୧୪୪ ସତ୍ତ୍ବେ ସ୍ବାଭାବିକ ହେଉଛି କୋର୍ଟ କାର୍ଯ୍ୟ     

ସମ୍ବଲପୁର: ସମ୍ବଲପୁର କୋର୍ଟ ପରିସରରେ ୧୪୪ ଧାରା ଲାଗିଥିବା ସତ୍ତ୍ବେ କ୍ରମେ ପରିସ୍ଥିତି ସ୍ବାଭାବିକ ହେବାରେ ଲାଗିଛି। ‌େଯକୌଣସି ଆଇନ୍‌ଗତ କାମ ଥିଲେ ଜନସାଧାରଣ କୋର୍ଟକୁ ଆସି ନିଜ କାମ କରିପାରିବେ ବୋଲି କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀଙ୍କ ଜରିଆରେ ସିଭିଲ୍ କୋର୍ଟ ରେଜିଷ୍ଟ୍ରାର୍‌ ଜାରି କରିଥିବା ଏକ ପ୍ରେସ୍‌ ବିବୃତିରେ କହାଯାଇଛି ଯେ ବିଭିନ୍ନ ମକଦ୍ଦମାରେ ସଂପୃକ୍ତ ପକ୍ଷ ଓ ବ୍ୟକ୍ତିମାନେ ବିନା କୌଣସି ବାଧାବିଘ୍ନରେ ସେମାନଙ୍କ ମାମଲା ସଂପର୍କିତ ପଦକ୍ଷେପ ଅଦାଲତରେ ନେଇ ପାରୁଛନ୍ତି। ଜିଲ୍ଲା ଅଦାଲତ ତରଫରୁ ଅଦାଲତର ମୁଖ୍ୟ ଫାଟକ ନିକଟରେ ଏକ ସହାୟତା କେନ୍ଦ୍ର ଖୋଲା ଯାଇଛି। ଯାହା ମାଧ୍ୟମରେ ମକଦ୍ଦମାରେ ସଂପୃକ୍ତ ବ୍ୟକ୍ତିଙ୍କୁ ଅତ୍ୟାବଶ୍ୟକ ସାହାଯ୍ୟ ପ୍ରଦାନ କରାଯାଉଛି।

ଜିଲ୍ଲା ଅଦାଲତ ପରିସର, ଜିଲ୍ଲା ଆଇନସେବା ପ୍ରାଧିକରଣ ସମ୍ବଲପୁର ସମ୍ମୁଖ କାର୍ଯ୍ୟାଳୟ, ମଣ୍ଡଳ କାରାଗାର ଏବଂ ନାରୀବନ୍ଦୀ ନିକେତନ ସମ୍ବଲପୁରଠାରେ ମକଦ୍ଦମାରେ ସଂଶ୍ଲିଷ୍ଟ ବ୍ୟକ୍ତିବିଶେଷ ଓ ବିଚାରଧୀନ ବନ୍ଦୀମାନଙ୍କ ସାହାଯ୍ୟ ପାଇଁ ପାରାଲିଗାଲ୍‌ ସ୍ବେଚ୍ଛାସେବୀମାନଙ୍କୁ ନିୟୋଜିତ କରାଯାଇଅଛି। କେତେକ ମକଦ୍ଦମାରେ ବିଭିନ୍ନ ବାହାର ବାର ଆସୋସିଏସନ୍‌ର ଓକିଲମାନେ ଆସି ମକଦ୍ଦମା ପରିଚାଳନା କରୁଛନ୍ତି। ଏହା ଛଡ଼ା ଭିଡିଓ କନଫରେନସ ମାଧ୍ୟମରେ ଜାମିନ ଆବେଦନର ଶୁଣାଣି ହେଉଥିବା ସିଭିଲ କୋର୍ଟ ରେଜିଷ୍ଟ୍ରାର ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର