ପନ୍ତ ଓ ମୁଁ ଭଲ ସାଙ୍ଗ: ସାମସନ୍‌

ନୂଆଦିଲ୍ଲୀ: ଭାରତୀୟ ୱିକେଟ୍‌ରକ୍ଷକ ସଞ୍ଜୁ ସାମସନ୍‌ ଜିମ୍ବାୱେ ବିପକ୍ଷରେ ୨୦୧୫ରେ ଅନ୍ତର୍ଜାତୀୟ ପଦାର୍ପଣ କରିଥିଲେ। ହାରାରେରେ ‌ଅଜିଙ୍କ୍ୟ ରାହାଣେଙ୍କ ନେତୃତ୍ବରେ ଖେଳାଯାଇଥିବା ଏହି ମ୍ୟାଚ୍‌ରେ ୭ ନମ୍ବର ସ୍ଥାନରେ ବ୍ୟାଟିଂ କରିଥିବା ସାମସନ୍‌ ୨୪ ବଲ୍‌ ଖେଳି ୧୯ ରନ୍‌ କରିଥିଲେ। ଏହାର ପ୍ରାୟ ୫ ବର୍ଷ ବ୍ୟାବଧାନ ପରେ ପୁଣି ଥରେ ସେ ଭାରତୀୟ ଦଳରେ ସ୍ଥାନ ପାଇଥିଲେ। ବଂଲାଦେଶ ବିପକ୍ଷ ୩ ମ୍ୟାଚ୍‌ ବିଶିଷ୍ଟ ଟ୍ବେଣ୍ଟି-୨୦ ଏହି ଶୃଙ୍ଖଳାରେ ସେ କିନ୍ତୁ ଗୋଟିଏ ମ୍ୟାଚ୍‌ ବି ଖେଳିବାର ସୁଯୋଗ ପାଇନଥିଲେ। କାରଣ ଥିଲା ଋଷବ ପନ୍ତ ପ୍ରଥମ ପସନ୍ଦର ୱିକେଟ୍‌ରକ୍ଷକ ଥିଲେ। ‌ପନ୍ତଙ୍କୁ ଏହି ଶୃଙ୍ଖଳାରେ ସୁଯୋଗ ମିଳିଥିଲା ଏବଂ ସାମସନ୍‌ ପ୍ୟାଭିଲିୟନ୍‌ରେ ବସି ଫେରିଥିଲେ। ଶୃଙ୍ଖଳାରେ ପନ୍ତ ବିଫଳ ହେବାରୁ ସାମସନଙ୍କୁ କ’ଣ ପାଇଁ ଖେଳିବାର ସୁଯୋଗ ମିଳିଲାନି ତାକୁ ନେଇ ବିତର୍କ ଚାଲିଲା। ଚଳିତ ବର୍ଷ ଜାନୁଆରିରେ ଶ୍ରୀଲଙ୍କା ବିପକ୍ଷ ଶୃଙ୍ଖଳାରେ ସେ ଚୂଡ଼ାନ୍ତ ଏକାଦଶରେ ସ୍ଥାନ ପାଇଥିଲେ। ହେଲେ ମାତ୍ର ୬ ରନ୍‌ କରିଥିଲେ। ଏହାପରେ ନ୍ୟୁଜିଲାଣ୍ଡ ଗସ୍ତରେ ସେ ପୁଣି ସୁ‌ଯାଗ ପାଇ ସେଠାରେ ଦୁଇଟି ଟ୍ବେଣ୍ଟି-୨୦ ମ୍ୟାଚ୍‌ ଖେଳି ୮ ଓ ୨ ‌ରନ୍‌ କରିବାକୁ ସକ୍ଷମ ହୋଇଥିଲେ। ତାଙ୍କୁ ସ‌ମସ୍ତେ ପନ୍ତଙ୍କ ପ୍ରତିଦ୍ବଦ୍ବୀ ଭାବେ ବିଚାର କରିଥିଲେ। କିନ୍ତୁ ଏହି ୨୫ ବର୍ଷୀୟ ତାରକା କେବେ ପନ୍ତଙ୍କୁ ପ୍ରତିଦ୍ବନ୍ଦ୍ବୀ ଭାବେ ଭାବିନାହାନ୍ତି ‌ବୋଲି ଏକ ସାକ୍ଷାତକାରରେ କହିଛନ୍ତି।

ମୁଁ ୨୦୧୫ରେ ଜିମ୍ବାୱେ ବିପକ୍ଷରେ ପଦାର୍ପଣ କରିଥିଲି। ୪-୫ ବର୍ଷ ଆଇପିଏଲ୍‌ ଓ ‌ଘ‌ରୋଇ କ୍ରିକେଟ୍‌‌ ଖେଳିବା ପରେ ପୁଣି ଅନ୍ତର୍ଜାତୀୟ ସୁଯୋଗ ପାଇଥିଲି। ଏହି ବ୍ୟବଧାନ ‌ମୋ କ୍ରିକେଟ୍‌ ଜୀବନ ପାଇଁ ବଡ଼ ଗୁରୁତ୍ବପୂର୍ଣ୍ଣ ଥିଲା ବୋଲି ଏକ ସାକ୍ଷାତକାରରେ ସାମସନ୍‌ କହିଛନ୍ତି। ଏହି ୫ ବର୍ଷ ମୋ ପାଇଁ ସତରେ ଗୁରୁତ୍ବପୂର୍ଣ୍ଣ ଥିଲା। ଏହି ସମୟରେ ଭଲ କରିବାକୁ ଚେଷ୍ଟା କରିବା ସହ ଖେଳର ଶୈଳୀ ବଦଳାଇଥିଲି। ମନେ ମନେ ଭାବିଲି ମୁଁ ବହୁତ ଦୃଢ଼। ମୁଁ କିଭଳି ମଣିଷ ତାହାକୁ ଅନୁଧ୍ୟାନ କରିବା ସହ କେଉଁ ପ୍ରକାରର କ୍ରିକେଟର୍‌ ବୋଲି ନିଜକୁ ପ୍ରଶ୍ନ କଲି। ଏହି ୫ ବର୍ଷ ମଧ୍ୟରେ ମୋର ଶକ୍ତି ଏବଂ ଦୁର୍ବଳତାକୁ ବୁଝି ପାରିଲି। ତେଣୁ ନିଜକୁ ଅନ୍ତର୍ଜାତୀୟସ୍ତରର ଗଢ଼ିବାକୁ ସମର୍ଥ ହୋଇଥିଲି। ଭଲ ଖେଳିବା ସହ ଭାରତର ବିଜୟରେ ନିଜକୁ ସାମିଲ କରିବା ଲାଗି ଏହି ବର୍ଷଗୁଡ଼ିକରେ ପ୍ରସ୍ତୁତ କରିଥିଲି ବୋଲି ସାମସନ୍‌ ପ୍ରକାଶ କରିଛନ୍ତି।

ମୁଁ କେତେ‌‌ବେଳେ ବି ପନ୍ତ୍‌ଙ୍କୁ ମୋର ପ୍ରତିଦ୍ବନ୍ଦ୍ବୀ ଭାବିନି। କାରଣ ମ୍ୟାଚ୍‌ର ଆବଶ୍ୟକ ଅନୁଯାୟୀ ଚୂଡ଼ାନ୍ତ ଦଳ ନିଶ୍ଚିତ ହୋଇଥାଏ। କ୍ରିକେଟର୍‌ ଭାବେ ମୁଁ ଖେଳରେ ପ୍ରତିଦ୍ବନ୍ଦ୍ବିତା ଦେଖିଥାଏ। କିନ୍ତୁ ଅନ୍ୟ ଜଣ ଖେଳାଳିଙ୍କୁ ନୁହେଁ। ଯିଏ ଏପରି ଭାବୁଥିବ ସେ କ୍ରିକେଟ୍‌ ଖେଳିବାକୁ ଯୋଗ୍ୟ ନୁହନ୍ତି