ରେଳବାଇ ପୁନରୁଦ୍ଧାର କାର୍ଯ୍ୟର ସମୀକ୍ଷା କଲେ କେନ୍ଦ୍ରମନ୍ତ୍ରୀ, ୧୨ ସୁଦ୍ଧା ସ୍ବାଭାବିକ ହେବ ଟ୍ରେନ୍‌ ସେବା

ଭୁବନେଶ୍ବର : ବାତ୍ୟାରେ ଖୋର୍ଧା ଡିଭିଜନ ସବୁଠୁ ଅଧିକ ପ୍ରଭାବିତ ହୋଇଛି। ଭୁବନେଶ୍ବର, ଖୋର୍ଧା ରୋଡ, ପୁରୀ ଓ କଟକ ଷ୍ଟେସନ ମଧ୍ୟ ଅଧିକ କ୍ଷତିଗ୍ରସ୍ତ ହୋଇଥିଲା। ଏବେ ସ୍ଥିତିରେ ସୁଧାର ଆସିଛି। ପୁରୀକୁ ଚାଲୁଥିବା ୧୮ ଯୋଡ଼ା ଟ୍ରେନ୍‌ ମଧ୍ୟରୁ ୧୦ ଯୋଡ଼ା ଗଡ଼ିଛି। ପୁରୀକୁ ଏକ୍ସପ୍ରେସ୍‌ ଟ୍ରେନ୍‌ ଚଳାଚଳ ହୋଇଛି। ଆସନ୍ତା ୧୨ ତାରିଖ ସୁଦ୍ଧା‌ ଟ୍ରେନ୍‌ ଚଳାଚଳ ସ୍ବାଭାବିକ ହେବ। ପୂର୍ବତଟ ରେଳପଥ ମୁଖ୍ୟାଳୟଠାରେ ରେଳପଥର ମହାପ୍ରବନ୍ଧକ ବିଦ୍ୟାଭୂଷଣ ଓ ଅନ୍ୟ ବରିଷ୍ଠ ଅଧିକାରୀଙ୍କ ସହ ବାତ୍ୟା ପରବର୍ତ୍ତୀ ରେଳବାଇ ପୁନରୁଦ୍ଧାର କାର୍ଯ୍ୟ ସମ୍ପର୍କରେ ସମୀକ୍ଷା କରିବା‌ ପରେ କେନ୍ଦ୍ର ତୈଳ, ପ୍ରାକୃତିକ ଗ୍ୟାସ ଏବଂ ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହା କହିଛନ୍ତି।

ସମୀକ୍ଷା ବୈଠକରେ ରେଳବାଇ ପକ୍ଷରୁ ବାତ୍ୟାର ପୂର୍ବ କାର୍ଯ୍ୟ ଓ ପର୍ଯ୍ୟଟକମାନଙ୍କୁ ସ୍ଥାନାନ୍ତରିତ କରିବା ପାଇଁ ସ୍ୱତନ୍ତ୍ର ଟ୍ରେନ ବ୍ୟବସ୍ଥା ସହ ପୂର୍ବତଟ ରେଳପଥର ଖୋର୍ଦ୍ଧା ରୋଡ ରେଳମଣ୍ଡଳରେ ବିଭିନ୍ନ ଷ୍ଟେସନଠାରେ ପୁନରୁଦ୍ଧାର କାର୍ଯ୍ୟ ସମ୍ପର୍କରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନଙ୍କୁ ଅବଗତ କରାଯାଇଥିଲା। ପୁରୀ, ଖୋର୍ଦ୍ଧା ରୋଡ ଓ ଭୁବନେଶ୍ୱର ରେଳଷ୍ଟେସନ ସହ କ୍ଷତିଗ୍ରସ୍ତ ହୋଇଥିବା ଷ୍ଟେସନଗୁଡ଼ିକରେ ସ‌ଫେଇ କାର୍ଯ୍ୟ ସହିତ ଅନ୍ୟାନ୍ୟ ଯାତ୍ରୀ ସୁବିଧା ଓ ଷ୍ଟେସନକୁ ଯାଉଥିବା ରାସ୍ତା ପ୍ରତି ଦୃଷ୍ଟି ଦେଇ ତୁରନ୍ତ ପଦକ୍ଷେପ ନେବାକୁ ଶ୍ରୀ ପ୍ରଧାନ ରେଳବାଇ ଅଧିକାରୀମାନଙ୍କୁ ପରାମର୍ଶ ଦେଇଛନ୍ତି।

ଏହାବ୍ୟତୀତ ଆଗକୁ ପୁରୀରେ ରଥଯାତ୍ରା ଆୟୋଜନକୁ ଦୃଷ୍ଟିରେ ରଖି ପୁରୀକୁ ଆସିବାକୁ ଥିବା ଓ ପୁରୀରୁ ଯିବାକୁ ଥିବା ଲକ୍ଷାଧିକ ତୀର୍ଥ ଯାତ୍ରୀ ଓ ପର୍ଯ୍ୟଟକଙ୍କ ସମାଗମକୁ ନଜରରେ ରଖି ରେଳବାଇ ଏହାର ପ୍ରସ୍ତୁତିକୁ ସୁଦୃଢ କରିବାକୁ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ରେଳବାଇ ଅଧିକାରୀଙ୍କୁ କହିଛନ୍ତି। ଏଥିସହ ମାତ୍ରାଧିକ କ୍ଷତି ହୋଇଥିବା ପୁରୀ, ଖୋର୍ଦ୍ଧା ରୋଡ଼ ଓ ଭୁବନେଶ୍ୱର ରେଳଷ୍ଟେସନଗୁଡ଼ିକରେ ଯୁଦ୍ଧକାଳୀନ ଭିତ୍ତିରେ ପ୍ଳାଟଫର୍ମ ସେଡ୍‌ ନିର୍ମାଣ କରିବାକୁ କୁହାଯାଇଛି। ଷ୍ଟେସନ ନିକଟବର୍ତୀ ବାତ୍ୟା କ୍ଷତିଗ୍ରସ୍ତମାନଙ୍କ ପାଇଁ ରେଳଷ୍ଟେସନ ଅଞ୍ଚଳକୁ ଆଶ୍ରୟ ସ୍ଥଳ ଭାବେ ବ୍ୟବହାର କରିବା ସହ ପାନୀୟ ଜଳ ବ୍ୟବସ୍ଥା, ଚାର୍ଜିଙ୍ଗ ପଏଣ୍ଟ, ଶୌଚାଳୟଗୁଡ଼ିକରେ ପରିସ୍କାର ପରିଚ୍ଛନ୍ନତା ପ୍ରତି ଧ୍ୟାନ ଦେବାକୁ କେନ୍ଦ୍ରମନ୍ତ୍ରୀ କହିଛନ୍ତି।

ସମ୍ବନ୍ଧିତ ଖବର