ଡିକି ଭାଙ୍ଗି ୧ ଲକ୍ଷ ୫୭ ହଜାର ଲୁଟ୍‌

ଆନନ୍ଦପୁର: ଘସିପୁରା ଥାନା ଅଞ୍ଚଳରେ ପୁଣି ଲୁଟେରା ସକ୍ରିୟ ହୋଇଛନ୍ତି। ଆଜି ଏକ ଜନଗହଳିପୂର୍ଣ୍ଣ ସ୍ଥାନରୁ ସ୍କୁଟି ଡିକି ଭାଙ୍ଗି ଏକଲକ୍ଷ ୫୭ ହଜାର ଟଙ୍କା ଲୁଟ୍‌ କରିଛନ୍ତି। ଏନେଇ ଘସିପୁରା ଥାନାରେ ଅଭିଯୋଗ ‌ହେବା ପରେ ପୁଲିସ ତନାଘନା ଆରମ୍ଭ କରିଛି। ପ୍ରାପ୍ତ ସୂଚନା ଅନୁସାରେ, ନଦୁଆଁ ଗ୍ରାମର ତ୍ରିଲୋଚନ ସାହୁ ଆଜି ପୂର୍ବାହ୍ନରେ ଘସିପୁରା ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରୁ ଟଙ୍କା ଉଠାଇଥିଲେ। ପରେ ବ୍ୟାଙ୍କ ଅଫ୍ ଇଣ୍ଡିଆ ଶାଖାକୁ ଯାଇ କିଛି ଟଙ୍କା ଜମା କରିଥିଲେ। ବଳକା ଏକଲକ୍ଷ ୫୭ ହଜାର ଟଙ୍କା ନିଜ ସ୍କୁଟି ଡିକିରେ ରଖିଥିଲେ।

ସେଠାରୁ ଆସି ଦିନ ପ୍ରାୟ ୧୨ଟାବେଳେ ସେ ଘସିପୁରା ପେଟ୍ରୋଲ ପମ୍ପ ସମ୍ମୁଖରେ ଥିବା ଏକ ମୋବାଇଲ ଦୋକାନକୁ ଯାଇଥ‌ିଲେ। ସେଠାରୁ ବାହାରକୁ ଆସିଲା ବେଳକୁ ଲୁଟେରାମାନେ ତାଙ୍କ ଡିକିଭାଙ୍ଗି ଟଙ୍କା ନେଇ ଚମ୍ପଟ ମାରିଥିବା ଜାଣିବାକୁ ପାଇଥିଲେ। ତ୍ରିଲୋ‌ଚନ ଏନେଇ ଘସିପୁରା ଥାନାରେ ଏତଲା ଦେଇଛନ୍ତି। ପୁଲିସ ସିସିଟିଭି ଫୁଟେଜ୍‌କୁ ଯାଞ୍ଚ କରି ତଦନ୍ତ ଆରମ୍ଭ କରିଥିଲେ ମଧ୍ୟ ଲୁଟେରାଙ୍କ କୌଣସି ପତ୍ତା ମିଳିନାହିଁ।

ସମ୍ବନ୍ଧିତ ଖବର