ବୋଲି ସାମସନ୍‌ ପ୍ରକାଶ କରିଛନ୍ତି। ଦିଲ୍ଲୀ ଡେୟାରଡେଭିଲ୍ସ ପକ୍ଷରୁ ଆଇପିଏଲ୍‌‌ରେ ଖେଳିଲା ବେଳେ ଋଷବ ଓ ମୁଁ ବହୁତ ସମୟ କାଟିଛୁ। ସତରେ ଆମେ ଦୁହେଁ ଭଲ ସାଙ୍ଗ। ସେ ଜଣେ ପ୍ରଭାବଶାଳୀ ଖେଳାଳି। ମୁଁ ତାଙ୍କ ସହ ବହୁ ମ୍ୟାଚ୍‌ ଖେଳିଛି ଏବଂ ଉପଭୋଗ କରିଛି। ଗୁଜରାଟ ଲାୟନ୍ସ ବିପକ୍ଷ ଏକ ଆଇପିଏଲ୍‌ ମ୍ୟାଚ୍‌ରେ ଆମ ଦୁହେଁ ଏକ ବଡ଼ ଭାଗୀଦାରି କରିଥିଲୁ ବୋଲି ଏହି କେରଳୀ ବ୍ୟାଟ୍ସମ୍ୟାନ୍‌ ପୁରୁଣା ସ୍ମୃତିକୁ ମନେପକାଇ କହିଛନ୍ତି। ମାହି (ମହେନ୍ଦ୍ର ସିଂହ ଧୋନି) ଭାଇଙ୍କଠୁ ମୁଁ ବହୁତ କିଛି ଶିଖିଛି। ତାଙ୍କ ସହ ଦୁଇଟି ମ୍ୟାଚ୍‌ ଖେଳିବାର ସୁଯୋଗ ପାଇଛି। ତାଙ୍କର ଚତୁର ମସ୍ତିଷ୍କ ବିଶ୍ବର ଅନ୍ୟତମ। ପରିସ୍ଥିତି ଓ ଫର୍ମାଟ୍‌ ଅନୁଯାୟୀ ସେ ନିଜର ଧୌର୍ଯ୍ୟ ଓ ବ୍ୟାଟିଂ ଶୈଳୀକୁ ବଦଳାଇଥାନ୍ତି। ଏହି ପରି ବହୁ ଜିନିଷ ତାଙ୍କଠୁ ଶିଖିବାକୁ ମିଳିଥାଏ। କିଭଳି ସ୍ମାର୍ଟ କ୍ରିକେଟର୍‌ ହେବ ତାଙ୍କଠୁ ଶିଖିଛି। ପରିସ୍ଥିତିକୁ ନିୟନ୍ତ୍ରଣ କରିବାରେ ସେ ସ୍ମାର୍ଟ। ତେଣୁ ଏହା ତାଙ୍କଠୁ ଶିଖିଛି ବୋଲି ସାମସନ୍‌ ପ୍ରକାଶ କରିଛନ୍ତି।

ପନ୍ତ୍‌ଙ୍କୁ ପ୍ରଶଂସା କଲେ ରସିଦ
ବିଦେଶୀ ଖେଳାଳି ଭାବେ ରସିଦ ଖାନ୍‌ ଭାରତରେ ଲୋକପ୍ରିୟ। ଆଇପିଏଲ୍‌ରେ ସନ୍‌ରାଇଜର୍ସ ହାଇଦ୍ରାବଦ ପକ୍ଷରୁ ଖେଳୁଥିବା ଏହି ଆଫ୍‌ଗାନିସ୍ତାନ ତାରକା ଇନ୍‌ଷ୍ଟାଗ୍ରାମ ଚାଟ୍‌ରେ ୟୁଜବେନ୍ଦ୍ର ଚହଲଙ୍କ ସହ କଥା ହେ‌ଲା ବେ‌ଳେ ଭାରତୀୟ ୱିକେଟ୍‌ ରକ୍ଷକ ଋଷବ ପନ୍ତଙ୍କୁ ପ୍ରଶଂସା