ଓଡ଼ିଶା କ୍ୟାଡର୍‌ର ୩ ଜଣ: ୨୦ ବର୍ଷରେ ୧୩୫ ଆଇଏଏସ୍‌ଙ୍କ ଭିଆର୍‌ଏସ୍‌

ବଲାଙ୍ଗୀର: ଗତ ୨୦ ବର୍ଷ ମଧ୍ୟରେ ସମଗ୍ର ଦେଶରେ ସମୁଦାୟ ୧୩୫ ଜଣ ଆଇଏଏସ୍‌ ଅଧିକାରୀଙ୍କ ସ୍ୱେଚ୍ଛାକୃତ ଅବସର (ଭିଆର୍‌ଏସ୍‌) ଗ୍ରହଣ କରିଥିବା ବିଶିଷ୍ଟ ସୂଚନା ଅଧିକାର କର୍ମୀ ହେମନ୍ତ ପଣ୍ଡା ପ୍ରକାଶ କରିଛନ୍ତି। ୨୦୦୩ରେ ସର୍ବାଧିକ ୨୬ ଜଣ ଆଇଏଏସ୍‌ ସ୍ୱେଚ୍ଛାକୃତ ଭାବେ ଅବସର ନେଇଥିବା ଜଣାପଡିଛି। ତଥ୍ୟ ଅନୁସାରେ ୨୦୦୪ରେ ୧୩ ଜଣ, ୨୦୦୫ରେ ୧୨ ଜଣ, ୨୦୦୬ରେ ୨୧ ଜଣ, ୨୦୦୭ରେ ୧୯ ଜଣ, ୨୦୦୮ରେ ୯ ଜଣ, ୨୦୦୯ରେ ୩ ଜଣ, ୨୦୧୧ରେ ୨ ଜଣ, ୨୦୧୨ରେ ୧୨ ଜଣ, ୨୦୧୩ରେ ୪ ଜଣ, ୨୦୧୫ରେ ୨ ଜଣ, ୨୦୧୮ରେ ୨ ଜଣ, ୨୦୧୯ରେ ୧ ଜଣ, ୨୦୨୨ରେ ୪ ଜଣ ଓ ୨୦୨୩ରେ ୫ ଜଣ ଆଇଏଏସ୍‌ ଅଧିକାରୀ ସ୍ବେଚ୍ଛାକୃତ ଅବସର ଗ୍ରହଣ କରିଛନ୍ତି। ୨୦୨୦ ଓ ୨୦୨୧ ମସିହା କରୋନା କାଳ ସମେତ ୨୦୧୦ ଓ ୨୦୧୪ ମସିହାରେ କୌଣସି ଆଇଏଏସ୍‌ ଅଧିକାରୀ ସ୍ୱେଚ୍ଛାକୃତ ଅବସର ନେଇ ନଥିବା ତଥ୍ୟରୁ ଜଣାଯାଇଛି।

ସ୍ୱେଚ୍ଛାକୃତ ଅବସର ନେଇଥିବା ଆଇଏଏସ୍‌ ଅଧିକାରୀଙ୍କ ମଧ୍ୟରେ ଦେବଦାସ ଛୋଟରାୟ, ଯତୀଶ ଚନ୍ଦ୍ର ମହାନ୍ତିଙ୍କ ପରି ଅନେକ ଓଡ଼ିଆ ଅଧିକାରୀ ରହିଥିଲେ ମଧ୍ୟ ସେମାନେ ସ୍ୱେଚ୍ଛାକୃତ ଅବସର ନେଲା ସମୟରେ ଓଡ଼ିଶା କ୍ୟାଡର୍‌ ଅଧିକାରୀ ନଥିଲେ। ୨୦ ବର୍ଷ ମଧ୍ୟରେ ସ୍ୱେଚ୍ଛାକୃତ ଅବସର ନେଇଥିବା ଓଡ଼ିଶା କ୍ୟାଡରର ମାତ୍ର ୩ ଜଣ ଅଧିକାରୀଙ୍କ ନାମ ରହିଛି। ଅପରାଜିତା ଷଡ଼ଙ୍ଗୀ ୨୦୧୮ ନଭେମ୍ବର ୧୬ ତାରିଖ, ମନୀଷ କୁମାର ବର୍ମା ୨୦୨୨ ଡିସେମ୍ବର ୨୭ ତାରିଖ ଓ ଭି.କାର୍ତ୍ତିକେୟ ପାଣ୍ଡିଆନ ୨୦୨୩ ଅକ୍ଟୋବର ୨୦ ତାରିଖ ସ୍ୱେଚ୍ଛାକୃତ ଅବସର ନେଇଥିବା ତଥ୍ୟରୁ ଜଣାପଡ଼ିଛି ବୋଲି ପଣ୍ଡା କହିବା ସହ ବର୍ତ୍ତମାନ ପର୍ଯ୍ୟନ୍ତ ସମଗ୍ର ଦେଶରେ ସ୍ୱେଚ୍ଛାକୃତ ଭାବେ ଅବସର ଗ୍ରହଣ କରିଥିବା ୧୩୫ ଜଣ ଭାରତୀୟ ପ୍ରଶାସନିକ ସେବା ଅଧିକାରୀଙ୍କ ମଧ୍ୟରେ ଭିକେ ପାଣ୍ଡିଆନଙ୍କ ନାମ ସବାଶେଷରେ ରହିଛି। ୨୦୨୩ରେ ସ୍ୱଇଚ୍ଛାରେ ସେବା ନିବୃତ୍ତି ନେଇଥିବା ୫ ଜଣ ଆଇଏଏସ୍‌ ଅଧିକାରୀଙ୍କ ମଧ୍ୟରେ ଭିକେ ପାଣ୍ଡିଆନ ଭାରତୀୟ ପ୍ରଶାସନିକ ସେବା କାର୍ଯ୍ୟକାଳ ଦୃଷ୍ଟିରୁ ବରିଷ୍ଠ ବୋଲି ଶ୍ରୀ ପଣ୍ଡା ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର