୧୮ଟି ପ୍ରକଳ୍ପ ପାଇଁ ୨୫୦ କୋଟି

୨୦୨୨ ସୁଦ୍ଧା ଗୁଣାତ୍ମକ ବିଦ୍ୟୁତ୍‌

ଭୁବନେଶ୍ବର : ରାଜ୍ୟର ବିଭିନ୍ନ ସ୍ଥାନରେ ବିଦ୍ୟୁତ୍‌ ସରବରାହରେ ଗୁଣାତ୍ମକ ଅଭିବୃଦ୍ଧି ପାଇଁ ୧୮ଟି ପ୍ରକଳ୍ପ କାର୍ଯ୍ୟକାରୀ କରାଯିବ। ଏଥିପାଇଁ ୨୫୦ କୋଟି ମଞ୍ଜୁର ହୋଇଛି। ୨୦୨୨ ମାର୍ଚ ସୁଦ୍ଧା ଏସବୁ କାର୍ଯ୍ୟକ୍ଷମ ହେବ ବୋଲି ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି।

ଆଜି ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଉପରୋକ୍ତ ନିଷ୍ପତ୍ତି ନିଆଯାଇଛି। ଏହି ନିଷ୍ପତ୍ତି ଅନୁଯାୟୀ ୧୮ଟି ନୂଆ ପ୍ରକଳ୍ପ ପାଇଁ ରାଜ୍ୟ ସରକାର ଓପିଟିସିଏଲ୍‌କୁ ୨୫୦ କୋଟିର ଆର୍ଥିକ ସହାୟତା ଯୋଗାଇ ଦେବେ। ଏହି ସହାୟତା ରାଶି ଇନ୍‌ପୁଟ୍‌ ଇକ୍ୟୁଟି ଭାବେ ଦିଆଯିବ। ସହାୟତା ରାଶି ପ୍ରକଳ୍ପର ଅଗ୍ରଗତି ଅନୁଯାୟୀ ଉପଲବ୍ଧ ହେବ। ପ୍ରତି ପ୍ରକଳ୍ପ ପାଇଁ କାର୍ଯ୍ୟ ନିର୍ଘଣ୍ଟ ପ୍ରସ୍ତୁତ କରି ପର୍ଯ୍ୟାୟ କ୍ରମେ ସବୁ ପ୍ରକଳ୍ପ ସାରିବାକୁ ମୁଖ୍ୟ ସଚିବ ନିର୍ଦେଶ ଦେଇଥିଲେ।

ଶକ୍ତି ବିଭାଗ ସଚିବ ହେମନ୍ତ କୁମାର ଶର୍ମା କହିଥିଲେ, ଏହି ପ୍ରକଳ୍ପଗୁଡ଼ିକ କାର୍ଯ୍ୟକାରୀ ହେଲେ ବିଦ୍ୟୁତ୍‌ ସରବରାହ ବ୍ୟବସ୍ଥା ଦୃଢ଼ୀଭୂତ ହେବା ସହିତ ଭୋଲ୍‌ଟେଜ୍‌ ସ୍ଥିତିରେ ସୁଧାର ଆସିବ। ଏହି ପ୍ରକଳ୍ପଗୁଡ଼ିକ ମଧ୍ୟରେ ନୂଆ ୪୦୦/୨୨୦ କେଭି ସବ୍‌ଷ୍ଟେସନ୍‌, ୨୨୦/୩୩ କେଭି, ୧୩୨/୩୩ କେଭି ସବ୍‌ଷ୍ଟେସନ ଓ ବିଦ୍ୟୁତ୍‌ ସଂଚରଣ ଆଦି ରହିବ। ସମ୍ବଲପୁରର ଲପଙ୍ଗା ଓ ମାନେଶ୍ବର, ବରଗଡ଼ର ଘେଁଷ, ଢେଙ୍କାନାଳର ଗୋଡ଼ାଛକ, ପୁରୀର ସାତଶଙ୍ଖ, ବ‌ାଲେଶ୍ବରର ଭୋଗରାଇ, ସୋନପୁରର ବୀରମହାରାଜପୁର, ଗଞ୍ଜାମର ଚିକିଟି ଓ ଆସ୍କା, ଜଗତ୍‌ସିଂହପୁରର ତିର୍ତୋଲ୍‌, ଭଦ୍ରକର ଆଗରପଡ଼ା, କନ୍ଧମାଳର ଜି.ଉଦୟଗିରିରେ ଏସବୁ ସବ୍‌ଷ୍ଟେସନ ବସିବ। ଏହାଛଡ଼ା କୁଚେଇର ଜଳେଶ୍ବର ଏବଂ ଇବ୍‌ରୁ ଲପଙ୍ଗା ୪୦୦ କେଭି ବିଦ୍ୟୁତ୍‌ ସରବରାହ ଲାଇନ ପ୍ରକଳ୍ପ ମଧ୍ୟ ମଞ୍ଜୁରି ପାଇଛି।

ସମ୍ବନ୍ଧିତ ଖବର