କୁଆରମୁଣ୍ଡାରୁ କାଠମାଣ୍ଡୁ: ଫୁଟ୍‌ବଲ୍ ପଡ଼ିଆରେ ରିତୁଙ୍କ ଲମ୍ବା ଲମ୍ଫ

ଭୁବନେଶ୍ବର: ଜାତୀୟ ଓ ଅନ୍ତର୍ଜାତୀୟସ୍ତରରେ ଓଡ଼ିଆ ମହିଳା ଫୁଟ୍‌ବଲ୍ ଖେଳାଳିଙ୍କର ବେଶ୍ ସୁନାମ ରହିଛି। ଶ୍ରଦ୍ଧାଞ୍ଜଳି ସାମନ୍ତରାୟ, ସସ୍ମିତା ମଲ୍ଲିକ, ପିଙ୍କି ବୋମ୍ପଲ ମଗର, ଜବାମଣି ଟୁଡୁ, ମନୀଷା ପନ୍ନାଙ୍କ ଭଳି ଖେଳାଳି କେବଳ ଓଡ଼ିଶା ଫୁଟ୍‌ବଲ୍‌କୁ ସମୃଦ୍ଧ କରି ନାହାନ୍ତି, ବରଂ ନିଜ ପ୍ରଦର୍ଶନ ବଳରେ ସମଗ୍ର ଭାରତ ବର୍ଷକୁ ଗର୍ବିତ କରିଛନ୍ତି। ଅନ୍ତର୍ଜାତୀୟସ୍ତରରେ ଏକାଧିକ ପ୍ରତିଯୋଗିତା ଜିତିବା ସହ ଜାତୀୟସ୍ତରରେ ଓଡ଼ିଶାକୁ ମହିଳା ଫୁଟ୍‌ବଲ୍‌ର ଅନ୍ୟତମ ମହାଶକ୍ତି ଭାବେ ଗଢ଼ି ତୋଳିବାରେ ବଳିଷ୍ଠ ଯୋଗଦାନ ଦେଇଛନ୍ତି। ଏବେ ଏହି ଧାରାରେ ସାମିଲ ହୋଇଛନ୍ତି ସୁନ୍ଦରଗଡ଼ ଜିଲ୍ଲା କୁଆରମୁଣ୍ଡାର କୁନି ଫୁଟବଲ୍ ତାରକା ରିତୁ ବଡ଼ାଇକ। ସପ୍ତମ ଶ୍ରେଣୀରେ ପଢ଼ୁଥିବା ରିତୁ ଏବେ କୁଆରମୁଣ୍ଡା‌ରୁ ବାହାରି କାଠମାଣ୍ଡୁରେ ନିଜ ଯାଦୁ ଦେଖାଉଛନ୍ତି।

ରିତୁ ଭାରତୀୟ ୧୬ ବର୍ଷରୁ କମ୍ ଦଳରେ ସ୍ଥାନ ପାଇ ସଂପ୍ରତି ନେପାଳର କାଠମାଣ୍ଡୁଠାରେ ସାଫ୍ ଚାମ୍ପିଅନସିପ୍ ଖେଳୁଛନ୍ତି। ଆଗକୁ ଭାରତୀୟ ବରିଷ୍ଠ ମହିଳା ଦଳରେ ସାମିଲ ହେବାର ସ୍ବପ୍ନ ଦେଖୁଛନ୍ତି। ଜାତୀୟ ଓ ଅନ୍ତର୍ଜାତୀୟ ଫୁଟ୍‌ବଲ୍‌ରେ ନିଜ ବାସ୍ନାକୁ ବିଚ୍ଛୁରିତ କରିବାକୁ କଠିନ ପରିଶ୍ରମ ବି କରୁଛନ୍ତି। ରକ୍ଷଣଭାଗରେ ଖେଳି ଓଡ଼ିଶାର ପରବର୍ତ୍ତୀ ଫୁଟ୍‌ବଲ୍ ସୁପର୍‌ଷ୍ଟାର୍ ହେବାର ପ୍ରତିଶ୍ରୁତି ରଖୁଥିବା ୧୩ ବର୍ଷୀୟା ରିତୁ ନିଷ୍ଠାର ସହ ଲକ୍ଷ୍ୟ ପଥରେ ଅଗ୍ରସର ହେଲେ ନିଶ୍ଚିତ ଭାବେ ଏହି ସ୍ବପ୍ନ ପୂରଣ କରିପାରିବେ ବୋଲି ରିତୁ ପ୍ରଶିକ୍ଷଣ ନେଉଥିବା ନୀତା ଫୁଟ୍‌ବଲ୍‌ ଏକାଡେମିର ମୁଖ୍ୟ ପରାମର୍ଶଦାତା ମହମ୍ମଦ ସାହିଦ ଜବାର ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। ରିତୁଙ୍କ ପିଲାଦିନର ପ୍ରଶିକ୍ଷକ ସିଥୋ ମହାକୁଡ଼ ତାଙ୍କ ଭବିଷ୍ୟତକୁ ନେଇ ବେଶ୍ ଉତ୍ସାହିତ ଅଛନ୍ତି। ରିତୁଙ୍କ ଆଦ୍ୟଗୁରୁ ‌ହେଉଛନ୍ତି ବାପା ବିଜୟ ବଡ଼ାଇକ। ସୁନ୍ଦରଗଡ଼ ଜିଲ୍ଲା ବାନିଗୁନୀ ଗ୍ରାମର ମୂଳବାସିନ୍ଦା ବିଜୟଙ୍କର ପିଲାଟି ବେଳୁ ଫୁଟ୍‌ବଲ୍‌ ପ୍ରତି ଥିଲା ଅହେତୁକ ଦୁର୍ବଳତା। କହିବାକୁ ଗଲେ ଫୁଟ୍‌ବଲ୍ ପାଇଁ ପୂରା ପାଗଳ ଥିଲେ ସେ। ‌ହେଲେ ଅଭାବୀ ପରିବାର ପାଇଁ ବାଳୁତ ବୟସରୁ ଖେଳିବା ଛ‌ାଡ଼ି କାମଧନ୍ଦା ଆରମ୍ଭ କରିବାକୁ ବାଧ୍ୟ ହୋଇଥିଲେ। ଏଣୁ ୨୦୧୧ ମସିହା ମେ ମାସରେ ରିତୁଙ୍କ ଜନ୍ମପରେ ତାଙ୍କୁ ଜଣେ ଫୁଟବଲର୍‌ ଭାବେ ଗଢ଼ି ତୋଳିବାକୁ ସଂକଳ୍ପ କରିଥିଲେ। ସ୍ବାଭାବିକ ଭାବେ ରିତୁ ମଧ୍ୟ ଫୁଟବଲ୍ ଖେଳ ଆଡ଼କୁ ଢଳିବା ଆରମ୍ଭ କରିଥି‌ଲେ। ଏଣୁ ତାଙ୍କୁ ବଡ଼ ପିଲାଙ୍କ ସହ ଖେଳିବାର ସୁଯୋଗ ଦେବା ଲାଗି ଗାଁଠାରୁ ୧୫ କିଲୋମିଟର ଦୂର ପଡ଼ିଆକୁ ପ୍ରତିଦିନ ନେଉଥିଲେ ଦିନ ମୁଜରିଆ ଭାବେ କାମ କରୁଥିବା ବିଜୟ।

ଝିଅକୁ ଅଧିକରୁ ଅଧିକ ଅଭ୍ୟାସ କରିବାର ସୁଯୋଗ ଦେବା ଲାଗି ତିନିଟି ସ୍କୁଲ୍ ମଧ୍ୟ ବଦଳାଇଥିଲେ। ରିତୁ ପରେ କୁଆରମୁଣ୍ଡାର ୟଙ୍ଗ ଆସୋସିଏସନ୍ ମହିଳା ଫୁଟବଲ୍ କ୍ଲବ୍‌ରେ ଯୋଗ ଦେଇ ପ୍ରଶିକ୍ଷକ ସିଥୋ ମହାକୁଳଙ୍କ ମାର୍ଗଦର୍ଶନରେ ନିଜ ପ୍ରତିଭାକୁ ଆହୁରି ଶାଣିତ କରିଥିଲେ। ପରେ ପ୍ରଶିକ୍ଷକ ଓ ବାପା ବିଜୟଙ୍କ ପ୍ରେରଣାରେ ପ୍ରତିଭା ଅନ୍ବେଷଣ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ନୀତା ଫୁଟବଲ୍ ଏକାଡେମି (ଖୁଣ୍ଟୁଣୀ)ରେ ଯୋଗ ଦେଇଥିଲେ। ରାଜ୍ୟ ଉପକନିଷ୍ଠ ଦଳରେ ସ୍ଥାନ ପାଇ ସମସ୍ତଙ୍କ ଧ୍ୟାନ ଆକର୍ଷଣ କରିଥିଲେ। ଉପକନିଷ୍ଠ ସ୍ତରରେ ଓଡ଼ିଶାର ପ୍ରତିନିଧିତ୍ବ କରି ୭ଟି ଗୋଲ୍ ଦେଇଥିଲେ। ସେଥିମଧ୍ୟରେ ଚଣ୍ଡିଗଡ଼ ବିପକ୍ଷରେ ଏକାକୀ ଚାରିଟି ଗୋଲ୍ ଦେଇ ନିଜ ଅନନ୍ୟ ପ୍ରତିଭାର ପରିଚୟ ଦେଇଥିଲେ। ସେଥିପାଇଁ ଭାରତୀୟ ଦଳର ପ୍ରଶିକ୍ଷଣ ଶିବିର ଲାଗି ଡାକରା ପାଇଲେ। ଗୋଆରେ ଆୟୋଜିତ ପ୍ରଶିକ୍ଷଣ ଶିବିରରେ ଚମତ୍କାର ଖେଳ ଖେଳି ଭାରତୀୟ ୨୩ଜଣିଆ ଦଳରେ ସ୍ଥାନ ପାଇଥିଲେ।

ବାପା ଦେଖାଇଥିଲେ ବାଟ
ରିତୁଙ୍କ ଭବିଷ୍ୟତ ନେଇ ବେଶ୍ ଆଶାବାଦୀ ଥିବା ବିଜୟ ‘ସମ୍ବାଦ’କୁ କହିଛନ୍ତି, ଝିଅର ପ୍ରତିଭା ଥିବାରୁ ତା’ର ସୁବିଧା ପାଇଁ ନିଜ ଘର ଛାଡ଼ି ଭଡ଼ା ଘରେ ରହୁଛି। ଆଶା ଅଛି ରିତୁ ବରିଷ୍ଠ ଭାରତୀୟ ଦଳରେ ସ୍ଥାନ ପାଇ ମୋ ସ୍ବପ୍ନ ପୂରଣ କରିବ। ସେ ଆଗକୁ ବଢ଼ିଲେ ଆମର ସବୁ ସଂଘର୍ଷ ଓ ତ୍ୟାଗର ମୂଲ୍ୟ ରହିଲା ବୋଲି ଭାବିବି। ଏବେ ମୋର ଆଉ ଗୋଟିଏ ଛୁଆ ହେବାକୁ ଯାଉଛି। ଏଥିପାଇଁ ଚଳିବା କଷ୍ଟକର ହେଉଛି। ସେଥିପାଇଁ ରିତୁକୁ ସମର୍ଥନ, ପ୍ରୋତ୍ସାହନ ଓ ମାର୍ଗଦର୍ଶନ ଦେବାକୁ ମୁଁ ରାଜ୍ୟ ସରକାର ଓ ନୀତା ଏକାଡେମିର ଅଧିକାରୀମାନଙ୍କୁ ଅନୁରୋଧ କରୁଛି। ସାଫ୍ ପ୍ରତିଯୋଗିତାରେ ଏକଦା ଭାରତକୁ ବିଜୟୀ କରାଇଥିବା ପ୍ରଶିକ୍ଷକ ମହମ୍ମଦ ଜବାର ମଧ୍ୟ କହିଛନ୍ତି ଯେ ରିତୁ ପାଖରେ ଭାରତୀୟ ବରିଷ୍ଠ ଦଳରେ ସ୍ଥାନ ପାଇବାର ସମସ୍ତ ଦକ୍ଷତା ଅଛି। ଏଥିଲାଗି ତାକୁ ନିରନ୍ତର ପ୍ରୟାସ କରିବାକୁ ହେବ। ବାକି ଯାହା ସାହାଯ୍ୟ ସମର୍ଥନ ଦରକାର ଆମେ ତାକୁ ନିଶ୍ଚିତ ଦେବୁ। ଆମ ଏକାଡେମିରୁ ରିତୁଙ୍କ ସହ ଥନ୍ଦା ମୋନି ବାସ୍କେ ନାମକ ଆଉ ଜଣେ ଝିଅ ମଧ୍ୟ ଭାରତୀୟ ଦଳରେ ସ୍ଥାନ ପାଇଛନ୍ତି। ବାସ୍କେ ପଶ୍ଚିମବଙ୍ଗର ହୋଇଥିଲେ ମଧ୍ୟ ଆମ ଏକାଡେମିରେ ପ୍ରଶିକ୍ଷଣ ନେଉଛନ୍ତି। ଏହି ଦୁଇ ଜଣଙ୍କ ପାଇଁ ଆମେ ଅତ୍ୟନ୍ତ ଗର୍ବିତ।

ସମ୍ବନ୍ଧିତ ଖବର