଲା। ବୋଲରଙ୍କୁ ସୁହାଉଥିବା ପିଚ୍‌ରେ ଟସ୍‌ ଜିତି ଅମ୍ବାତି ରାୟୁଡୁଙ୍କ ଦଳ କ୍ଷେତ୍ରରକ୍ଷଣ ପାଇଁ ନିଷ୍ପତ୍ତି ନେଇଥିଲା। ଓଡ଼ିଶା ପାଇଁ ନଟରାଜ ବେହେରା ନେତୃତ୍ୱ ନେଇଥିଲେ। ତେବେ ବିକାଶ ପତି (୮) ଓ ନଟରାଜ (୪) ଙ୍କ ପ୍ରାରମ୍ଭିକ ଯୋଡ଼ି ବିଫଳ ହେବା ସହ ଓଡ଼ିଶା ନିୟମିତ ଭାବେ ଓ୍ଵିକେଟ ହରାଇ ଚାଲିଥିଲା। କେବଳ ମଧ୍ୟକ୍ରମରେ ନିରଂଜନ ବେହେରା (୨୦) ଓ ଗୋବିନ୍ଦ ପୋଦ୍ଦାର (୮୨) ତୃତୀୟ ଓ୍ଵିକେଟରେ ୭୦ ରନ୍‌ ଯୋଡ଼ିଥିଲା ବେଳେ ସେମାନଙ୍କୁ ୧୬୬ ବଲ୍‌ର ସାମ୍ନା କରିବାକୁ ପଡ଼ିଥିଲା। ହେଲେ ଭାର୍ଗବ ଭଟ୍ଟ ଏହି ଦୁଇଜଣଙ୍କୁ ଆଉଟ କରିବା ସହ ମୋଟ ୬ ଓ୍ଵିକେଟ ନେଇ ଓଡ଼ିଶାର ବିପର୍ଯ୍ୟୟ ଘଟାଇଥିଲେ। ତଥାପି ନିମ୍ନକ୍ରମରେ ସୌରଭ ସେହଗଲଙ୍କ ୩୭ ରନ୍‌ ସହାୟତାରେ ଓଡ଼ିଶା ପ୍ରଥମ ପାଳିରେ ୧୮୧ ରନ୍‌ କରିପାରିଥିଲା। ବରୋଦା ପ୍ରଥମ ପାଳିରେ ଅଭିମନ୍ୟୁ ଚୌହାନଙ୍କ ୬୦, ରାୟୁଡୁଙ୍କ ୬୪, ପିନାକ ଶାହାଙ୍କ ୫୦ ରନ୍‌ ବଳରେ ୩୦୧ ରନ୍‌ କରି ଅଗ୍ରଣୀ ହାସଲ କରିଥିଲା। ଦୀପକ ବେହେରା ୫, ବସନ୍ତ ମହାନ୍ତି ଓ ଲଗ୍ନଜିତ ସାମଲ ୨ଟି ଲେଖାଏଁ ଓ୍ଵିକେଟ ପାଇଥିଲେ। ଓଡ଼ିଶା ଦ୍ୱିତୀୟ ପାଳିରେ ପୁଣି ବିପର୍ଯ୍ୟର ସମ୍ମୁଖୀନ ହୋଇ ମାତ୍ର ୧୨୩ ରନ୍‌ରେ ସମସ୍ତ ଓ୍ଵିକେଟ ହରାଇଥିବାରୁ ଘରୋଇ ଦଳ ସମ୍ମୁଖରେ ମାମୁଲି ୪ ରନ୍‌ର ବିଜୟ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲା। ବରୋଦା ବିନା କୌଣସି କ୍ଷତିରେ ଏହି ଲକ୍ଷ୍ୟ ହାସଲ କରିନେଇଥିଲା। ଓଡ଼ିଶାର ଦୁର୍ବଳ ବ୍ୟାଟିଂ ଯୋଗୁଁ ମ୍ୟାଚ୍‌ ୩ ଦିନରେ ଶେଷ ହୋଇଯାଇଥିଲା।
ଏବେ ୫ ବର୍ଷ ପରେ ଉଭୟ ଦଳ ପୁଣି ଥରେ ସେହି ପଡ଼ିଆରେ ମୁହାଁମୁହିଁ ହେବାକୁ ଯାଉଛନ୍ତି। ଫଳରେ ଓଡ଼ିଶା ସମ୍ମୁଖରେ ପ୍ରତିଶୋଧ ନେବାର ସୁଯୋଗ ରହିଛି। ଡ୍ରିମ୍ସରେ ତାମିଲନାଡୁ ବିପକ୍ଷରେ ଯେପରି ଭାବେ ସଂଘର୍ଷ କରି ପାଳି ଅଗ୍ରଣୀ ହାସଲ କରାଯାଇଥିଲା, ସେହି ଉତ୍ସାହ ବରୋଦା ବିପକ୍ଷରେ ମଧ୍ୟ ଦେଖିବାକୁ ମିଳିପାରେ। ଦୃଢ ପ୍ରାରମ୍ଭିକ ଯୋଡି, ବିପ୍ଲବଙ୍କ ସ୍ଥିର ପ୍ରଦର୍ଶନ, ପଦାର୍ପଣ ପ୍ରତିଯୋଗିତାରେ ଶାନ୍ତନୁ ମିଶ୍ରଙ୍କ ଅର୍ଧଶତକ, ଫେରନ୍ତା ମ୍ୟାଚ୍‌ରେ ରାଜେଶ ଧୂପରଙ୍କ ଲଢୁଆ ପାଳି, ନିମ୍ନକ୍ରମରେ ଆଲୋକ ସାହୁ ଓ ସୂର୍ଯ୍ୟକାନ୍ତ ପ୍ରଧାନଙ୍କ ଧୂଆଁଧାର ପାଳି ଯୋଗୁଁ ଓଡ଼ିଶା ଋତୁର ପ୍ରଥମ ୩ ପଏଣ୍ଟ ପାଇଥିଲା। ବର୍ତ୍ତମାନ ଏହି ପ୍ରଦର୍ଶନ ସହିତ ଓଡ଼ିଶା ପୂର୍ବ ମ୍ୟାଚ୍‌ର ପ୍ରତିଶୋଧ ନେବାକୁ ଆପ୍ରାଣ ଚେଷ୍ଟା କରିବ। ଅନ୍ୟପକ୍ଷରେ ବରୋଦା ମଧ୍ୟ ଏହି ପଡ଼ିଆରେ ଖେଳିଥିବା ଗତ ଦୁଇଟି ମ୍ୟାଚ୍‌ ଅମୀମାଂସିତ ରଖିଥିଲା। ପ୍ରଥମ ମ୍ୟାଚ୍‌ରେ ତ୍ରିପୁରା ବିପକ୍ଷରେ ବରୋଦା ୩ ପଏଣ୍ଟ ପାଇଥିଲା ବେଳେ ଦ୍ୱିତୀୟ ମ୍ୟାଚ୍‌ରେ ଆନ୍ଧ୍ରପ୍ରଦେଶ ପାଳି ଅଗ୍ରଣୀ ନେଇଥିଲା। ତେଣୁ ବରୋଦା ମଧ୍ୟ ପ୍ରଥମ ଘରୋଇ ବିଜୟ ପାଇଁ ଭୋକିଲା ରହିଛି।

ସମ୍ବନ୍ଧିତ ଖବର