ଶ୍ରୀଲଙ୍କା ଟ୍ବେଣ୍ଟି-୨୦ ଶୃଙ୍ଖଳାରୁ ବାଦ୍‌ ପଡ଼ିବେ ରାହୁଲ! ରୋହିତ ଓ କୋହଲିଙ୍କୁ ମିଳିପାରେ ବିଶ୍ରାମ

ନୂଆଦିଲ୍ଲୀ: ବାଂଲାଦେଶ ଗସ୍ତ ଶେଷ କରିବା ପରେ ଏବେ ଭାରତୀୟ ଦଳର ନଜର ଶ୍ରୀଲଙ୍କା ବିପକ୍ଷ ଘରୋଇ ଶୃଙ୍ଖଳା ଉପରକୁ ଆସିଛି। ବାଂଲାଦେଶ ଗସ୍ତରେ ଭାରତ ଦିନିକିଆ ଶୃଙ୍ଖଳାକୁ ୧-୨ରେ ହାରିବା ପରେ ଟେଷ୍ଟ୍‌ ଶୃଙ୍ଖଳାକୁ ୨-୦ରେ ପୋଛିନେଇଛି। ଏବେ ଆସନ୍ତା ଜାନୁଆରି ୩ରୁ ଘରେ ଶ୍ରୀଲଙ୍କା ବିପକ୍ଷରେ ୩ଟି ଲେଖାଏଁ ଟ୍ବେଣ୍ଟି-୨୦ ଏବଂ ଦିନିକିଆ ଶୃଙ୍ଖଳା ଖେଳିବ ଭାରତ। ଏହି ଶୃଙ୍ଖଳା ପାଇଁ ଦଳ ଚୟନ କରିବା ଦାୟିତ୍ବ ଚେତନ ଶର୍ମାଙ୍କ ନେତୃତ୍ବାଧୀନ କମିଟି ଉପରେ ନ୍ୟସ୍ତ କରାଯାଇଛି। ଦୁଇଟି ଧଳା ବଲ୍‌ ଶୃଙ୍ଖଳା ପାଇଁ ଦଳ ଘୋଷଣା କରିବା ହିଁ ଚେତନ ଶର୍ମାଙ୍କ କମିଟିର ଶେଷ ଦାୟିତ୍ବ ହେବ। ଏହାପରଠୁ ନୂଆ କମିଟି ଦଳ ଘୋଷଣା କରିବାର ଦାୟିତ୍ବ ମୁଣ୍ଡାଇବ ବୋଲି ବିସିସିଆଇ ସ୍ପଷ୍ଟ କରିଛି।

ଆସନ୍ତାକାଲିଠାରୁ ତିନି ଦିନ ମଧ୍ୟରେ ଶ୍ରୀଲଙ୍କା ଶୃଙ୍ଖଳା ପାଇଁ ସମ୍ଭବତଃ ଦଳ ଘୋଷିତ ହୋଇପାରେ। ତେବେ ବାଂଲାଦେଶ ଗସ୍ତରେ ସଂପୂର୍ଣ୍ଣ ବିଫଳ ହୋଇଥିବା କେଏଲ୍‌ ରାହୁଲଙ୍କୁ ଶ୍ରୀଲଙ୍କା ଟ୍ବେଣ୍ଟି-୨୦ ଶୃଙ୍ଖଳାରୁ ବାଦ୍‌ ଦେବାକୁ କମିଟି ଚିନ୍ତା କରିଛି। ନିୟମିତ ଅଧିନାୟକ ରୋହିତ ଶର୍ମା ଆହତ ଯୋଗୁଁ ବିଶ୍ରାମ ନେଇଥିବାରୁ ରାହୁଲ ବାଂଲାଦେଶରେ ଦଳର ନେତୃତ୍ବ ନେଇଥିଲେ। ହେଲେ ତାଙ୍କ ବିଫଳତା ଦଳକୁ ଅଧିକ ଚିନ୍ତାରେ ପକାଇଛି। ରାହୁଲ ବାଂଲାଦେଶ ବିପକ୍ଷ ୩ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ଶୃଙ୍ଖଳାର କେବଳ ପ୍ରଥମ ମ୍ୟାଚ୍‌ରେ ୭୩ ରନ୍‌ କରିଥିଲେ। ଏହାପରେ ପରବର୍ତୀ ଦୁଇ ମ୍ୟାଚ୍‌ରେ ଯଥାକ୍ରମେ ୧୪ ଓ ୮ ରନ୍‌ କରିଥିଲେ। ସେହିପରି ଟେଷ୍ଟ ଶୃଙ୍ଖଳାରେ ୨୨ ଓ ୨୩ ଏବଂ ୧୦ ଓ ୨ ରନ୍‌ କରିଥିଲେ।

ରାହୁଲ ବାଦ୍‌ ପଡ଼ିଲେ ଶ୍ରୀଲଙ୍କା ଟ୍ବେଣ୍ଟି-୨୦ ଶୃଙ୍ଖଳାରେ ଅଲ୍‌ରାଉଣ୍ଡର ହାର୍ଦିକ୍‌ ପାଣ୍ଡ୍ୟା ଭାରତୀୟ ଦଳର ନେତୃତ୍ବ ନେବେ ବୋଲି ଏକ ଅସମର୍ଥିତ ସୂତ୍ରରୁ ଜଣାପଡ଼ିଛି। କାରଣ ଏହି ଶୃଙ୍ଖଳା ବେଳକୁ ରୋହିତ ମଧ୍ୟ ସଂପୂର୍ଣ୍ଣ ସୁସ୍ଥ ହୋଇନଥିବେ। ତେଣୁ ତାଙ୍କ ବିଶ୍ରାମ ଅବଧିକୁ ବଢ଼ାଇବାକୁ ଚିନ୍ତା କରାଯାଉଛି। ପୁଣି କେବଳ ଟ୍ବେଣ୍ଟି-୨୦ ବିଶେଷଜ୍ଞ ଖେଳାଳିଙ୍କୁ ଦଳରେ ସାମିଲ କରିବାର ଯୋଜନା କମିଟି ରଖିଥିବାରୁ ବିରାଟ କୋହଲିଙ୍କ ଭଳି କିଛି ଖେଳାଳିଙ୍କୁ ମଧ୍ୟ ବାହାରେ ବସିବାକୁ ପଡ଼ିପାରେ। କୋହଲି ବାଂଲାଦେଶ ଗସ୍ତରେ ତିନିଟି ଦିନିକିଆରେ ଗୋଟିଏ ଶତକ ଜମାଇଥିଲେ ମଧ୍ୟ ଦୁଇଟିରେ ଯଥାକ୍ରମେ ୯ ଓ ୫ ରନ୍‌ କରିଥିଲେ। ସେହିପରି ଟେଷ୍ଟ୍‌ରେ ୧ ଓ ୧୯* ଏବଂ ୨୪ ଓ ୧ ରନ୍‌ କରି ଅସ୍ଥିର ପ୍ରଦର୍ଶନ ଦେଇଥିଲେ। ଏଭଳି ପ୍ରଦର୍ଶନ ପାଇଁ ଶ୍ରୀଲଙ୍କା ବିପକ୍ଷ ସୀମିତ ଓଭର ଶୃଙ୍ଖଳା ପାଇଁ ଦଳ ଘୋଷଣା ପୂର୍ବରୁ ଚେତନ ଶର୍ମାଙ୍କ ଚୟନ ସମିତି ଦ୍ବନ୍ଦ୍ବରେ ପଡ଼ିଯାଇଛି।

ସମ୍ବନ୍ଧିତ ଖବର