ହାତୀ ପାଇଁ ଧାନର ଅଭାବୀ ବିକ୍ରି

ଗାଁରେ ଗାଁରେ ଦଲାଲ ସକ୍ରିୟ, କ୍ବିଣ୍ଟାଲ ୧୫ ଶହ‌ରେ ବିକୁଛନ୍ତି ଚାଷୀ

ଅନୁଗୁଳ : ବିଲ‌ରେ ଧାନ ରହିଲେ ହାତୀ ଦଳି ଦେଉଛନ୍ତି। ଖଳାରେ ଥିବା ଧାନକୁ ବି ଛାଡ଼ୁନାହାନ୍ତି। ଏପଟେ ଅନୁଗୁଳ ଜିଲ୍ଲାରେ ମଣ୍ଡ‌ିରେ ଧାନ କିଣାବିକା ସ୍ବାଭାବିକ ହୋଇ ନ ଥିବାରୁ ଅମଳ ଧାନ ବିକ୍ରି କରିପାରୁନାହାନ୍ତି। ବର୍ଷକର ପରିଶ୍ରମ ହାତୀ ପାଦରେ ଯାଉଥିବା ଦେଖି ଚାଷୀ ମୁଣ୍ଡରେ ହାତ ଦେଇ ବସିଛନ୍ତି। ଧାନ ନଷ୍ଟ ହେବା ଅପେକ୍ଷାରେ ଅଭାବୀ ବିକ୍ରି କରିବାକୁ ବାଧ୍ୟ ହେଉଛନ୍ତି ଚାଷୀ।

ଧାନ ବିକିବା ପାଇଁ ଚାଷୀ ଅପେକ୍ଷା କରି ବସିଥିଲାବେଳେ ଏଥର ଅନୁଗୁଳ ଜିଲ୍ଲାରେ ବିଳମ୍ବରେ ଧାନ କିଣା ଆରମ୍ଭ ହୋଇଛି। ୨୦ ତାରିଖରେ ମଣ୍ଡି ଆରମ୍ଭ ହୋଇଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ଧାନ କିଣାବିକା ସ୍ବାଭାବିକ ହୋଇପାରିନି। ଚାଷୀଙ୍କୁ ଟୋକନ ମିଳି ନ ଥିବାରୁ ଚାଷୀମାନେ ଧାନ ବିକି ପାରୁ ନାହାନ୍ତି। ଆଜି ପର୍ଯ୍ୟନ୍ତ ଜିଲ୍ଲାରେ ମାତ୍ର ୫୬୪ ଜଣ ଚାଷୀ ୧୮,୧୭୯ କ୍ବିଣ୍ଟାଲ୍‌ ଧାନ ବିକ୍ରି କରିଛନ୍ତି। ପ୍ରଥମ ପର୍ଯ୍ୟାୟରେ ଜିଲ୍ଲାକୁ ୮ ଲକ୍ଷ ୯୪ ହଜାର କ୍ବିଣ୍ଟାଲ ଧାନ କିଣିବାକୁ ଟାର୍ଗେଟ୍‌ ଆସିଥିଲାବେଳେ ୬ ଦିନରେ ମାତ୍ର ୧୮ ହଜାର ଧାନ କିଣାଯାଇଛି। ଅମଳ କରି ଧାନ ବିକିବାକୁ ଅପେକ୍ଷା କରି ରହିଥିବା ଚାଷୀଙ୍କୁ ଟୋକନ୍‌ ମିଳି ନ ଥିବାରୁ ସେମାନେ ଦ୍ବନ୍ଦ୍ବରେ ରହିଛନ୍ତି। କେବେ ଟୋକନ୍‌ ଆସିବ, କେବେ ଧାନ ବିକିବେ ତାକୁ ନେଇ ଚାଷୀ ସନ୍ଦେହରେ ରହିଥିଲା ବେଳେ ଅମଳ ଧାନକୁ ସଂରକ୍ଷିତ ରଖିବା କ‌ଷ୍ଟକର ହୋଇ ପଡ଼ିଛି। ତେଣୁ ବହୁ ଚାଷୀ ଆଗୁଆ ଧାନ ବିକି ଦେବାକୁ ନିଷ୍ପତ୍ତି ନେଇଛନ୍ତି। ଯାହା ଦର ହେଉ ପଛେ କିଛି ମିଳିଯାଉ ନ୍ୟାୟରେ ଚାଷୀମାନେ ଧାନ ବିକିବା ଆରମ୍ଭ କରିଦେଇଛନ୍ତି।

ଜଣେ ଚାଷୀଙ୍କ କହିବାନୁସାରେ, ତାଳଚେର, କଣିହାଁ ଓ କିଶୋରନଗର ବ୍ଲକ୍‌ରେ ମଧ୍ୟ ହାତୀ ଜନବସତି ଅଞ୍ଚଳକୁ ପଶି ବ୍ୟାପକ କ୍ଷୟକ୍ଷତି କରୁଛନ୍ତି। ଫଳରେ, ହାତୀ ଭୟରେ ଧାନକୁ ଆଗୁଆ କାଟିବାକୁ ବାଧ୍ୟ ହେଉଛୁ।

ଅନ୍ୟପକ୍ଷରେ, ହାତୀ ଭୟରେ ଚାଷୀ ଧାନର ଅଭାବୀ ବିକ୍ରି କରୁଥିଲାବେଳେ ସବୁ ଗାଁରେ ଏବେ ଦଲାଲ ସକ୍ରିୟ ହୋଇ ପଡ଼ିଛନ୍ତି। କ୍ବିଣ୍ଟାଲ ପିଛା ୧୪ ଶହରୁ ୧୬ ଶହ ଟଙ୍କାରେ ଏହି ବ୍ୟବସାୟୀମାନେ ଧାନ କିଣି ନେଉଛନ୍ତି। ଯେଉଁ ଚାଷୀଙ୍କ ପାଖରେ ଧାନ ରଖିବା ପାଇଁ ବିକଳ୍ପ ବ୍ୟବସ୍ଥା ନାହିଁ ସେମାନେ ଏହି ବ୍ୟବସାୟୀଙ୍କୁ ଧାନ ଦେଇ ଦେଉଛନ୍ତି। ଜିଲ୍ଲାର ଅଧିକାଂଶ ସ୍ଥାନରେ ଏମିତି ଚିତ୍ର ଦେଖିବାକୁ ମିଳୁଛି।

ସମ୍ବନ୍ଧିତ ଖବର