ବେତନଟୀ ତହସିଲ ଅଞ୍ଚଳରେ ବଢୁଛି ବେଆଇନ ଖନନ, ଆଇନ ପାଲଟିଛି ପ୍ରହସନ

ମାଫିଆଙ୍କ ସପକ୍ଷରେ ଯୁକ୍ତି ବାଢୁଛନ୍ତି ବିଭାଗୀୟ ଅଧିକାରୀ

ବେତନଟୀ: ବେତନଟୀ ତହସିଲ ଅଧୀନସ୍ଥ ବିଭିନ୍ନ ଅଂଚଳରେ ଲଘୁ ଖଣିଜ ସମ୍ପଦର ବ୍ୟାପକ ଚୋରି ହେଉଥିବାର ଅଭିଯୋଗ ହେଉଛି। ଗ୍ରାମାଞ୍ଚଳ ନିକଟରେ ଥିବା ଜଙ୍ଗଲିଆ ଅଂଚଳ ହେଉ କି ଗୋଚର ଜମି ହଉ କିମ୍ବା ହଉ ଘରୋଇ ଜମି, ସବୁ ଅଞ୍ଚଳରେ ଏହି ଖଣି ମାଫିଆମାନେ ସକ୍ରିୟ। ପ୍ରଶାସନର ଜାଣତରେ ତଥା ସହାଭାଗିତାରେ ଏଭଳି କାରବାର ହେଉଥିବା ନେଇ ଚର୍ଚ୍ଚା ଜୋର ଧରିଥିବାବେଳେ ନିରବୀ ଯାଇଛନ୍ତି ବିଭାଗୀୟ କର୍ମଚାରୀ। ବାଲି ଲୁଟ୍ ସହିତ ପରେ ଏବେ ପାଳି ମାଟି ଓ ମୋରମର। ଖୁଲମଖୁଲା ଦିନରାତି ୨୪ ଘଣ୍ଟା ଚାଲିଛି ଲୁଟ । ବଡ଼ ବଡ଼ ଜେସିବି ଲଗାଇ ମାଟି ମୋରମ ଖୋଳା ଚାଲିଥିବା ବେଳେ ପ୍ରଶାସନ ସାଜିଛି ନିରବଦ୍ରଷ୍ଟା।

