ବାଣିଜ୍ୟ ଜୁଆର

ଅର୍ଥଶାସ୍ତ୍ରର ଅନ୍ତର୍ଜାତୀୟ ବାଣିଜ୍ୟ ଶାଖାର ଛାତ୍ରମାନେ ‘ଅର୍ଥନୈତିକ ମାଧ୍ୟାକର୍ଷଣ’ ନାମକ ଏକ ଧାରଣା ସହିତ ସୁପରିଚିତ। ଏହି ଧାରଣାର ମୂଳଭିତ୍ତି ହେଉଛି ପଦାର୍ଥ ବିଜ୍ଞାନର ଏକ ମୌଳିକ ତତ୍ତ୍ବ- ମାଧ୍ୟାକର୍ଷଣ। ପଦାର୍ଥବିଜ୍ଞାନର ଏହି ସୁପରିଚିତ, ସର୍ବବ୍ୟାପୀ ନିୟମ ଅନୁସାରେ ଦୁଇଟି ପିଣ୍ଡ ମଧ୍ୟରେ ପାରସ୍ପରିକ କ୍ରିୟା-ପ୍ରତିକ୍ରିୟା ବା ଆକର୍ଷଣ-ପ୍ରତିଆକର୍ଷଣ କିଭଳି ହେବ, ତାହା ଦୁଇଟି କଥା ଉପରେ ନିର୍ଭର କରିଥାଏ: ସେମାନଙ୍କର ଆକାର କେତେ ବଡ଼, ଓ ସେମାନେ ପରସ୍ପର ଠାରୁ କେତେ ଦୂରତାରେ ରହିଛନ୍ତି। ଏହି କାରଣରୁ ହିଁ ଚନ୍ଦ୍ରମାର ଆକାର କ୍ଷୁଦ୍ର ହୋଇଥିଲେ ହେଁ ପୃଥିବୀର ସାଗର ବକ୍ଷରେ ଜୁଆର ତା’ ଦ୍ବାରା ପ୍ରଭାବିତ ହୋଇଥାଏ, ଯେହେତୁ ତା’ର ଅବସ୍ଥିତି ହେଉଛି ପୃଥିବୀର ନିକଟରେ; କିନ୍ତୁ ବୃହସ୍ପତି ଗ୍ରହର ଆକାର ବିଶାଳ ହୋଇଥିଲେ ହେଁ, ପୃଥିବୀ ଠାରୁ ତାହାର ଦୂରତା ବହୁ ଅଧିକ ହୋଇଥିବାରୁ, ଏଠାରେ ଜୁଆର ଉପରେ ତାହାର ପ୍ରଭାବ ଅତ୍ୟନ୍ତ ନଗଣ୍ୟ ହୋଇଥାଏ।

‘ଅର୍ଥନୈତିକ ମାଧ୍ୟାକର୍ଷଣ’ ଠିକ୍ ସେଇଭଳି କାର୍ଯ୍ୟ କରିଥାଏ ବୋଲି ବିଶ୍ବାସ କରାଯାଏ। ଅନ୍ୟ ଏକ ଦେଶ ସହିତ ଏକ ଦେଶର ବାଣିଜ୍ୟ ଦୁଇଟି କଥା ଦ୍ବାରା ପ୍ରଭାବିତ ହୋଇଥାଏ: ଅନ୍ୟ ଦେଶଟି କେତେ ବଡ଼, ଓ କେତେ ଦୂରରେ ଅବସ୍ଥିତ। ଭାରତ କ୍ଷେତ୍ରରେ ଏହି ତତ୍ତ୍ବର ସତ୍ୟତା ଯଦି କେଉଁ ଦେଶ ସହିତ ଆମର ବାଣିଜ୍ୟିକ ସମ୍ପର୍କରେ ନିଶ୍ଚିତ ରୂପେ ପ୍ରମାଣିତ ହୋଇଥାଏ, ତାହା ହେଉଛି ପୋଖରୀ ସେପଟରେ ଥିବା ଆମର ନିକଟ ପଡ଼ୋଶୀ ଛୋଟିଆ ଦେଶ, ‘ସଂଯୁକ୍ତ ଆରବ ଏମିରେଟ୍‌ସ’ (‘ୟୁଏଇ’)। ‘ପୋଖରୀ’ ଅବଶ୍ୟ ହେଉଛି ଭାରତର ପଶ୍ଚିମ ତଟ ସ୍ପର୍ଶ କରିଥିବା ଆରବ ସାଗର।

‘ୟୁଏଇ’ର ଆକାର କ୍ଷୁଦ୍ର ହୋଇଥିଲେ ହେଁ, ଚନ୍ଦ୍ର ପୃଥିବୀ ପୃଷ୍ଠରେ ଜୁଆର ଉଠାଇବା ଭଳି, ଏହି ଦେଶ ଭାରତ ସହିତ ଯେଉଁ ବାଣିଜ୍ୟ ଜୁଆର ସୃଷ୍ଟି କରିଛି, ତାହା ତାକୁ ଭାରତର ତୃତୀୟ ବୃହତ୍ତମ ବାଣିଜ୍ୟ ପାର୍ଟ‌୍ନର୍‌ରେ ପରିଣତ କରିଛି (ଚଳିତ ବିତ୍ତ ବର୍ଷର ଏପ୍ରିଲ୍-ଡିସେମ୍ବର ତିନିଚଉଠ ସମୟରେ ଉଭୟ ଦେଶ ମଧ୍ୟରେ ପ୍ରାୟ ୫୩ ବିଲି୍ଅନ୍ ଡଲାର୍ ମୂଲ୍ୟର ବାଣିଜ୍ୟ କାରବାର ସମ୍ପନ୍ନ ହୋଇ ସାରିଥିଲା)। ଆଉ ଯଦି କେବଳ ଭାରତର ରପ୍ତାନିକୁ ବିଚାରକୁ ନିଆଯାଏ, ‘ୟୁଏଇ’ ଆମର ଦ୍ବିତୀୟ ବୃହତ୍ତମ ରପ୍ତାନି ଗନ୍ତବ୍ୟସ୍ଥଳ ରୂପେ ଆବିର୍ଭୂତ ହୋଇଛି (୨୦ ବିଲିଅନ୍ ଡଲାର୍, ମୋଟ ରପ୍ତାନିର ୬.୬ ଶତାଂଶ)। ଭାରତ କିନ୍ତୁ ନିଜର ତୈଳ ଚାହିଦା ମେଣ୍ଟାଇବା ପାଇଁ ମୁଖ୍ୟତଃ ଆମଦାନି ଉପରେ ନିର୍ଭର କରିଥାଏ ଏବଂ ‘ୟୁଏଇ’ ଆମର ଏକ ମୁଖ୍ୟ ତୈଳ ଯୋଗାଣକାରୀ ଦେଶ ହୋଇଥିବାରୁ, ଏହାର ପ୍ରଭାବରେ ସେଠାରୁ ଆମର ଆମଦାନିର ମୂଲ୍ୟ ରପ୍ତାନିକୁ ଟପି ଯିବାକୁ ବାଧ୍ୟ ହୋଇଛି (୩୩ ବିଲିଅନ୍ ଡଲାର୍ ପ୍ରାୟ)। ଏଥି ସହିତ ଆଉ ଯାହା ଉଲ୍ଲେଖଯୋଗ୍ୟ, ତାହା ହେଲା, ପ୍ରାୟ ୩.୫ ନିୟୁତ ପ୍ରବାସୀ ଭାରତୀୟ ‘ୟୁଏଇ’ରେ ବସବାସ କରି ଜୀବିକା ନିର୍ବାହ କରୁଛନ୍ତି।

ଏହି ପୃଷ୍ଠଭୂମିରେ ବିଚାର କଲେ ଭାରତ ଏବେ ‘ୟୁଏଇ’ ସହିତ ସ୍ବାକ୍ଷର କରିଥିବା ଅବାଧ ବାଣିଜ୍ୟ ଚୁକ୍ତି କେବଳ ଯେ ସମୟୋପଯୋଗୀ, ତାହା ନୁହେଁ, ସେଇ ଭଳି ଅନିବାର୍ଯ୍ୟ ମନେ ହୋଇଥାଏ, ଯେଉଁ ଭଳି ଚନ୍ଦ୍ରର ଆକର୍ଷଣ ଯୋଗୁଁ ଆରବ ସାଗରରେ ଉଠୁଥିବା ଜୁଆର। ‘କମ୍ପ୍ରିହେନ୍‌ସିଭ୍ ଇକନୋମିକ୍ କୋଅପରେସନ୍ ଆଣ୍ଡ୍ ପାର୍ଟନର୍‌ସିପ୍ ଆଗ୍ରିମେଣ୍ଟ୍’ (‘ସେପା’) ଭାବରେ ନାମିତ ଏହି ଅର୍ଥନୈତିକ ସହଯୋଗ ଓ ସହଭାଗିତା ଚୁକ୍ତି ବସ୍ତୁତଃ ହେଉଛି ଏକ ଅବାଧ ବାଣିଜ୍ୟ ଚୁକ୍ତି (‘ଏଫ୍‌ଟିଏ’) ଯଦିବା ଉଭୟ ଦେଶ ମଧ୍ୟରେ ଅର୍ଥନୈତିକ ସହଯୋଗକୁ ବ୍ୟାପକତର ଓ ଗଭୀରତର କରିବା ମଧ୍ୟ ହେଉଛି ଏହାର ଲକ୍ଷ୍ୟ। ଏହି ଚୁକ୍ତି ବଳରେ ଆସନ୍ତା ପାଞ୍ଚ ବର୍ଷ ମଧ୍ୟରେ ଦୁଇ ଦେଶ ମଧ୍ୟରେ ଦ୍ବିପାକ୍ଷିକ ବାଣିଜ୍ୟ ୧୧୫ ବିଲିଅନ୍ ଡଲାର୍‌କୁ ବୃଦ୍ଧି ପାଇବ ବୋଲି ଲକ୍ଷ୍ୟ ରଖା ଯାଇଛି, ଯେଉଁଥିରୁ ୧୫ ବିଲିଅନ୍ ଡଲାର୍ ହେବ ସେବା ଭିତ୍ତିକ ରପ୍ତାନି। ଚୁକ୍ତି ଅନୁସାରେ ଭାରତ ଏକ ହଜାରଟି ପଦାର୍ଥ ଚିହ୍ନଟ କରିଛି, ଯାହା ପ୍ରତି ‘ୟୁଏଇ’ ଲାଗୁ କରୁଥିବା ଶୁଳ୍‌କ କୋହଳ କରିବ। ଏହି ତାଲିକାରେ ଅନ୍ତର୍ଭୁକ୍ତ ହୋଇଥିବା ପଦାର୍ଥମାନଙ୍କ ମଧ୍ୟରେ ଅଛି ଚମଡ଼ା, ମସଲା, ଇଞ୍ଜିନିଅରିଙ୍ଗ୍ ଦ୍ରବ୍ୟ, ରାସାୟନିକ ଦ୍ରବ୍ୟରୁ କୁକୁଡ଼ା ମାଂସ ପର୍ଯ୍ୟନ୍ତ। ଭାରତ ବର୍ତ୍ତମାନ ପୃଥିବୀରେ ଏକ ଅଗ୍ରଣୀ ଔଷଧ ନିର୍ମାତା ରୂପେ ପରିଗଣିତ ହେଲାଣି। ଚୁକ୍ତିରେ ଭାରତର ଏହି ଉଦୀୟମାନ ଶିଳ୍ପକୁ ସହାୟକ ହେବା ଭଳି ବ୍ୟବସ୍ଥା ମଧ୍ୟ ରହିଛି। ବିକଶିତ ଦେଶମାନଙ୍କରେ ନିୟନ୍ତ୍ରକମାନଙ୍କ ଦ୍ବାରା ଅନୁମୋଦନ ଲାଭ କରିଥିବା ଭାରତୀୟ ଔଷଧପତ୍ର ଆବେଦନର ୯୦ ଦିନ ମଧ୍ୟରେ ‘ୟୁଏଇ’ରେ ବିକ୍ରୟ ହୋଇ ପାରିବ। ଔଷଧପତ୍ର ଓ ମଟରଗାଡ଼ି ଉପରେ ‘ୟୁଏଇ’ ଲାଗୁ କରୁଥିବା ୫ ଶତାଂଶ ଆମଦାନି ଶୁଳ୍‌କ ଉଠାଇ ଦେବାକୁ ଯାଉଛି, ଯାହା ସେ ଦେଶର ବଜାରରେ ଏହି ଭାରତୀୟ ରପ୍ତାନି ଦ୍ରବ୍ୟମାନଙ୍କୁ ଅଧିକ ପ୍ରତିଯୋଗିତାକ୍ଷମ କରିବ।

କେବଳ ଏତିକି ନୁହେଁ, ଭାରତରୁ ଆମଦାନି କରୁଥିବା ପ୍ରାୟ ୯୭ ଶତାଂଶ ଦ୍ରବ୍ୟମାନଙ୍କ ଉପରୁ ସମ୍ପୂର୍ଣ୍ଣ ଭାବରେ ଶୁଳ୍‌କ ଉଚ୍ଛେଦ ଘଟାଇବାକୁ ଚୁକ୍ତି ଅନୁସାରେ ‘ୟୁଏଇ’ ସମ୍ମତ ହୋଇଛି। ଏଭଳି ବ୍ୟବସ୍ଥାର ଏକ ସମ୍ଭାବ୍ୟ ଅନ୍ତର୍ନିହିତ ବିପଦ ସମ୍ବନ୍ଧରେ ମଧ୍ୟ ପାଠକପାଠିକାମାନେ ସଚେତନ ଥାଇ ପାରନ୍ତି: ଚୁକ୍ତି ଦ୍ବାରା ଖୋଲା ଯାଇଥିବା ନିଃଶୁଳ୍‌କ ରାସ୍ତାରେ ତୃତୀୟ ଦେଶର ଦ୍ରବ୍ୟ ଛଦ୍ମ ବେଶରେ ଅନୁପ୍ରବେଶ କରି ପାରନ୍ତି। ଏଭଳି ସମ୍ଭାବନାକୁ ପ୍ରତିହତ କରିବା ପାଇଁ ଚୁକ୍ତିରେ ଆବଶ୍ୟକ ବ୍ୟବସ୍ଥା କରାଯାଇଛି। ଏହି ଚୁକ୍ତି କାର୍ଯ୍ୟକାରୀ ହେବା ପରେ ଉଭୟ ଦେଶ ମଧ୍ୟରେ ପୁଞ୍ଜିନିବେଶ ସ୍ରୋତର ବେଗ ଓ ଆକାର ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି। ଏହା ଘଟିଲେ ଉଭୟ ଦେଶ ମଧ୍ୟରେ ଦ୍ବିପାକ୍ଷିକ ବାଣିଜ୍ୟର ଆକାରରେ ଆହୁରି ବୃଦ୍ଧି ଘଟିବ। ‘ସେପା’ରେ ଅନ୍ତର୍ଭୁକ୍ତ ଏକ ପ୍ରସ୍ତାବ ଅନୁସାରେ ‘ୟୁଏଇ’ର ଉଦ୍ୟୋଗମାନଙ୍କ ପାଇଁ ଭାରତରେ ଏକ ‘ନିବେଶ ଜୋନ୍’ ସଂରକ୍ଷିତ ରହିବ ଏବଂ ସେହିପରି ‘ୟୁଏଇ’ର ‘ଜେବେଲ୍ ଅଲି ଅବାଧ ଜୋନ୍‌’ରେ ଭାରତ ପାଇଁ ‘ଇଣ୍ଡିଆ ମାର୍ଟ‌୍’ ନାମକ ଏକ ଅଞ୍ଚଳ ସଂରକ୍ଷିତ ରହିବ। ଜଳବାୟୁ ପରିବର୍ତ୍ତନ ନିୟନ୍ତ୍ରଣ କ୍ଷେତ୍ରରେ ମିଳିତ କାର୍ଯ୍ୟାନୁଷ୍ଠାନ ସ୍ବରୂପ ଉଭୟ ଦେଶ ଏକ ‘ଯୁଗ୍ମ ହାଇଡ୍ରୋଜେନ୍ ଟାସ୍କ ଫୋର୍ସ’ ପ୍ରତିଷ୍ଠା କରିବେ ବୋଲି ଚୁକ୍ତିରେ ବ୍ୟବସ୍ଥା ରହିଛି। ନିଯୁକ୍ତି କ୍ଷେତ୍ରରେ ଚୁକ୍ତିର ଅବଦାନ ସ୍ବରୂପ ଭାରତରେ ଏକ ନିୟୁତ ଓ ‘ୟୁଏଇ’ରେ ଏକ ଲକ୍ଷ କାର୍ଯ୍ୟ (ଜବ୍) ସୃଷ୍ଟି ହେବାକୁ ଯାଉଛି ବୋଲି ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି।

ନିକଟ ଭବିଷ୍ୟତ୍‌ରେ ଭାରତ ବିଭିନ୍ନ ଦେଶମାନଙ୍କ ସହିତ ଯେଉଁ ଏକାଧିକ ‘ଏଫ୍‌ଟିଏ’ ସ୍ବାକ୍ଷର କରିବାକୁ ଯୋଜନା କରିଛି, ଯୁକ୍ତିଯୁକ୍ତ ଭାବରେ ‘ୟୁଏଇ’ ସହିତ ସ୍ବାକ୍ଷରିତ ‘ସେପା’ ତାହାର ପଥପ୍ରଦର୍ଶକ ଭାବରେ କାର୍ଯ୍ୟ କରିବ। ଏହି ସମସ୍ତ ଦେଶ ଓ ସଂଗଠନମାନଙ୍କ ମଧ୍ୟରେ ଅନ୍ତର୍ଭୁକ୍ତ ଅଛନ୍ତି ବ୍ରିଟେନ୍, ଅଷ୍ଟ୍ରେଲିଆ, କାନାଡା, ଇସ୍ରାଏଲ୍ ଓ ‘ଗଲ୍‌ଫ କୋଅପରେସନ୍ କାଉନ୍‌ସିଲ୍’ ଆଦି। ଚୀନ୍ ନେତୃତ୍ବାଧୀନ ‘ଆର୍‌ସିଇପି’ ଭଳି ବାଣିଜ୍ୟ ଗୋଷ୍ଠୀ ଠାରୁ ଦୂରେଇ ରହିବା ପାଇଁ ନିଷ୍ପତ୍ତି ନେବା ପରେ ଭାରତ ତା’ର ରଣକୌଶଳ ପରିବର୍ତ୍ତନ କରି ଦ୍ବିପାକ୍ଷିକ ବାଣିଜ୍ୟ ଚୁକ୍ତିକୁ ପସନ୍ଦ କରିବା ପାଇଁ ଯେଉଁ ନିଷ୍ପତ୍ତି ନେଇଛି, ‘ସେପା’ ହେଉଛି ସେ ଦିଗରେ ପ୍ରଥମ ପଦକ୍ଷେପ। ଆଶା, ଏହା ଫଳପ୍ରଦ ହୋଇ ଦୁଇ ଦେଶ ମଧ୍ୟରେ ଏକ ଉତ୍ତାଳ ବାଣିଜ୍ୟ ଜୁଆର ସୃଷ୍ଟି କରିବ।

ସମ୍ବନ୍ଧିତ ଖବର