ଯୁବ-ଅଭିଜ୍ଞଙ୍କ ଲଢ଼େଇ, ଏବି ଡି’ଭିଲିୟର୍ସ

ଶୁକ୍ରବାରର ଦିଲ୍ଲୀ କ୍ୟାପିଟାଲ୍ସ ଓ ଚେନ୍ନାଇ ସୁପରକିଙ୍ଗ୍ସ ମୁକାବିଲା ଯୁବ ବନାମ ଅଭିଜ୍ଞଙ୍କ ଲଢ଼େଇ ହେବ। ଦିଲ୍ଲୀର ପ୍ରତିଭାବାନ ଯୁବ ବାହିନୀ ଏବଂ ଚେନ୍ନାଇର ବରଫ ଭଳି ଥଣ୍ଡା ପୁରୁଖା ଖେଳାଳିଙ୍କ ଏହି ମୁକାବିଲା ନିଶ୍ଚିତ ଭାବେ ବେଶ୍ ରୋମାଞ୍ଚଭରା ରହିବ। ଦିଲ୍ଲୀ ଗତି ପାଇବା ଆରମ୍ଭ କରିଛି। ସେମାନଙ୍କ ୨୬ ଜଣିଆ ଦଳର ଅନ୍ୟୁନ ୧୪ ଜଣ ଖେଳାଳିଙ୍କ ବୟସ ୨୬ ବର୍ଷରୁ କମ୍। ସୌରଭ ଗାଙ୍ଗୁଲି ଏବଂ ରିକି ପଣ୍ଟିଂଙ୍କ ମାର୍ଗଦର୍ଶନରେ ଯୁବ ଖେଳାଳିଙ୍କ ଉପରେ ସେମାନେ ଖଟାଇଥିବା ପୁଞ୍ଜି ବିନିଯୋଗର ଭଲ ଫଳ ପାଉଛନ୍ତି। ପୃଥ୍ବୀ ସ’ ଏବଂ ଋଷବ ପନ୍ତ ଚମତ୍କାର ଢଙ୍ଗରେ ସେମାନଙ୍କ ବ୍ୟାଟିଂର ନେତୃତ୍ବ ନେଉଛନ୍ତି। ସନରାଇଜର୍ସ ବିପକ୍ଷ ଏଲିମିନେଟର ମୁକାବିଲାରେ ପନ୍ତଙ୍କ ବିସ୍ଫୋରକ ବ୍ୟାଟିଂ ହିଁ ସେମାନଙ୍କୁ ସୀମା ରେଖା ପାର କରାଇଥିଲା। ଦିଲ୍ଲୀ ବୋଲିଂ ବେଶ୍ ସନ୍ତୁଳିତ। ସେମାନେ ଭଲ ତାଳ ପାଇ ଯାଇଛନ୍ତି। ଆଇପିଏଲ୍ ଭଳି ପ୍ରତିଯୋଗିତାରେ ତାଳ ମେଳର ସହ ସ୍ଥିର ପ୍ରଦର୍ଶନ ଦେବା ସବୁଠାରୁ ଗୁରୁତ୍ବପୂର୍ଣ୍ଣ। ଦିଲ୍ଲୀ ଯୁବ ତାରକାମାନେ ଠିକଣା ସମୟରେ ଲୟ ପାଇଛନ୍ତି। ତଥାପି ଚେନ୍ନାଇକୁ ନ୍ୟୁନ ମନେ କରିବା ବିଜ୍ଞତାର ପରିଚୟ ନୁହେଁ। ସେମାନେ ନିଜ ଦକ୍ଷତାର ପ୍ରମାଣ ପୂର୍ବରୁ ବହୁଥର ଦେଇ ସାରିଛନ୍ତି। ମହେନ୍ଦ୍ର ସିଂହ ଧୋନି ଏହି ଦଳକୁ ନିଜ ହାତରେ ଗଢ଼ିବା ସହ ଏହାର ନେତୃତ୍ବ ନେଉଛନ୍ତି। କର ବା ମର ମ୍ୟାଚ୍‌ରେ ଖେଳିବାର ଅଭିଜ୍ଞତା ଥିବାରୁ ସେମାନଙ୍କଠାରୁ ପ୍ରଶଂସକ କ’ଣ ଆଶା କରନ୍ତି, ସେମାନେ ଭଲ ଭାବରେ ଜାଣିଛନ୍ତି। ଚେନ୍ନାଇ କିନ୍ତୁ ଅନେକ ଦିଗରୁ ଶକ୍ତିଶାଳୀ। ସେନ୍ ୱାଟସନ୍ ବଡ଼ ମ୍ୟାଚ୍‌ର ଖେଳାଳି। ଶୀର୍ଷ କ୍ରମରେ ସେ ଯଦି ଶୁକ୍ରବାର ପ୍ରମୁଖ ଭୂମିକା ନ ତୁଲାନ୍ତି, ମୋତେ ତାହା ବିସ୍ମିତ କରିବ। ଇମ୍ରାନ ତାହିର ଚେନ୍ନାଇ ଆକ୍ରମଣର ସବୁଠାରୁ ତୀକ୍ଷ୍ଣ ଅସ୍ତ୍ର ଭାବେ ଉଭା ହୋଇଛନ୍ତି। ସେ ଜଣେ କୁଶଳୀ କ୍ରିକେଟର। ଉଭୟ ଦଳ ଅବଶ୍ୟ ପରସ୍ପରକୁ ଭଲ ଭାବରେ ଜାଣିଛନ୍ତି। ହେଲେ କୌଣସି ଦଳ ବିଶାଖାପାଟଣାର ପିଚ୍‌କୁ ଭଲ ଭାବରେ ଜାଣି ନାହାନ୍ତି। ଏଠାରେ ୧୬୦ରୁ ୧୬୫ ରନ୍‌ର ସ୍କୋର ପ୍ରତିଦ୍ବନ୍ଦ୍ବିତା ପୂର୍ଣ୍ଣ ହେବ ବୋଲି କେ‌ତେକ ପର୍ଯ୍ୟବେକ୍ଷକ ମତ ପ୍ରକାଶ କରିଛନ୍ତି। ଦିଲ୍ଲୀ କିନ୍ତୁ ଅଜଣା ଇଲାକାର ପଥିକ। ସେମାନେ ପୂର୍ବରୁ କେବେ ବି ଏତେ ଆଗକୁ ଯାଇ ନାହାନ୍ତି। ସେମାନଙ୍କ ଯୁବ ଦଳ ଚାପକୁ ପ୍ରତିହତ କରିପାରିଲେ, ଆଉ ପାଦେ ଆଗକୁ ଯାଇ ପାରିବେ। ମୋ ମତରେ ଜଣେ ମୁର୍ଖ ହିଁ ଚେନ୍ନାଇକୁ ଦୁର୍ବଳ ବୋଲି କହିବ।

ସମ୍ବନ୍ଧିତ ଖବର