କରିଛନ୍ତି। ୧୯ ବର୍ଷରୁ କମ୍‌ ବୟସ ବର୍ଗରେ ଖେଳିଲା ବେଳେ ପନ୍ତ କିଭଳି ଆଫ୍‌ଗାନିସ୍ତାନ ବୋଲରଙ୍କୁ ଅସୁବିଧାରେ ପକାଉଥିଲେ ସେ କହିଛନ୍ତି। ୨୦୧୬ରେ ୧୯ ବର୍ଷରୁ କମ୍‌ ବିଶ୍ବକପ୍‌ ପୂର୍ବରୁ ୨୦୧୫ରେ କୋଲ୍‌କାତାସ୍ଥିତ ଯାଦବପୁର ବିଶ୍ବବିଦ୍ୟାଳୟର ଦ୍ବିତୀୟ କ୍ୟାମ୍ପସ୍‌ ପଡ଼ିଆରେ ଖେଳାଯାଇଥିବା ୧୯ ବର୍ଷରୁ କମ୍‌ ତ୍ରି‌କୋଣୀୟ ଶୃଙ୍ଖଳାର ଏକ ମ୍ୟାଚ୍‌ରେ ଆମ ବୋଲର ପନ୍ତ୍‌ଙ୍କୁ ମୁକାବିଲା କରିଥିଲେ। ଏହି ମ୍ୟାଚ୍‌ରେ ସେ ଲଗାତାର ୩ ବଲ୍‌ରେ ୩ ଛକା ମାରିଥିଲେ। ଚତୁର୍ଥ ବଲ୍‌ରେ ‌‌ତାଙ୍କ କ୍ୟାଚ୍‌ ହାତଛଡ଼ା ହୋଇଥିଲା। ଏହା ପରେ ଆମ ବୋଲର ଅସହାୟ ହୋଇଯାଇଥିଲେ। କିଭଳି ତାଙ୍କୁ ଆଉଟ୍‌ କରିବେ ଚିନ୍ତା କରୁଥିଲେ ବୋଲି ଚହଲଙ୍କ ସହ କଥା ହେଲା ବେଳେ ରସିଦ ପ୍ରକାଶ କରିଛନ୍ତି। ସେ ଏଭଳି ସଟ୍‌ ମାରୁଥିଲେ ଯେ ଆମେ କିପରି ବଲ୍ ପକାଇବୁ ଜାଣି ପାରୁନଥିଲୁ। ମୋର ମନେ ଅଛି ତାଙ୍କୁ ‌ମୁଁ ଏହି ଶୃଙ୍ଖଳାରେ ବୋଲିଂ କରିଥିଲି। ବଲ୍‌ ପିଚ୍‌ରେ ପଡ଼ିବା ପୂର୍ବରୁ ସେ ସହଜରେ ଏହାକୁ ବାଉଣ୍ଡରି ପାର କରି ଦେଉଥିଲେ। ଲେଗ୍‌ ସ୍ପିନ୍‌କୁ ସେ ବ୍ୟାକ୍‌ଫୁଟ୍‌ରେ ଖେଳୁଥିଲେ। ଏହା ଦେଖି ମୁଁ ସବୁବେଳେ ମିଶ୍ରିତ ବୋଲିଂ କରିକାକୁ ଚେଷ୍ଟା କରିଥି‌ଲି ବୋଲି ଏହି ସ୍ପିନ୍‌ ତାରକା କହିଛନ୍ତି। ସେ ମଧ୍ୟ ଆଇପିଏଲ୍‌ ସଫଳତା ପାଇଁ ବିରାଟ କୋହଲି, ଏବି ଡି’ଭିଲିୟର୍ସ, ଆନ୍ଦ୍ରେ ରସେଲ ଓ କ୍ରିସ୍‌ ଗେଲ୍‌ଙ୍କୁ ପ୍ରଶଂସା କରିଛନ୍ତି।

ସମ୍ବନ୍ଧିତ ଖବର