ବଡ଼ ବିଜୟରୁ ଓଡ଼ିଶାର ସନ୍ତୋଷ ଟ୍ରଫି ଅଭିଯାନ: ଆଣ୍ଡାମାନକୁ ୭-୦ରେ ହରାଇଲା

ଭୁବନେଶ୍ବର: ଭାରତୀୟ ଘରୋଇ ଫୁଟ୍‌ବଲ୍‌ର ସମ୍ମାନଜନକ ପ୍ରତିଯୋଗିତା ସନ୍ତୋଷ ଟ୍ରଫି ଶନିବାରଠାରୁ ଓଡ଼ିଶାରେ ଆରମ୍ଭ ହୋଇଛି। ଗ୍ରୁପ୍‌-ଇ’ରେ ସିକ୍କିମ, ମେଘାଳୟ, ତେଲେଙ୍ଗନା, ପଣ୍ଡିଚେରି, ଆଣ୍ଡାମାନ ନିକୋବର ସହ ସ୍ଥାନ ପାଇଥିବା ଓଡ଼ିଶା ଘରୋଇ ପରିବେଶରେ ଏକପାଖିଆ ବିଜୟରୁ ଅଭିଯାନ ଆରମ୍ଭ କରିଛି। କ୍ୟାପିଟାଲ ଫୁଟ୍‌ବଲ୍‌ ଏରିନାରେ ଖେଳାଯାଇଥିବା ପ୍ରଥମ ମ୍ୟାଚ୍‌ରେ ଓଡ଼ିଶା ୭-୦ ଗୋଲ୍‌ରେ ଆଣ୍ଡାମାନ ଓ ନିକୋବରକୁ ପରାସ୍ତ କରିଛି। ମ୍ୟାଚ୍‌ର ପଞ୍ଚମ ମିନିଟ୍‌ରୁ ହିଁ ଓଡ଼ିଶା ଗୋଲ୍‌ ଅଭିଯାନ ଆରମ୍ଭ କରିଥିଲା। ସଞ୍ଜିତ ଖୋରା ପ୍ରଥମ ଗୋଲ୍‌ ଦେବାର ଗୋଟିଏ ମିନିଟ୍‌ ପରେ ଏଦ୍‌ୱିନ୍‌ ତିର୍କି (୬ ମିନିଟ୍‌)ଙ୍କ ଗୋଲ୍‌ ବଳରେ ଓଡ଼ିଶା ୨-୦ର ଅଗ୍ରଣୀ ପାଇଥିଲା। ପୁଣି ୧୩ ମିନିଟ୍‌ରେ ବିକାଶ କୁମାର ସାହୁ ତୃତୀୟ ଗୋଲ୍‌ କରିଥିଲା ବେଳେ ୧୮ ମିନିଟ୍‌ରେ ସଞ୍ଜିତ ଖୋରା ବ୍ୟକ୍ତିଗତ ଦ୍ବିତୀୟ ଗୋଲ୍‌ କରିଥିଲେ। ଫଳରେ ଓଡ଼ିଶା ପ୍ରଥମାର୍ଦ୍ଧରେ ୪-୦ରେ ଆଗେଇ ଯାଇଥିଲା।

ଦ୍ବିତୀୟାର୍ଦ୍ଧରେ ମଧ୍ୟ ଓଡ଼ିଶାର ଆଧିପତ୍ୟ ଜାରି ରହିଥିଲା। ଘରୋଇ ଦଳ ଏହି ଅର୍ଦ୍ଧରେ ଆଉ ୩ ଗୋଲ୍‌ ଲଦି ଦେଇଥିଲା। ସେଥିମଧ୍ୟରୁ ୬୧ ମିନିଟ୍‌ରେ ଚନ୍ଦ୍ର ମୁଦୁଲି, ୮୬ ମିନିଟ୍‌ରେ ଚନ୍ଦ୍ର ମୋହନ ମୁର୍ମୁ ଏବଂ ୯୦+୧ ମିନିଟ୍‌ରେ ରାହୁଲ ମୁଖୀ ଗୋଟିଏ ଲେଖାଏଁ ଗୋଲ୍‌ କରି ଦଳକୁ ବଡ଼ ବିଜୟ ଭେଟି ଦେଇଥି‌ଲେ। ବ୍ୟକ୍ତିଗତ ୨ଟି ଗୋଲ୍‌ କରିଥିବା‌ ସଞ୍ଜିତ ଖୋରାଙ୍କୁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ମିଳିଥିଲା। ଓଡ଼ିଶା ତା’ର ପରବର୍ତୀ ମ୍ୟାଚ୍‌ ଏହି ପଡ଼ିଆରେ ଆସନ୍ତା ୨୬ ତାରିଖ ସୋମବାର ଦିନ ପଣ୍ଡିଚେରୀ ସହ ଖେଳିବ। ସେହିଦିନ ଅନ୍ୟ ଦୁଇ ମୁକାବିଲାରେ ଆଣ୍ଡାମାନ-ସିକ୍ମିମ ଏବଂ ମେଘାଳୟ-ତେଲେଙ୍ଗାନା ମୁହାଁମୁହିଁ ହେବେ। ଶନିବାର ଭୁବନେଶ୍ବରର କ୍ୟାପିଟାଲ ଫୁଟ୍‌ବଲ୍‌ ଏରିନାରେ ଖେଳାଯାଇଥିବା ଅନ୍ୟ ମ୍ୟାଚ୍‌ରେ ତେଲେଙ୍ଗାନା ୫-୧ ଗୋଲ୍‌ରେ ପଣ୍ଡିଚେରୀକୁ ପରାସ୍ତ କରିଥିଲା ବେଳେ ଓଡ଼ିଶା ଫୁଟ୍‌ବଲ ଏକାଡେମୀ (ସପ୍ତମ ବ‌ାଟାଲିୟନ୍‌) ପଡ଼ିଆରେ ମେଘାଳୟ ଓ ସିକ୍କିମ ମୁକାବିଲା‌ (୦-୦) ଗୋଲ୍‌ ଶୂନ୍ୟ ଭାବେ ଅମୀମାଂସିତ ରହିଥିଲା। ଶନିବାର ଉଦ୍‌ଘାଟନୀ ଉତ୍ସବରେ ରାଜ୍ୟ କ୍ରୀଡ଼ା ବିଭାଗ ଯୁଗ୍ମ ସଚିବ ଶୈଳେନ୍ଦ୍ର ଜେନା ମୁଖ୍ୟ ଅତିଥି ଏବଂ ଶବିର ଅଲ୍ଲୀ ସମ୍ମାନୀତ ଅତିଥି ଭାବେ ଯୋଗଦେଇଥିଲା ବେଳେ ଫାଓ ସଂପାଦକ ଆଶୀର୍ବାଦ ବେହେରା, ଯୁଗ୍ମ ସଂପାଦକ ଅଭିଜିତ ପଲ୍‌ ଏବଂ କୋଷାଧ୍ୟକ୍ଷ ଭକ୍ତବଲ୍ଲଭ ଦାସ ମଧ୍ୟ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର