ବିଶ୍ବ ଆବିଲିଟିସ୍ପୋର୍ଟ ଗେମ୍ସ: ସ୍ବାଧୀନଙ୍କୁ ରୌପ୍ୟ, ଜୟନ୍ତୀଙ୍କୁ କାଂସ୍ୟ

ରାଜ୍ୟ ପାରା ଦୌଡ଼କୁଦ ୨୪ରୁ

ଭୁବନେଶ୍ବର: ଥାଇଲାଣ୍ଡର ନାଖୋନ ରାଚାସିମାରେ ଚାଲିଥିବା ବିଶ୍ବ ଆବିଲିଟିସ୍ପୋର୍ଟ ଗେମ୍ସରେ ଗୁରୁବାର ଓଡ଼ିଶାକୁ ଗୋଟିଏ ଲେଖାଏଁ ରୌପ୍ୟ ଓ କାଂସ୍ୟ ସହ ୨ ପଦକ ଆସିଛି। ସ୍ୱାଧୀନ ମହାର ଲମ୍ବ ଡିଆ ଟି-୪୨/୪୪/୪୬/୪୭ ବର୍ଗରେ ରୌପ୍ୟ ଜିତିଥିଲା ବେଳେ ଜୟନ୍ତୀ ବେହେରା ୨୦୦ ମିଟର ଦୌଡ଼ ଟି-୪୭ ବର୍ଗରେ କାଂସ୍ୟ ପାଇଥିଲେ। ସ୍ବାଧୀନ ୫.୯୩ ମିଟର ଡେଇଁ ଦ୍ବିତୀୟ ସ୍ଥାନରେ ରହି ‌ଏହି ପଦକ ଜିତିଥିଲେ। ଥାଇଲାଣ୍ଡର ସିରିମୋଙ୍ଗଖୋଲ ‌ଚାଇୱାତ (୬.୦୩ ମିଟର) ସ୍ବର୍ଣ୍ଣ ଓ ଇଣ୍ଡୋନେସିଆର ପାର୍ଟିନ (୫.୬୭ ମିଟର) କାଂସ୍ୟ ପାଇଥିଲେ। ‌ଜୟନ୍ତୀ ରେସ୍‌କୁ ୨୭.୨୨ ସେକେଣ୍ଡରେ ଅତିକ୍ରମ କରି କାଂସ୍ୟ ପଦକ ହାସଲ କରିଛନ୍ତି। ଥାଇଲାଣ୍ଡର ସାସିରାୱାନ ଇଥାଚୋଟ (୨୬.୦୧ ସେକେଣ୍ଡ) ସ୍ବର୍ଣ୍ଣ ଓ ଇଣ୍ଡୋନେସିଆର ନନ୍ଦା ମେଇ ସୋଲିହା (୨୭.୦୫ ସେକେଣ୍ଡ) ରୌପ୍ୟ ପାଇଥିଲେ। ଏହି ପ୍ରତିଯୋଗିତାରେ ଜୟନ୍ତୀଙ୍କ ଏହା ଦ୍ବିତୀୟ ପଦକ। ପୂର୍ବରୁ ସେ ୧୦୦ ମିଟରରେ କାଂସ୍ୟ ଜିତିଥିଲେ। ପୂର୍ବରୁ ଓଡ଼ିଶାର ସୁଚିତ୍ରା ପରିଡ଼ା ଜାଭଲିନରେ ସ୍ବର୍ଣ୍ଣ ଜିତିଥିଲେ।

ରାଜ୍ୟ ପାରା ଦୌଡ଼କୁଦ ୨୪ରୁ
ଭୁବନେଶ୍ବର: ଓଡ଼ିଶା ପାରା କ୍ରୀଡ଼ା ସଂଘ ଓ କ୍ରୀଡ଼ା ବିଭାଗ ମିଳିତ ଆନୁକୂଲ୍ୟରେ ରାଜ୍ୟ ପାରା ଦୌଡ଼କୁଦ ପ୍ରତିଯୋଗିତା ଚଳିତ ମାସ ୨୪ ଓ ୨୫ ତାରିଖ ଦୁଇଦିନ ଧରି ଭୁବନେଶ୍ବରସ୍ଥିତ କଳିଙ୍ଗ ଷ୍ଟାଡିୟମ୍‌ରେ ଅନୁଷ୍ଠିତ ହେବ। ଏହି ପ୍ରତିଯୋଗିତାରେ ଶ୍ରେଷ୍ଠ ପ୍ରଦର୍ଶନ କରିଥିବା ଖେଳାଳି ଜାନୁଆରି ୯ରୁ ୧୩ ତାରିଖ ପର୍ଯ୍ୟନ୍ତ ଗୋଆରେ ଆୟୋଜିତ ହେବାକୁ ୨୨ତମ ଜାତୀୟ ପାରା ଦୌଡ଼କୁଦ ପ୍ରତିଯୋଗିତାକୁ ସିଧାସଳଖ ଯୋଗ୍ୟତା ଅର୍ଜନ କରିବେ। ଏହି ପ୍ରତିଯୋଗିତାରେ ବିଭିନ୍ନ ପ୍ରକାରର ଦିବ୍ୟାଙ୍ଗ ଖେଳାଳି (ଶାରୀରିକ ଭିନ୍ନକ୍ଷମ, ଦୁଷ୍ଟି ବାଧିକ, ମାନସିକ ଅନଗ୍ରସର) ଙ୍କୁ ଖେଳିବା ପାଇଁ ସୁଯୋଗ ପ୍ରଦାନ କରାଯିବ। ଅଧିକ ସୂଚନା ପାଇଁ ପାରା ଆଥଲେଟିକ୍ସ ଓଡିଶା ଅଧ୍ୟକ୍ଷ ତଥା ପାରା ଅଲିମ୍ପିଆନ ମାର୍କଣ୍ଡ ରେଡ୍ଡୀଙ୍କ ସହିତ ଯୋଗାଯୋଗ (୯୮୬୧୧ ୭୦୮୨୦, ୯୮୬୧୦ ୦୯୩୯୬ କିମ୍ବା [email protected]) କରିବାକୁ ଆୟୋଜକଙ୍କ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର