ଅଟୋ ଓଲଟି ୨ ଶିକ୍ଷୟିତ୍ରୀ ଗୁରୁତର

ଡ୍ରାଇଭର ସମେତ ୩ ଆହତ

ରାଉରକେଲା: ଲାଠିକଟା ସୁଇଡିହି ନିକଟରେ ଏକ ଅଟୋ ନିୟନ୍ତ୍ରଣ ହରାଇ ରାସ୍ତା ତଳକୁ ଓଲଟି ପଡିଥିଲା। ଦୁର୍ଘଟଣାରେ ଦୁଇ ଶିକ୍ଷୟିତ୍ରୀ ଗୁରୁତର  ହୋଇଛନ୍ତି। ସେମାନେ ହେଲେ ରାଉରକେଲା ଛେଣ୍ଡ କଲୋନିର ସୁକାନ୍ତି ସାହୁ ଓ ରଶ୍ମିତା ପଣ୍ଡା। ଦୁହିଁଙ୍କୁ ରାଉରକେଲା ସରକାରୀ ଡାକ୍ତରଖାନା (ଆର୍‌ଜିଏଚ୍‌)ରେ ଭର୍ତ୍ତି କରାଯାଇଛି। ଦୁହିଁଙ୍କ ମୁଣ୍ଡ, ଛାତି ଓ ହାତରେ ଗଭୀର ଆଘାତ ଲାଗିଛି। ଡ୍ରାଇଭର ସମେତ ଅନ୍ୟ ଦୁଇ ଜଣ ଆହତ ହୋଇଛନ୍ତି। ଲାଠିକଟା ପୁଲିସ ଦୁର୍ଘଟଣାଗ୍ରସ୍ତ ଅଟୋକୁ ଜବତ କରି ଘଟଣାର ତଦନ୍ତ ଚଳାଇଛି।

ରାଉରକେଲା ଛେଣ୍ଡ କଲୋନିର ଚାରି ଶିକ୍ଷୟିତ୍ରୀ ସୁକାନ୍ତି ସାହୁ, ରଶ୍ମିତା ପଣ୍ଡା, ପ୍ରଭାତୀ ମହାନ୍ତ, ବିଦ୍ୟୁତ ପ୍ରଭାବ ସୁଆର ଲାଠିକଟା ଓ ଗୁରୁଣ୍ଡିଆ ସରକାରୀ ସ୍କୁଲରେ ଶିକ୍ଷକତା କରନ୍ତି। ପ୍ରତିଦିନ ଏକ ଅଟୋରେ ଯିବା ଆସିବା କରିଥାନ୍ତି। ପ୍ରତିଦିନ ପରି ଆଜି  ସ୍କୁଲକୁ ଯାଉଥିଲେ। ଲାଠିକଟା ସୁଇଡିହି ନିକଟରେ ହଠାତ୍‌ ଅଟୋ ଆଗକୁ ଏକ ସାଇକଲ୍‌ ଚାଲି ଆସିଥିଲା। ଡ୍ରାଇଭର ନିୟନ୍ତ୍ରଣ ହରାଇବାରୁ ଅଟୋଟି ରାସ୍ତା ତଳକୁ ଓଲଟି ପଡିଥିଲା। ଘଟଣାସ୍ଥଳରେ ଡ୍ରାଇଭର ସମେତ ତିନି ଜଣ ଆହତ ହୋଇଥିଲେ। ସୁକାନ୍ତି ଓ ରଶ୍ମିତା ଗୁରୁତର ହୋଇଥିଲେ। ସ୍ଥାନୀୟ ଲୋକ ଦୁହିଁଙ୍କୁ ଉଦ୍ଧାର କରି ଆର୍‌ଜିଏଚ୍‌ ପଠାଇଥିଲେ।

ସମ୍ବନ୍ଧିତ ଖବର