ବେତନଟୀ ତହସିଲ ଅଧୀନ ଲଘୁ ଖଣିଜ ସମ୍ପଦ ଉପରେ ମାଫିଆଙ୍କ ନଜର।ବୈଶିଙ୍ଗା ନିକଟବର୍ତ୍ତୀ ଏକାଧିକ ବିସ୍ତ୍ରୁତ ଅଞ୍ଚଳରେ ମାଫିଆମାନେ ଚଲାଇଛନ୍ତି ଖନନ କାର୍ଯ୍ୟ। ବୈଶିଙ୍ଗା, କେନ୍ଦୁଆ, ଆମ୍ବଗଡ଼ିଆ, ରଘୁପୁର, ସନ୍ତରା ପଞ୍ଚାୟତର ଥିବା ଜମିର ବ୍ୟାପକ ଅଞ୍ଚଳରେ ବଡ଼ ବଡ଼ ମେସିନ ଲଗାଇ ଏହି ମୋରମ ଓ ମାଟି ଖନନ ଚାଲିଛି । ବେଆଇନ ଭାବେ ବାଲି, ମୋରମ ଓ ମାଟି ଖୋଳି କୋଟି କୋଟି ଟଙ୍କା ଆୟ କରୁଛନ୍ତି ମାଫିଆ। ମାଫିଆଙ୍କ ଉପରେ ଲଗାମ ଲଗାଇବାକୁ ଦାବି ହେଉଛି। ଲଘୁ ଖଣିଜ ପଦାର୍ଥ ଉପରେ ମାଫିଆଙ୍କର ଲୋଲୁପ ଦୃଷ୍ଟି । କୋଟି କୋଟି ଟଙ୍କାର ହାନି ହେଉଛି ରାଜସ୍ବ। ଗୋଟିଏ ପଟେ ପରିବେଶ ପ୍ରଦୁଷଣ ନିୟନ୍ତ୍ରଣ ବୋର୍ଡର ବିନା ଅନୁମତି ଓ ବେଆଇନ ଭାବେ ସରକାରୀ ଜମି ଉପରେ ଖୋଳି ଚାଲିଛନ୍ତି ମାଫିଆ। ବିନା କାଗଜପତ୍ରରେ ରାଜସ୍ୱ ବିଭାଗ, ବନ ବିଭାଗ ଓ ପୁଲିସର ନାକ ତଳେ ଶହ ଶହ ଟ୍ରାକ୍ଟର ସମେତ ବଡ଼ ବଡ଼ ହାଇୱା ଯାଉଥିବା ବେଳେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆ ଯାଉନାହିଁ । ସେହିପରି ଶତାଧିକ ମାଟି ବୋଝେଇ ଟ୍ରାକ୍ଟର ଦିନ ଦ୍ବିପହରେ ଅତ୍ୟଧିକ ବେଗରେ ଚାଲୁଥିବାବେଳେ ମାଟି ଧୂଳି ଉଡ଼ିଵା ଯୋଗୁଁ ସାଧାରଣ ଯାତ୍ରୀ ନାହିଁ ନଥିବା ଅସୁବିଧା ଭୋଗ କରୁଛନ୍ତି। ସବୁଠୁଁ ପରିତାପର ବିଷୟ ଚାଲୁଥିବା ୮୦ପ୍ରତିଶତ ଟ୍ରାକ୍ଟର ଚାଳକଙ୍କର ଡ୍ରାଇଭିଙ୍ଗ ଲାଇସେନ୍ସ ମଧ୍ୟ ନାହିଁ ।ଏହାକୁ ବନ୍ଦ କରିବା ଅବା ଏହି ଲଘୁ ଖଣିଜ ସମ୍ପଦ ଲୁଟକୁ ରୋକିବା ପାଇଁ ମଧ୍ୟ କୌଣସି ପଦକ୍ଷେପ ଗ୍ରହଣ କରାଯାଉନାହିଁ ।
ଗୋଟିଏ ପଟେ ଶହ ଶହ ଗାଡ଼ି ଚୋରା କାରବାରରେ ସାମିଲ ଥିବା ବେଳେ କେତକ ଗାଡ଼ିକୁ ଧରି ପୁଲିସ ଓ ପ୍ରଶାସନ ସାବାସି ନେଉଛନ୍ତି। ବଲାଙ୍ଗିର ଜିଲାର ନିର୍ଦ୍ଦିଷ୍ଟ କିଛି ନଦୀ କି ଅଞ୍ଚଳ ନୁହେଁ, ସବୁ ତହସିଲରେ ଚାଲିଛି ବେଆଇନ୍ କାରବାର। କିଛି ତହସିଲରେ ସରକାରୀ ବାବୁମାନଙ୍କର ମଧ୍ୟ ମୌନ ସମ୍ମତି ରହୁଥିବା ଆଲୋଚନା ହେଉଛି। ସବୁଠୁଁ ରୋଚକ କଥା ହୋଉଛି ଏଇ ମାତ୍ର ୭ଦିନ ପୂର୍ବରୁ ବେତନଟୀ ତହସିଲଦାର ଅନିତା ନାୟକ ବୈଶିଙ୍ଗା ରୁପ୍ସା ରାସ୍ତାର କଦଳିଆ ଛକ ନିକଟରେ ଗୋଟେ ନମ୍ବର ବିହୀନ ଟ୍ରାକ୍ଟର ସମେତ ୨ଟି ମାଟି ବୋଝେଇ ଟ୍ରାକ୍ଟର ଜବତ କରି ବୈଶିଙ୍ଗା ପୁଲିସକୁ ଖବର ଦେଇଥିଲେ ଓ ନିଜେ ଘଟଣା ସ୍ଥଳରୁ ପଳାଇ ଯାଇଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚିଲା ବେଳକୁ ସେଥିରୁ ଗୋଟେ ଟ୍ରାକ୍ଟର ଘଟଣା ସ୍ଥଳରୁ ଦ୍ରୁତଗତିରେ ଚମ୍ପଟ ମାରିଥିଲା। ପୁଲିସକୁ ଡାକିଦେଇ ଘଟଣା ସ୍ଥଳରେ ନିଜେ ତହସିଲଦାର ନରହିବା ଲୋକଙ୍କ ମନରେ ସନ୍ଦେହ ସୃଷ୍ଟି କରିଥିଲା। ପୁଲିସ ଘଟଣା ସ୍ଥଳରୁ କାନମୁଣ୍ଡ ଆଉଁସି ଫେରିଯାଇଥିବାବେଳେ ତହସିଲଦାର ପ୍ରତିକ୍ରିୟାରେ କହିଥିଲେ କି ଆମ୍ଭେ ଅନଲାଇନରେ ଫାଇନ କାଟିଦେବୁ। ପରେ ପୁଣି କହିଥିଲେ କି କେବଳ ଗୋଟିଏ ଗାଡ଼ିରୁ ଫାଇନ କାଟିଛୁ ଓ ମାଫିଆଙ୍କ ତରଫଦାରିରେ କହିଥିଲେ କି ସେ ୨ଟି ଗାଡିର ଫାଇନ ଦେଇ ପାରିବ ନାହିଁ। ସେହିଭଳି ଆଜି ପୁଣି ଏହି ବେଆଇନ ଖନନ ନେଇ ତହସିଲଦାରଙ୍କୁ ପଚାରିବାରୁ ସେ କହିଥିଲେ କି ଏସବୁ ବେଆଇନ କାମକୁ ରୋକିବା ପାଇଁ ଅନ୍ୟ ବିଭାଗ ଅଛନ୍ତି। ସେହିପରି ମାଇନିଙ୍ଗ ଡ଼ିଡ଼ିଏମଙ୍କ କହିବା କଥା କି ଆମେ ଯେହେତୁ ଦୂରରେ ରହୁଛୁ ଆପଣ ସେଠି ସ୍ଥାନୀୟ ପୁଲିସକୁ ଖବର ଦିଅନ୍ତୁ ଓ ଆମେ ବି ବାରିପଦାରେ କାର୍ଯ୍ୟରତ ମାଇନିଙ୍ଗ ଅଫିସରଙ୍କୁ ଅତିଶୀଘ୍ର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦେଶ ଦେଉଛୁ।

ସମ୍ବନ୍ଧିତ ଖବର