ସିରାଜଙ୍କୁ ୫ ୱି‌କେଟ୍, ଇଣ୍ଡିଜ୍ ୨୫୫

ପୋର୍ଟ ଅଫ୍ ସ୍ପେନ୍: ୱେଷ୍ଟଇଣ୍ଡିଜ୍ ବିପକ୍ଷ ଦ୍ବିତୀୟ ଟେଷ୍ଟ୍‌ରେ ଭାରତକୁ ୧୮୩ ରନ୍‌ର ମହତ୍ବପୂର୍ଣ୍ଣ ଅଗ୍ରଣୀ ମିଳିଛି। ବର୍ଷା ପ୍ରଭାବିତ ଏହି ମ୍ୟା‌ଚ୍‌ର ଚତୁର୍ଥ ଦିନର ଅଧଘଣ୍ଟା ଭିତରେ ୫ ୱିକେଟ୍ ହରାଇ ଘରୋଇ ୱେଷ୍ଟଇଣ୍ଡିଜ୍ ତାର ଶେଷ ୫ ୱିକେଟ୍ ହରାଇ ୨୫୫ ରନ୍‌ରେ ଅଲଆଉଟ୍ ହୋଇଯିବା ପରେ ଭାରତ ପୁଣି ଥରେ ଦୃଢ଼ ସ୍ଥିତିରେ ରହିଛି। ସେହିଭଳି ରବିବାର ଦ୍ବିତୀୟ ପାଳି ଆରମ୍ଭ କରି ରିପୋର୍ଟ ଲେଖାବେଳକୁ ୨ ୱିକେଟ୍ ବିନିମୟରେ ୧୧୮ ରନ୍ କରିବା ସହ ମୋଟ ଉପରେ ୩୦୧ ରନ୍‌ରେ ଆଗୁଆ ରହି ଶୃଙ୍ଖଳା କ୍ଲିନ୍ ସୁଇପ୍ କରିବା ଲକ୍ଷ୍ୟର ନିକଟତର ହୋଇଛି। ଯଶସ୍ବୀ ଜୟସ୍ବାଲ ୩୮ ଓ ଅଧିନୟକ ରୋହିତ ଶର୍ମା ୫୭ ରନ୍‌ରେ ଆଉଟ୍ ହୋଇଛନ୍ତି। ପ୍ରଥମ ଟେଷ୍ଟର ଉଭୟ ପାଳିରେ ବିଫଳ ହୋଇଥିବା ଶୁବମନ ଗିଲ୍ ୧୦ ଓ ପ୍ରଥମ ପାଳିରେ ଶତକ ଅର୍ଜନ କରିଥିବା ବିରାଟ କୋହଲି ୮ ରନ୍ କରି ଅପରାଜିତ ରହିଛନ୍ତି।

