ରାଜନୀତିରୁ ଦୂରେଇବାର ନିଷ୍ପତ୍ତି ନେଲେ ଗମ୍ଭୀର; ଦାୟିତ୍ବରୁ ମୁକ୍ତ କରିବାକୁ ଦଳର ସଭାପତିଙ୍କୁ କଲେ ନିବେଦନ

ନୂଆଦିଲ୍ଲୀ: ପୂର୍ବ ଦିଲ୍ଲୀରୁ ଏକ ବଡ଼ ଖବର ହସ୍ତଗତ ହୋଇଛି। ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ଅନ୍ତର୍ଜାତୀୟ କ୍ରିକେଟର୍‌ ଗୌତମ ଗମ୍ଭୀର ସକ୍ରିୟ ରାଜନୀତିରୁ ଦୂରେଇ ଯିବାକୁ ନିଷ୍ପତ୍ତି ନେଇଛନ୍ତି। ପୂର୍ବତନ କ୍ରିକେଟର୍‌ ତାଙ୍କ ସୋସିଆଲ୍‌ ମିଡିଆ ସାଇଟ୍‌ ଏକ୍ସରେ ନିଜର ଅନୁଗାମୀ ଏବଂ ସମର୍ଥକଙ୍କ ସହ ଏହି ଖବର ବାଣ୍ଟିଛନ୍ତି।

ସେ ନିଜ କ୍ରିକେଟ୍ ପ୍ରତିଶ୍ରୁତି ଉପରେ ଧ୍ୟାନ ଦେବାକୁ ଇଚ୍ଛା ପ୍ରକାଶ କରି ଏପରି ନିଷ୍ପତ୍ତି ନେଇଛନ୍ତି।  ରାଜନୀତିରେ ପ୍ରବେଶ କରିବା ପୂର୍ବରୁ କ୍ରିକେଟ୍‌ ପ୍ରତି ରହିଥିବା ତାଙ୍କ ଉତ୍ସାହକୁ ପୁର୍ନଜୀବିତ କରିବାକୁ ସେ ଏପରି ଚିନ୍ତା କରିଛନ୍ତି।

ସେ ତାଙ୍କ ଏକ୍ସ ପୋଷ୍ଟ୍‌ରେ ଲେଖିଛନ୍ତି, ‘‘ମୁଁ ମାନ୍ୟବର ପାର୍ଟି ସଭାପତି ଜେପି ନଡ୍ଡାଙ୍କୁ ମୋତେ ସମସ୍ତ ରାଜନୈତିକ ଦାୟିତ୍ବରୁ ମୁକ୍ତି କରିବାକୁ ନିବେଦନ କରୁଛନ୍ତି। ଯାହାଦ୍ବାରା ମୁଁ ମୋର ଆଗାମୀ କ୍ରିକେଟ୍ ପ୍ରତିଶ୍ରୁତି ଉପରେ ଧ୍ୟାନ ଦେଇ ପାରିବି। ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମୋତେ କାମ କରିବାର ସୁଯୋଗ ଦେଇଥିବାରୁ ମୁଁ ତାଙ୍କୁ ଆନ୍ତରିକ ଧନ୍ୟବାଦ ଜଣାଉଛି। ଜୟ ହିନ୍ଦ।’’

ଗମ୍ଭୀର ୨୦୧୯ ମସିହା ମାର୍ଚ ମାସରେ ବିଜେପିରେ ଯୋଗ ଦେଇଥିଲେ। ସେବେଠାରୁ ଦିଲ୍ଲୀରେ ଦଳର ପ୍ରମୁଖ ଚେହେରା ହୋଇପାରିଛନ୍ତି। ସେ ୨୦୧୯ ଲୋକସଭା ନିର୍ବାଚନରେ ​​୬,୯୫,୧୦୯ ଭୋଟ ବ୍ୟବଧାନରେ ପୂର୍ବ ଦିଲ୍ଲୀ ଆସନରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ ଏବଂ ଜିତିଥିଲେ।

ଗମ୍ଭୀର ୨୦୨୪ ନିର୍ବାଚନ ପାଇଁ ଟିକେଟ୍‌ ନପାଇପାରନ୍ତି ବୋଲି ରିପୋର୍ଟ ପ୍ରକାଶ ପାଇବା ପରେ ସେ ରାଜନୀତି ଛାଡ଼ିବାକୁ ନିଷ୍ପତ୍ତି ନେଇଥିବା ବିଭିନ୍ନ ମହଲରେ ଚର୍ଚ୍ଚା ହେଉଛି।

ସମ୍ବନ୍ଧିତ ଖବର