କୋବି ତୋଳିବା ବେଳେ ଚୋଟ ମାରିଲା ସାପ: ସାପକୁ ଧରି ଡାକ୍ତରଖାନା ପହଞ୍ଚିଲେ ଯୁବକ

ବାଲେଶ୍ବର : ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟରେ ରବିବାର ଦିନ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଥିଲା। ସର୍ପ ଦଂଶନର ଶିକାର ହୋଇଥିବା ଜଣେ ଯୁବକ ସାପକୁ ସାଙ୍ଗରେ ଧରି ସକାଳ ୯ଟା ସମୟରେ ଡାକ୍ତରଖାନାରେ ପହଞ୍ଚିଥିଲେ। ତାଙ୍କୁ ଦେଖି ଡାକ୍ତରଖାନାର କର୍ମଚାରୀ, ରୋଗୀ ସମସ୍ତେ ଆଶ୍ଚର୍ଯ୍ୟ ହୋଇଥିଲେ। ଘଟଣା ସଂପର୍କରେ ଜାଣିବା ପାଇଁ ଡାକ୍ତରଖାନା ପରିସରରେ ଭିଡ଼ ମଧ୍ୟ ‌ଜମିଥିଲା।

ସୂଚନା ମୁତାବକ, ରେମୁଣା ବ୍ଲକ କଲ୍ୟାଣପୁର ପଞ୍ଚାୟତ ଗାଙ୍ଗପୁରା ଗ୍ରାମର ଭାଗବତ ପ୍ରଧାନ (୪୦) ରବିବାର ସକାଳେ ନିଜ ବଗିଚାରୁ ଫୁଲକୋବି ତୋଳିବାକୁ ଯାଇଥିଲେ। ଏହିସମୟରେ ତାଙ୍କୁ ଏକ ବିଷଧର ସାପ କାମୁଡ଼ି ଦେଇଥିଲା। ଭାଗବତ ପରିବାର ଲୋକଙ୍କୁ ଡାକି କୌଶଳକ୍ରମେ ସାପକୁ ଏକ ବସ୍ତାରେ ପୂରାଇ ଘରକୁ ଆଣିଥିଲେ। ଡାକ୍ତର ସାପକୁ ଚିହ୍ନି ସେହି ଅନୁସାରେ ତାଙ୍କୁ ଆଣ୍ଟି ଭେନମ୍‌ ଡୋଜ୍ ବା ସାପ କାମୁଡ଼ା ଇଞ୍ଜେକସନ୍ ଦେବାପାଇଁ ସେ ସାପକୁ ଏକ ପଲିଥିନ୍‌ରେ ପୂରାଇ ଡାକ୍ତରଖାନା ଆଣିଥିବା କହିଥିଲେ ଭାଗବତ। ତାଙ୍କ ଉପସ୍ଥିତ ବୁଦ୍ଧିକୁ ସମସ୍ତେ ତାରିଫ୍‌ ମଧ୍ୟ କରିଥିଲେ। ଡାକ୍ତର ତାଙ୍କ ସ୍ବାସ୍ଥ୍ୟାବସ୍ଥାକୁ ଅନୁଧ୍ୟାନ କରିବା ପରେ ଆଶୁ ଚିକିତ୍ସା କରିଥିଲେ। ଭାଗବତ ବର୍ତ୍ତମାନ ବିପଦମୁକ୍ତ ଥିବାବେଳେ ଧରିଥିବା ସାପଟିକୁ ସର୍ପଧରାଳିଙ୍କୁ ହସ୍ତାନ୍ତର କରାଯାଇଛି।

ସମ୍ବନ୍ଧିତ ଖବର