ଶନିବାରର ଓଭରନାଇଟ୍ ସ୍କୋର ୨୨୯/୫ରୁ ଖେଳ ଆରମ୍ଭ କରି ମାତ୍ର ୨୬ ରନ୍‌ରେ ଅବଶିଷ୍ଟ ୫ ୱିକେଟ୍ ହରାଇଥିଲା। ଭାରତୀୟ ଦ୍ରୁତ ବୋଲର ମହମ୍ମଦ ସିରାଜ ହିଁ ଆଜି ସକାଳେ ୱେଷ୍ଟଇଣ୍ଡିଜ୍‌ର ବିପର୍ଯ୍ୟୟ ଘଟାଇଥିଲେ। ଇଣ୍ଡିଜ୍‌ ହରାଇଥିବା ୫ଟିରୁ ୪ଟି ୱିକେଟ୍ ସେ କରାୟତ କରିଥିଲେ। ଅନ୍ୟଟି ପଦାର୍ପଣକାରୀ ମୁକେଶ କୁମାରଙ୍କ ଖାତାକୁ ଯାଇଥିଲା। ଶନିବାର ଭଳି ରବିବାର ମଧ୍ୟ ଭାରତକୁ ପ୍ରଥମ ସଫଳତା ମୁକେଶ ହିଁ ଦେଇଥିଲେ। ବ୍ୟକ୍ତିଗତ ରନ୍‌ରେ କୌଣସି ରନ୍ ଯୋଗ କରିବା ପୂର୍ବରୁ ଅପରାଜିତ ବ୍ୟାଟର୍‌ ଆଲିକ ଅଥାଞ୍ଜେଙ୍କୁ ଏଲବିଡବ୍ଲ୍ୟୁ କରି ଦେଇଥିଲେ ସେ। ଏହା ପରେ ସିରାଜ ପ୍ରତିପକ୍ଷ ଅଲରାଉଣ୍ଡର ଜାସନ ହୋଲ୍ଡର, ଆଲେଜେରି ଯୋ‌ଶେଫ, କେମାର ରୋଚ୍ ଓ ସାନନ ଗାବ୍ରିଏଲଙ୍କୁ ଜଣକ ପରେ ଜଣେ ଆଉଟ୍ କରି ୱେଷ୍ଟଇଣ୍ଡିଜକୁ ଘାଇଲା କରିବା ସହ ବ୍ୟକ୍ତିଗତ ଭାବେ ୫ ୱି‌କେଟ୍ ସଫଳତା ଲାଭ କରିଥିଲେ। ଫଳରେ ପ୍ରଥମ ପାଳିରେ ୪୩୮ ରନ୍ କରିଥିବା ଭାରତକୁ ୧୮୩ ରନ୍‌ର ଅଗ୍ରଣୀ ମିଳିଥିଲା। ଅନ୍ୟପକ୍ଷରେ ଶୀର୍ଷକ୍ରମର ଲଢ଼ୁଆ ବ୍ୟାଟିଂ ସତ୍ତ୍ବେ ଘୋର ଅନଭିଜ୍ଞତାର ପରିଚୟ ଦେଇ ଇଣ୍ଡିଜ୍ ମଧ୍ୟ ଓ ନିମ୍ନକ୍ରମ ପୂରା ନିରାଶ କରିବା ସହ ପୁଣି ଥରେ ୩୦୦ ରନ୍ ଛୁଇଁପାରି ନଥିଲା। ଆଜି ମାତ୍ର ୫.୩ ଓଭର ଭିତରେ ଏହି ଦଳ ଶେଷ ୫ଟି ୱି‌କେଟ୍ ହରାଇଥିଲା।

ସଂକ୍ଷିପ୍ତ ସ୍କୋର: ଭାରତ ପ୍ରଥମ ପାଳି ୧୨୮ ଓଭରରେ ୪୩୮। ୱେଷ୍ଟଇଣ୍ଡିଜ୍ ପ୍ରଥମ ପାଳି ୧୧୫.୪ ଓଭର ୨୫୫ (କ୍ରେଗ୍ ବ୍ରାଥୱେଟ୍ ୭୫, ଆଲିକ ଅଥାଞ୍ଜେ ୩୭, ଟାଗି ନାରାୟଣ ଚନ୍ଦରପଲ ୩୩, କିର୍କ ମ୍ୟାକେଞ୍ଜି ୩୨, ମହମ୍ମଦ ସିରାଜ ୫/୬୦, ମୁକେଶ କୁମାର ୧/୪୮, ରବୀନ୍ଦ୍ର ଜଦେଜା ୨/୩୭, ଆର. ଅଶ୍ବିନ ୧/୬୧)। ଭାରତ ଦ୍ବିତୀୟ ପାଳି ୧୫ ଓଭରରେ ୧୦୨/୨ (ରୋହିତ ଶର୍ମା ୫୭, ଯଶସ୍ବୀ ଜୟସ୍ବାଲ ୩୮, ଶୁବମନ ଗିଲ ୧୦*, ଈଶାନ କିଶନ ୮*, ସାନନ ଗାବ୍ରିଏଲ୍‌ ୧/୧୫, ଜୋମେଲ ୱାରିକନ ୧/୧୫)।

ସମ୍ବନ୍ଧିତ ଖବର